Law Minister: ଦେବୋତ୍ତର ଆଇନ ସଂଶୋଧନ ହେବ: ଆଇନ ମନ୍ତ୍ରୀ
ହିନ୍ଦୁ ଧାର୍ମିକ ଅନୁଷ୍ଠାନ ମନ୍ଦିର, ମଠର ପରିଚାଳନା ପାଇଁ ଥିବା ଦେବୋତ୍ତର ଆଇନରେ ଥିବା ବହୁ ଅନାବଶ୍ୟକ ଧାରା ଏବଂ ଉପଧାରାକୁ ଯୁଗୋପଯୋଗୀ ସଂଶୋଧନ କରିବାକୁ ଆଜି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି।

ଭୁବନେଶ୍ୱର: ହିନ୍ଦୁ ଧାର୍ମିକ ଅନୁଷ୍ଠାନ ମନ୍ଦିର, ମଠର ପରିଚାଳନା ପାଇଁ ଥିବା ଦେବୋତ୍ତର ଆଇନରେ ଥିବା ବହୁ ଅନାବଶ୍ୟକ ଧାରା ଏବଂ ଉପଧାରାକୁ ଯୁଗୋପଯୋଗୀ ସଂଶୋଧନ କରିବାକୁ ଆଜି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ଏହି ସଂଶୋଧିତ ଆଇନ କାର୍ଯ୍ୟକାରୀ ହେଲେ ମନ୍ଦିର, ମଠ ଏବଂ ଧାର୍ମିକ ଅନୁଷ୍ଠାନର ପ୍ରଶାସନିକ ଓ ଆର୍ଥିକ ସୁପରିଚାଳନା ଅଧିକ ସୁଦୃଢ଼ ହୋଇପାରିବ ବୋଲି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି। ମନ୍ତ୍ରୀ ଶ୍ରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ମନ୍ଦିର ଓ ମଠର ସୁପରିଚାଳନା ହେବ ଅଧିକ ସହଜ
ରାଜ୍ୟରେ ଦେବୋତ୍ତର ବିଭାଗ ଅଧିନରେ ଅନେକ ମନ୍ଦିର, ମଠ ଏବଂ ଧାର୍ମିକ ଅନୁଷ୍ଠାନ ଅଛି। ଏଥି ମଧ୍ୟରୁ ଅନେକ ମନ୍ଦିର ଓ ମଠଗୁଡ଼ିକ ବହୁ ପୁରାତନ ହୋଇଥିବାବେଳେ ଏହାର ପରିଚାଳନା ନେଇ ସ୍ପଷ୍ଟ ନିୟମାବଳୀ ନାହିଁ । ଏହି କ୍ରମରେ ପ୍ରଚଳିତ ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଆଇନ୍ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଏକ ଉଚ୍ଚସ୍ତରୀୟ ଏହି ବୈଠକ ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏଥି ସହିତ କମିସନର, ଅତିରିକ୍ତ କମିସନର ଏବଂ କ୍ଷମତାପ୍ରାପ୍ତ ଅଧିକାରୀଙ୍କ କ୍ଷମତା, କ୍ୟାଡର ପୁନର୍ଗଠନ, ଦେବୋତ୍ତର ବିଭାଗରେ ନୂଆ ନିଯୁକ୍ତି ସୃଷ୍ଟି ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଆଇନ କମିସନର ଜଷ୍ଟିସ୍ ବିଶ୍ୱନାଥ ରଥ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଦେବୋତ୍ତର କମିସନର ସତ୍ୟ ନାରାୟଣ ଷଡ଼ଙ୍ଗୀ, ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର, ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର ଏବଂ ଅତିରିକ୍ତ ସରକାରୀ ଅଧିବକ୍ତା ମନ୍ମୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
ସୌଜନ୍ୟ ସମ୍ବାଦ




