Controversy: ନେପାଳୀ ସଂସଦରେ ବିବାଦୀୟ ବୟାନ ରଖିଲେ ବାଲେନ୍ ଶାହ

ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଭାରତକୁ ଲାଗି ରହିଥିବା ସୀମାକୁ ନେଇ ନେପାଳ ସଂସଦରେ ବିବାଦୀୟ ବୟାନ ଦେଇଛନ୍ତି। ବାଲେନ୍ଦ୍ର ଶାହ କହିଛନ୍ତି, ଭାରତ ଯେପରି ନେପାଳର ଭୂଭାଗକୁ ମାଡ଼ି ବସିଛି…
କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଭାରତକୁ ଲାଗି ରହିଥିବା ସୀମାକୁ ନେଇ ନେପାଳ ସଂସଦରେ ବିବାଦୀୟ ବୟାନ ଦେଇଛନ୍ତି। ବାଲେନ୍ଦ୍ର ଶାହ କହିଛନ୍ତି, ଭାରତ ଯେପରି ନେପାଳର ଭୂଭାଗକୁ ମାଡ଼ି ବସିଛି, ନେପାଳ ମଧ୍ୟ ଅନେକ ସ୍ଥାନରେ ଭାରତର ଭୂମିକୁ ମାଡ଼ି ବସିଛି।
ଦ କାଠମାଣ୍ଡୁ ପୋଷ୍ଟ ରିପୋର୍ଟ ଅନୁଯାୟୀ, ନେପାଳର ପ୍ରଧାନମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ଯେ, ଲିପୁଲେଖ, ଲିମ୍ପିୟାଧୁରା ଓ କାଲାପାନୀ ସୀମା ବିବାଦ କୂଟନୈତିକ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ। ଶ୍ରମ ସଂସ୍କୃତି ପାର୍ଟିର ସାଂସଦ ଆରେନ୍ ରାୟଙ୍କ ଦ୍ବାରା ସଂସଦରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ବାଲେନ୍ଦ୍ର ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବା ପରେ ମୁଁ ଜାଣିବାକୁ ପାଇଛି ଯେ, ନା କେବଳ ଭାରତ , ନେପାଳ ମଧ୍ୟ ଭାରତର ଭୂମି ମାଡ଼ି ବସିଛି। ଏହି ପ୍ରସଙ୍ଗରେ ଦୁଇ ଦେଶ ଏକାଠି ବୈଠକ କରି ବିଚାର କରିବା ଉଚିତ। ଏହାବ୍ୟତୀତ ଲିପୁଲେଖ ଓ ଲମ୍ପିୟାଧୁରା ରାସ୍ତାରେ ହେଉଥିବା ବ୍ୟାପାର ଉପରେ ନେପାଳ କମ୍ୟୁନିଷ୍ଟ ପାର୍ଟିର ଉପ-ସଂସଦୀୟ ଦଳର ନେତା ପଦ୍ମା ଅୟାର୍ଲ ଏକ ପ୍ରଶ୍ନ କରିଥିଲେ, ଏହାର ଜବାବରେ ପ୍ରଧାନମନ୍ତ୍ରୀ ଶାହ କହିଛନ୍ତି ଯେ, ଲିପୁଲେଖ, ଲିମ୍ପିୟାଧୁରା ଓ କାଲାପାନୀ ବିବାଦର ସମାଧାନ କୂଟନୈତିକ ଆଲୋଚନା ମାଧ୍ୟମରେ କରାଯିବ। ଶାହ ନେପାଳ ସଂସଦକୁ ସୂଚନା ଦେଇ କହିଛନ୍ତି, ନେପାଳ ଏହି ପ୍ରସଙ୍ଗରେ ଭାରତକୁ ପୂର୍ବରୁ ଏକ ଆଧିକାରିକ କୂଟନୈତିକ ବାର୍ତ୍ତା ପଠାଇସାରିଛି ଓ ଭାରତରୁ ଜବାବ ମଧ୍ୟ ମିଳିସାରିଛି।
ବାଲେନ୍ ଶାହ କହିଛନ୍ତି, ଭାରତଠାରୁ ମିଳିଥିବା ଜବାବରେ କୁହାଯାଇଛି ଯେ, ଉଭୟ ସରକାର ଐତିହାସିକ, ସର୍ବେକ୍ଷକ ଓ କ୍ଷେତ୍ର ବିଶେଷଜ୍ଞଙ୍କୁ ସାମିଲ କରି ଏକ ଟିମ୍ ଗଠନ କରିବ ଓ କଥାବାର୍ତ୍ତା ଦ୍ବାରା ଏହାର ସମାଧାନ କରିବ। ନେପାଳ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ନେପାଳ ଏହି ସୀମା ବିବାଦକୁ ନେଇ ଚୀନ ଓ ବ୍ରିଟେନ୍ ସହିତ ମଧ୍ୟ କୂଟନୈତିକ ଆଲୋଚନା କରିଛି। ସମସ୍ୟା ବ୍ରିଟିଶମାନେ ଏହି ଅଞ୍ଚଳ ଛାଡ଼ି ଯିବା ସମୟର ହୋଇଥିବାରୁ ସେମାନଙ୍କୁ ମଧ୍ୟ ଏଥିରେ ଆଗ୍ରହ ଦେଖାଇବାର କଥା।
ଭାରତ ଓ ନେପାଳ ମଧ୍ୟରେ ଲିପୁଲେଖ, ଲିମ୍ପିୟାଧୁରା ଓ କାଲାପାନୀ କ୍ଷେତ୍ରର ବିବାଦ ୧୮୧୬ ମସିହାର ସୁଗୌଲି ଚୁକ୍ତି ଉପରେ ଆଧାରିତ। କାଠମାଣ୍ଡୁର ଦାବି ଯେ ମହାକାଳୀ ନଦୀ (କାଲାପାନୀ) କୁ ସୀମା ରେଖା ମାନି ଲିପୁଲେଖ ଗିରିପଥ, ଲିମ୍ପିୟାଧୁରା ଓ କାଲାପାନୀ ନେପାଳର ଭୂଭାଗରେ ଆସିବା କଥା। ନେପାଳ ୨୦୨୦ରେ ନୂଆ ରାଜନୈତିକ ମାନଚିତ୍ର ଜାରି କରି ଏହି ଅଞ୍ଚଳକୁ ନିଜର ବୋଲି କହିଛି। ନେପାଳର ଯୁକ୍ତି ଯେ, ବ୍ରିଟିଶଙ୍କ ସମୟରେ ପୁରୁଣା ନକ୍ସାରେ ନଦୀରୁ ଉତ୍ପତ୍ତି ସ୍ଥଳ ଆଧାର ଅନୁଯାୟୀ ସେହି ଅଞ୍ଚଳ ଉପରେ ନେପାଳର ଅଧିକାର ରହିଛି। କିନ୍ତୁ ସମ୍ପୃକ୍ତ ଅଞ୍ଚଳ ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲା ଅଧୀନରେ ଆସୁଛି। ଭାରତର ଯୁକ୍ତି ଯେ, ୧୯୫୦ ଦଶକରୁ ଏହି ସବୁ ଅଞ୍ଚଳରେ ନୂଆଦିଲ୍ଲୀର ସୀମା ଫାଟକ ରହିଛି ଓ ୧୯୬୨ ପରେ ସାମରିକ କାରଣରୁ ଏହି କ୍ଷେତ୍ର ଗୁରୁତ୍ବପୂର୍ଣ୍ଣ ରହିଛି। ଲିପୁଲେଖ ଗିରିପଥ ତିବ୍ଦତ ଯିବା ପାଇଁ ରଣନୈତିକ ମାର୍ଗ, ଭାରତ ଏହି ମାର୍ଗରେ ସଡ଼କ ମଧ୍ୟ ନିର୍ମାଣ କରିଛି। ଦୁଇ ଦେଶ ମଧ୍ୟରେ ଏହି ପ୍ରସଙ୍ଗ ଉପରେ ଅନେକ ବାର ଆଲୋଚନା ହୋଇସାରିଛି। କିନ୍ତୁ କୌଣସି ସ୍ଥାୟୀ ସମାଧାନ ବାହାରି ପାରିନାହିଁ।
ସୌଜନ୍ୟ ସମ୍ବାଦ




