ରାମ ଦାସ ବିରଚିତ ‘େବୖଶାଖ ମାହାତ୍ମ୍ୟ’ର ଦ୍ବିତୀୟ ଅଧ୍ୟାୟରେ ‘ବୈଶାଖ ବ୍ରତ’ ପାଳନର ଦୁଇଟି ମତ ବର୍ଣ୍ଣିତ ହୋଇଛି। ଗୋଟିଏ-ଚାନ୍ଦ୍ରମାସର ମତ ଓ ଅନ୍ୟଟି ସୌରମାସର ମତ। ଏହା ବୈଶାଖବ୍ରତ ପାଳନର ଦୁଇଟି ବିଧି। ‘ବୈଶାଖ ମାହାତ୍ମ୍ୟ’ ଅନୁସାରେ, ସତ୍ୟଯୁଗର ରାଜା ଅମ୍ବରୀଷଙ୍କୁ ଦେବର୍ଷି ନାରଦ କହିଛନ୍ତି- ଏହି ବ୍ରତଧାରୀ ଚୈତ୍ର ପୂର୍ଣ୍ଣମୀ ଦିନ ପ୍ରଭାତରୁ ଉଠି ଶ୍ରୀମାଧବଙ୍କ ନାମ ସ୍ମରଣ କରି ଓ ତାଙ୍କର ନାମକୁ ମନ ମଧ୍ୟରେ ଘୋଷି ସ୍ନାନ, ଶୌଚ ଆଦି ନିତ୍ୟକର୍ମ ସମାପନ କରିବେ। ତାହାପରେ ଶୁକ୍ଳ ବସ୍ତ୍ର ପରିଧାନ କରି ଚନ୍ଦନ, ତିଳକ ଆଦିରେ ବିଧିମତେ ଚିତା ଘେନିବେ। ଦେବାଳୟକୁ ଯାଇ ଦେବତାଙ୍କୁ ଦର୍ଶନ କରିବା ସହିତ ଅତିଥି ସେବା କରିବେ। ତାହାପରେ ବ୍ରାହ୍ମଣଙ୍କୁ ବରଣ କରି ସଂକଳ୍ପ କରିବା ସହିତ ବିପ୍ରଙ୍କୁ ଦକ୍ଷିଣା ଓ ଅନ୍ନ, ବସ୍ତ୍ର ଆଦି ଦେବେ ଏବଂ ‘ବୈଶାଖ ମାହାତ୍ମ୍ୟ’ ଶୁଣିବେ। ତୁଳସୀ ଓ ଅଶ୍ବତ୍ଥ ବୃକ୍ଷ ମୂଳରେ ଘିଅଦୀପ ଦେବେ ଏବଂ ହବିଷ୍ୟ ଦ୍ରବ୍ୟ ମାଧବଙ୍କୁ ନୈବେଦ୍ୟ କରିବେ। ଏହି ବ୍ରତଧାରୀ ମିଥ୍ୟା କହିବେ ନାହିଁ କି ନାରୀଙ୍କୁ ସ୍ପର୍ଶ କରିବେ ନାହିଁ। ବୈଶାଖ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହି ବ୍ରତ ପାଳନ କଲେ ବିଷ୍ଣୁ ପ୍ରୀତ ହୁଅନ୍ତି।
ଏହା ଚାନ୍ଦ୍ରମାସ ମତରେ ବୈଶାଖ ବ୍ରତ। ସେହିପରି, ସୌର ମାସ ମତରେ ବୈଶାଖବ୍ରତ ଏହିପରି- ଯେଉଁଦିନ ସୂର୍ଯ୍ୟ ମେଷ ରାଶିକୁ ଚଳିବେ, ସେହି ବୈଶାଖ (ମେଷ) ସଂକ୍ରାନ୍ତି ଦିନ ବ୍ରତଧାରୀ ପ୍ରଭାତରୁ ଉଠି ବୈଶାଖ ସ୍ନାନ କରିବେ। ସାରା ମାସ ଆମିଷ ଗ୍ରହଣ କରିବେ ନାହିଁ। ଯେଉଁଦିନ ଏହି ସୌର ମେଷ ମାସ ଶେଷ ହେବ, ସେହିଦିନ କ୍ଷୁଧାର୍ତ୍ତ ଓ ତୃଷିତ ଲୋକଙ୍କୁ ପଣା, ପାଣି ଆଦି ଦେବେ। ଏହା କଲେ ଅକ୍ଷୟ ପୁଣ୍ୟ ଲାଭ ହୁଏ। ଏହିଦିନ ସୁବର୍ଣ୍ଣ ଓ ତିଳ ଦାନ କଲେ, ସ୍ବର୍ଗଭୋଗ ପରେ ପୁଣି ଐଶ୍ବର୍ଯ୍ୟ ଭୋଗ ହୁଏ ଏବଂ ତାହା ପରେ ସ୍ବର୍ଗଲୋକ ଲାଭ ହୁଏ।
ଏହି ବୈଶାଖବ୍ରତରେ ଅନ୍ନଦାନର ମହତ୍ତ୍ବ ମଧ୍ୟ ବର୍ଣ୍ଣିତ ହୋଇଛି। କୁହାଯାଇଛି- ଯେ ଏହି ମାସରେ ଅନ୍ନଦାନ କରେ, ସେ ସ୍ବର୍ଗଭୋଗ କରେ ଏବଂ ତାହା ପରେ ବ୍ରାହ୍ମଣ ରୂପେ ଜନ୍ମ ଗ୍ରହଣ କରେ। ସେ ପୃଥିବୀରେ ପଣ୍ଡିତ ରୂପେ ଖ୍ୟାତ ହେବା ସହିତ କୁବେରଙ୍କ ପରି ଧନର ଅଧିକାରୀ ହୁଏ ଏବଂ ଅନ୍ତକାଳରେ ଅଚ୍ୟୁତଙ୍କ ପୁରରେ ସ୍ଥାନ ପାଏ।
ସୌଜନ୍ୟ ସମ୍ବାଦ

