ରୋମ୍: ୟୁରୋପରେ କିଟକ୍ୟାଟ୍ ଚକୋଲେଟ୍ ବାର୍ର ଏକ ବଡ଼ ଖଣ୍ଡ ଚୋରି ହୋଇଛି। ନେସଲେ ନିଜେ ଏହା ନିଶ୍ଚିତ କରିଛି। ନିଜର ଅଫିସିଆଲ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଆକାଉଣ୍ଟରେ ସେୟାର କରାଯାଇଥିବା ଏକ ବିବୃତିରେ, କିଟକ୍ୟାଟ୍ କହିଛି, ଏକ ବଡ଼ ଚୋରିରେ ୧୨ ଟନ୍ରୁ ଅଧିକ ଓଜନର ଚକୋଲେଟ୍ ବାର୍ ଚୋରି ହୋଇଛି। ଚୋର ଚକୋଲେଟ୍ ବାର ନେଇ ଚମ୍ପଟ ହୋଇଛନ୍ତି। ବ୍ରାଣ୍ଡ କହିଛି, ଗ୍ରାହକଙ୍କ ସୁରକ୍ଷା ପାଇଁ କୌଣସି ଚିନ୍ତା ନାହିଁ, ଏବଂ ଯୋଗାଣ ଉପରେ ମଧ୍ୟ କୌଣସି ପ୍ରଭାବ ପଡ଼ିନାହିଁ।
କମ୍ପାନି କହିଛି,କେନ୍ଦ୍ରୀୟ ଇଟାଲୀରେ ଥିବା ଆମର କାରଖାନାରୁ ପୋଲାଣ୍ଡର ଗନ୍ତବ୍ୟସ୍ଥଳକୁ ପରିବହନ କରାଯାଉଥିବା ସମୟରେ ୧୨ ଟନ୍ କିଟକ୍ୟାଟ୍ ଉତ୍ପାଦ ଚୋରି ହୋଇ ଯାଇଛି। ଆମେ ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଯୋଗାଣ ଶୃଙ୍ଖଳା ଅଂଶୀଦାରମାନଙ୍କ ସହିତ ତଦନ୍ତ ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛୁ।
କିଟକ୍ୟାଟ୍ର ମୂଳ କମ୍ପାନି, ନେସଲେ, ନିଶ୍ଚିତ କରିଛି ଯେ ଏହା ଗତ ସପ୍ତାହରେ ଉତ୍ପାଦ ପୋଲାଣ୍ଡ ଅଭିମୁଖେ ବାହାରିଥିଲା। ବାର୍ ଶେଷ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ସମଗ୍ର ୟୁରୋପରେ ବଣ୍ଟନ କରାଯିବାକୁ ଥିଲା। କମ୍ପାନିର ଜଣେ ମୁଖପାତ୍ର ମଜାରେ ଚୋରମାନଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି, ଏପରି ଘଟଣା ସମଗ୍ର ଶିଳ୍ପରେ ସାଧାରଣ ହେବାରେ ଲାଗିଛି। ବାଟରେ ଚକୋଲେଟ୍ ଚୋରି ହେଉଛି। ଏହି ଚୋରି ଏପ୍ରିଲ୍ ୫ରେ ଇଷ୍ଟର ପାଳନ ପୂର୍ବରୁ ଘଟିଛି। କିନ୍ତୁ ଆମର କାରବାରରେ କୌଣସି ସମସ୍ୟା ହେବନାହିଁ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ
