uncategories
Literature: କବିତା: କେହି ନାଇଁ ସାକ୍ଷୀ, ପ୍ରସନ୍ନ କୁମାର ମହାନ୍ତିଙ୍କ କଲମରୁ…
ଏହି କବିତାରେ କବି କହିଛନ୍ତି, ରାତିର ବୟସ ବଢ଼ିବା ସହ ଅନ୍ଧାର କ୍ରମେ ଗାଢ଼ ହୁଏ। ସେଇ ଗାଢ଼ ଅନ୍ଧାରକୁ ଆଳକରି ଅନେକ ଘଟଣା ଘଟେ ଗୋପନରେ। ଏକ ଚାଦର ଭଳି ସବୁଘଟଣା ଢାଙ୍କି ଦିଏ ସେଇ ଚାଦର ତଳେ। କବିତାଟି ରାତିର ଅନ୍ଧାର ଓ ତାହାର ଗୁପ୍ତ ସ୍ୱଭାବକୁ ପ୍ରକାଶ କରୁଛି।

କେହି ନାଇଁ ସାକ୍ଷୀ
ପ୍ରସନ୍ନ କୁମାର ମହାନ୍ତି
ରାତିର ବୟସ ବଢ଼ିଲେ
ଅନ୍ଧାର ହେଲେ ଗାଢ଼ତର
ଅନେକ ଘଟଣା ଘଟେ
ବିଭିନ୍ନ ସ୍ଥାନରେ, ଗୋପନରେ
ଅନ୍ଧାରର ଚାଦର ତଳେ।
କେଉଁଠି ସଂକ୍ଷିପ୍ତତର ହୁଏ
ନର୍ତ୍ତକୀ ସାକୀର ପୋଷାକ,
କେଉଁଠି ହୁଏ ଉଷ୍ଣତର
ଦୁଇ ଦେହର ନିଃଶ୍ବାସ ପ୍ରଶ୍ବାସ,
କେଉଁଠି ପାନପାତ୍ରରୁ ତ୍ବରିତ
ନିଃଶେଷ ହେଉଥାଏ ସୋମରସ।
କେଉଁଠି କିଏ ସଜାଡୁଥାଏ
ଆତ୍ମଘାତୀ ବିସ୍ଫୋରଣର
ନିଷ୍ଠୁର ବାଣ,
ସୀମାନ୍ତରେ କିଏ ସଳଖୁଥାଏ
ଶତ୍ରୁ ଶିବିରକୁ ନିଶାଣ।
ପୁଣି କେଉଁଠି ସଫେଦ ଶେଯରେ
ସରି ଆସୁଥାଏ କାହାର
ବାକିଥିବା ଅନ୍ତିମ ଆୟୁଷ।
କେଉଁଠି ଲୁହରେ ଭିଜୁଥାଏ
କାହାର ପ୍ରାର୍ଥନା ସ୍ବର:
କେହି ନୋହୁ, ତୁମେ ହିଁ ସାକ୍ଷୀ ମୋର
ହେ ଈଶ୍ବର!
ବ୍ୟବଚ୍ଛେଦ କର ମୋ ଲୁହର।
ହେଲେ ନୃତ୍ୟ ସାରି ଦେବଦାସୀ
ଫେରିଯିବା ପରେ
ଶୋଇପଡ଼ିଥାନ୍ତି ବୟସ୍କ ଈଶ୍ବର।
ମୋ: ୯୪୩୭୩୫୭୦୫୦
ସୌଜନ୍ୟ ସମ୍ବାଦ




