ସମ୍ବଲପୁର: ‘ଗଣତନ୍ତ୍ରର ଚାରିଟି ଯାକ ସ୍ତମ୍ଭରେ ଅବକ୍ଷୟ ପରିଲକ୍ଷିତ ହେଉଛି। ବ୍ୟବସ୍ଥାପିକାରେ ‘ଆତ୍ମଗର୍ବ’, କାର୍ଯ୍ୟପାଳିକାରେ ‘ଜୀ ହାଁ’ ପ୍ରବୃତ୍ତି, ନ୍ୟାୟପାଳିକାରେ ‘ଅଫ୍ ଦ କଫ୍ ରିମାର୍କ’, ଗଣମାଧ୍ୟମରେ ‘ବାହ୍ୟ ନିୟନ୍ତ୍ରଣ’ ଗଣତନ୍ତ୍ରକୁ ଦୁର୍ବଳ କରୁଛି। ଏଥିରୁ ମୁକ୍ତି ନ ମିଳିଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବନି। ଏବେ ଏହାକୁ ପରିବର୍ତ୍ତନ କରିବାର ସମୟ। ଅବଶ୍ୟ ଭାରତରେ ଗଣତନ୍ତ୍ର ସ୍ଥାପନର କେଇବର୍ଷ ହୋଇ ଯାଇଥିବାରୁ ଏଥିରେ ଅବକ୍ଷୟ ସ୍ବାଭାବିକ। ଆମେରିକା ଭଳି ରାଷ୍ଟ୍ରରେ ବି ଏଭଳି ସ୍ଥିତି ଉପୁଜିଥିଲା। ଆମେରିକା ସେଠାରୁ ବାହାରି ଯିବାରେ ସଫଳ ହେଲା। ଗଣତନ୍ତ୍ରରେ ଏହି ଅବକ୍ଷୟ କ୍ଷଣସ୍ଥାୟୀ।’ ସମ୍ବଲପୁରର ତପସ୍ବିନୀ ଜିଲ୍ଲା ପ୍ରେକ୍ଷାଳୟରେ ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ୩୦ତମ ସ୍ବନକ୍ଷତ୍ର ଦିବସ ଅବସରରେ ଅନୁଷ୍ଠିତ ‘ଆମ ଗଣତନ୍ତ୍ର ଓ ଚାରି ସ୍ତମ୍ଭ’ ଶୀର୍ଷକ ଆଲୋଚନାଚକ୍ରରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ୍ ଶତ୍ରୁଘନ ପୂଜାହାରୀ ଏହା କହିଛନ୍ତି।
‘ସମ୍ବାଦ’ ଓ ‘କନକ ନ୍ୟୁଜ’ ସମ୍ପାଦକ ତନୟା ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାନସଭାର ବିରୋଧୀ ଦଳ ଉପନେତା ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ଏସ୍ପି ମୁକେଶ କୁମାର ଭାମୁ ମଧ୍ୟ ବରେଣ୍ୟ ଅତିଥି ଭାବେ ଆଲୋଚନାରେ ଭାଗ ନେଇଥିଲେ। ଶ୍ରୀ ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ ଓଡ଼ିଶାରେ ‘ସମ୍ବାଦ’ ଖବରକାଗଜ ଗଣମାଧ୍ୟମର ସଂଜ୍ଞା ବଦଳାଇଥିବା କହିଥିଲେ। ‘ସମ୍ବାଦ’ ଆୟୋଜିତ ରକ୍ତଦାନ ଶିବିର ମାଧ୍ୟମରେ ସାମାଜିକ ସହଭାଗିତା, ‘ପୁନଶ୍ଚ ପୃଥିବୀ’ ମାଧ୍ୟମରେ ପରିବେଶ ସଚେତନତା ଆଦି ଉଲ୍ଲେଖ କରିଥିଲେ। ‘ସମ୍ବାଦ’ ସମ୍ବଲପୁରୀ ଭାଷାକୁ ଆନୁଷ୍ଠାନିକ ଭାବେ ସ୍ବୀକୃତି ପ୍ରଦାନ କରିଥିବା ଶ୍ରୀ ଆଚାର୍ଯ୍ୟ କହିଥିଲେ। ଗଣତନ୍ତ୍ରର ଚାରିଟି ଯାକ ସ୍ତମ୍ଭ ସେମାନଙ୍କର ସୀମା ଓ ପରିଧି ଉଲ୍ଲଂଘନ କରିବାରେ ଲାଗିଛନ୍ତି। ଯାହା ଗଣତନ୍ତ୍ର ଅବକ୍ଷୟର ମୁଖ୍ୟ କାରଣ ବୋଲି ଶ୍ରୀ ଆଚାର୍ଯ୍ୟ ନିଜ ବକ୍ତବ୍ୟରେ କହିଥିଲେ। ସମ୍ବଲପୁର ଏସ୍ପି ଶ୍ରୀ ଭାମୁ ତାଙ୍କ ବକ୍ତବ୍ୟରେ ନିଜକୁ ନୁହେଁ, ସମାଜକୁ ପ୍ରାଥମିକତା ଦେବା ଗଣତନ୍ତ୍ରର ଚାରିଟିଯାକ ସ୍ତମ୍ଭର କର୍ତ୍ତବ୍ୟ ବୋଲି କହିଥିଲେ। ସବୁ ସ୍ତମ୍ଭର ଲକ୍ଷ୍ୟ ସମାନ। ପ୍ରତିଟି ପ୍ରସଙ୍ଗରେ ନିରପେକ୍ଷ ମୂଲ୍ୟାଙ୍କନ ସାଙ୍ଗକୁ ବୌଦ୍ଧିକ ଚେତନାର ବିକାଶ ଜରୁରୀ ବୋଲି ସେ ମତ ରଖିଥିଲେ।
ଗଣତନ୍ତ୍ରରେ ଅବକ୍ଷୟ କ୍ଷଣସ୍ଥାୟୀ: ଜଷ୍ଟିସ୍ ପୂଜାହାରୀ
‘ସମ୍ବାଦ’ ଓ ‘କନକ ନ୍ୟୁଜ’ ସମ୍ପାଦକ ଶ୍ରୀମତୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ ସମ୍ବଲପୁର ସଂସ୍କରଣ ‘ସମ୍ବାଦ’ର ସଫଳତମ ସଂସ୍କରଣ ବୋଲି କହିଥିଲେ। ଜନ୍ମଦିନରେ ଉତ୍ସବ ପାଳନ ହେଉଛି, କିନ୍ତୁ ଏହା ଆତ୍ମ ସମୀକ୍ଷାର ଦିନ। ବିଗତ ଦିନରେ ଆଇଆଇଏମ୍, ମହାନଦୀ, ଅଭାବୀ ଧାନବିକ୍ରି ଭଳି ପ୍ରସଙ୍ଗରେ ‘ସମ୍ବାଦ’ ଏକ ଜନ ଆନ୍ଦୋଳନର ପୁରୋଧା ସାଜିଥିଲା, ଯାହା ଆଗାମୀ ଦିନରେ ବି ଜାରି ରହିବ। ‘ଯାହାର କେହି ନାହିଁ, ତାର ସମ୍ବାଦ ଅଛି’। ଏହି ବିଶ୍ବାସ ନେଇ ଆମେ ଆଗକୁ ବଢ଼ୁଛୁ ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ସେ ସମ୍ବଲପୁରରେ ‘ରେଡିଓ ଚକୋଲେଟ୍’ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି ଘୋଷଣା କରିଥିଲେ। ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ସ୍ବାଗତ ଭାଷଣ ଦେବା ଅବସରରେ ଏହି ସମାରୋହ ଏକ କୃତଜ୍ଞତାର ପର୍ବ ବୋଲି କହିଥିଲେ। ୩୩ ପ୍ରତିଶତ ମହିଳାଙ୍କ ସଂରକ୍ଷଣ ଉପରେ ବିତର୍କ ନା ଘର ଭିତରୁ ହିଁ ମହିଳାଙ୍କ ସମ୍ମାନ ପାଇଁ ବାଟ ଖୋଲିଦେବା ତାହା ହିଁ ପ୍ରଶ୍ନ। ଯେବେଯାଏଁ ଲୋକ ମୁହଁ ଖୋଲି ନାହାନ୍ତି, ସେବେ ଯାଏଁ ସେମାନଙ୍କ ସ୍ବର ସମଗ୍ର ଦୁନିଆରେ ପହଞ୍ଚିପାରିବନି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ।
ସୌଜନ୍ୟ ସମ୍ବାଦ

