ବନ୍ଧନୀ
କୃଷ୍ଣ କୁମାର ମହାନ୍ତି
ନିଅ, ଆସିଲି ମୁଁ ସବୁକିଛି ପଛ କରି ତୁମ ବନ୍ଧନୀକୁ।
ପଛରେ ଛାଡ଼ି ଆସିଲି କେତେ କେତେ ପଙ୍କିଳ ପ୍ରାଚୀନତାକୁ
ଛାଡ଼ି ଆସିଲି ସେଇ ଛାଇମାନଙ୍କୁ
ଯିଏ ମୋ ପାଦଚଲା ରାସ୍ତାର ମୁରବି ସାଜିଥିଲେ,
ଛାଡ଼ି ଆସିବା ବେଳେ
ମୋର ଚିହ୍ନା ଚିହ୍ନା ନିଃସଙ୍ଗତା ବାଟ ଓଗାଳିଲେ ନାହିଁ,
କେବେ ଦିନେ ସ୍ମୃତିକୁ ସେଫ୍ଟିପିନ୍ କରି
ଯୋଡ଼ିଥିଲି ମୋର ଚିରା ମନ,
ସେ ବି ଆସିଲା ନାହିଁ।
ଛାଡ଼ି ଆସିଲେ କ’ଣ ଛାଡ଼ିହୁଏ ସେଇ ଅତୀତକୁ!
ଯିଏ ମାଈସଂଜରେ ବି ମୋତେ ଡରାଏ,
ଯିଏ ଚୁମ୍ବନର ଚିତ୍କାର ଭିତରେ ଦେଖାଏ
ମୋ ଛାତିର କଙ୍କାଳ।
ନିଅ, ଆସିଲି ମୁଁ ସବୁକିଛି ପଛ କରି ତୁମ ବନ୍ଧନୀକୁ।
ପଛରେ ଛାଡ଼ି ଆସିଲି କେତେ କେତେ ପଙ୍କିଳ ପ୍ରାଚୀନତାକୁ,
ଛାଡ଼ି ଆସିଲି ସେଇ ଛାଇମାନଙ୍କୁ
ଯିଏ ମୋ ପାଦଚଲା ରାସ୍ତାର ମୁରବି ସାଜିଥିଲେ!
ଛାଡ଼ି ଆସିବା ବେଳେ ଭାବି ନ ଥିଲି
ବାଟରେ ଜଙ୍ଗଲ ସବୁ ମନ୍ଦିର ପରି ଭେଟିବେ,
ମୋ ପ୍ରତିଟି ପାଦଚିହ୍ନରୁ ଉଠି ଆସିବେ
ପୃଥିବୀର ଶ୍ରେଷ୍ଠ ପ୍ରେମ କବିତାର ପଙ୍କ୍ତିମାନେ!
ମୁଁ ଭରି ଯାଉଥିବି ନୀଳ ଯମୁନାର ଉଜାଣି ମନ୍ତ୍ରରେ,
କାହାର ଗୋଟିଏ ଆ’ ଡାକରେ
ଥାଇପାରେ ଏତେ ଆକର୍ଷଣ
ଜାଣି ନ ଥିଲି ମୁଁ!
ନିଅ,
ଏବେ ସବୁକିଛି ପଛକରି ଆସିଲି ମୁଁ ତୁମ ବନ୍ଧନୀକୁ।
