Literature: ମଧୁସ୍ମିତା ପଟ୍ଟନାୟକଙ୍କ ଅନୁସୃଜିତ ଗଳ୍ପ ‘ଚିକିତ୍ସା’, ମୂଳହିନ୍ଦୀ: ଚନ୍ଦ୍ରେଶ କୁମାର ଛତଲାନୀ…

ପ୍ରାର୍ଥନା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ବାଜୁଥିବା ଘଣ୍ଟିର ଶବ୍ଦ ଶୁଣି ସେ କେତେଥର ଯେ ଅଶାନ୍ତ ହୋଇ କହିଛି, ‘ଦେଖ ଏ ବହୁରୂପୀ ବଗୁଲା ଭଗତମାନଙ୍କୁ ପ୍ରାର୍ଥନା କରିବାର ସମୟ ହୋଇଗଲାଣି ବୋଲି କେମିତି ଘଣ୍ଟି ବଜେଇ ମନେ ପକେଇ ଦେବାକୁ ପଡୁଛି!’

ଚିକିତ୍ସା 

ହିନ୍ଦୀ: ଚନ୍ଦ୍ରେଶ କୁମାର ଛତଲାନୀ

ଅନୁସୃଜନ: ମଧୁସ୍ମିତା ପଟ୍ଟନାୟକ

ଚର୍ଚ୍ଚର ଘଣ୍ଟି ଶୁଣିଲେ କାହିଁକି କେଜାଣି ଷ୍ଟିବ୍‌ର ଦେହରେ ବିଷ ଚରିଯାଏ। ପ୍ରାର୍ଥନା ଆରମ୍ଭ ହେବାର କିଛି ସମୟ ପୂର୍ବରୁ ବାଜୁଥିବା ଘଣ୍ଟିର ଶବ୍ଦ ଶୁଣି ସେ କେତେଥର ଯେ ଅଶାନ୍ତ ହୋଇ କହିଛି, ‘ଦେଖ ଏ ବହୁରୂପୀ ବଗୁଲା ଭଗତମାନଙ୍କୁ ପ୍ରାର୍ଥନା କରିବାର ସମୟ ହୋଇଗଲାଣି ବୋଲି କେମିତି ଘଣ୍ଟି ବଜେଇ ମନେ ପକେଇ ଦେବାକୁ ପଡୁଛି!’

ବିଚରା ଷ୍ଟିବ୍‌ କିଛି କରିପାରୁ ନ ଥାଏ, କାରଣ ଚର୍ଚ୍ଚର ପ୍ରାର୍ଥନା ଗୃହକୁ ସଫା କରିବା ଦାୟିତ୍ୱ ତା’ ଉପରେ ନ୍ୟସ୍ତ ଥିଲା। ଏମିତିରେ ଦେଖିବାକୁ ଗଲେ ସେ କାହାର ରଙ୍ଗ-ରୂପରେ ମୋହିତ ହୋଇ ଲଫଙ୍ଗାମି କରିବା ଲୋକ ନ ଥିଲା। କିନ୍ତୁ ସନ୍ଧ୍ୟା ହେବା ମାତ୍ରେ ଲୁଚିଛପି ଚର୍ଚ୍ଚଠୁଁ କିଛି ଦୂରରେ ଥିବା ବେଶ୍ୟାଳୟ ସାମନାରେ ଠିଆ ହୋଇଯାଏ। ସେଠାକୁ ଯିବା ପାଇଁ ସେ ଏକ ନିର୍ଦ୍ଦିଷ୍ଟ ସମୟକୁ ବାଛିଥିଲା। ଯେଉଁ ସମୟରେ ପ୍ରାୟତଃ ସେହି ବେଶ୍ୟାଳୟର ଝିଅମାନେ ସଜବାଜ ହୋଇ ବାଲ୍‌କୋନିରେ ଆସି ଠିଆ ହୁଅନ୍ତି। ସେ କିନ୍ତୁ ଖୁବ୍ ପସନ୍ଦ କରେ ଦ୍ୱିତୀୟ ମହଲାରେ ଆସି ଠିଆ ହେଉଥିବା ଗୋଟିଏ ସୁନ୍ଦରୀ ଝିଅକୁ।

ନିଜେ ସେ ସେଠାରେ ଥିବା ଦରୱାନକୁ ସେହି ନିର୍ଦ୍ଦିଷ୍ଟ ଝିଅଟିକୁ କେମିତି ଦେଖା କରିହେବ ସେ ବାବଦରେ ପଚାରିଲା। ଉତ୍ତରରେ ଜାଣିବାକୁ ପାଇଲା ଯେ ସେହି ଝିଅ ପାଖକୁ ଯିବାକୁ ହେଲେ ତାକୁ ପଞ୍ଚାବନ ଡଲାର ଦେବାକୁ ପଡ଼ିବ। ବିଚରା ଷ୍ଟିବ୍‌! ଏମିତିରେ ଦେଖିବାକୁ ଗଲେ ତା’ ପକେଟ୍‌ରେ କେବେ ବି ଦଶ-ପନ୍ଦର ଡଲାରରୁ ଅଧିକ ଅର୍ଥ ନ ଥାଏ। ଏହା ପରଠାରୁ ସେ ଆଉ କାହାକୁ କିଛି ପଚାରେନି। ଚୁପ୍‌ଚାପ୍ ସେଠାକୁ ଯାଏ ଓ ବାହାରେ ଠିଆହୋଇ ତା’ ପସନ୍ଦର ଝିଅଟିକୁ ଅପଲକ ଚାହିଁରହେ।

ଦିନେ ଚର୍ଚ୍ଚ ସଫା କରିବା ବେଳେ ତାକୁ ଗୋଟେ ପର୍ସ ମିଳିଲା। ସେ ଖୋଲି ଦେଖେ ତ ଭିତରେ ଚାରି ହଜାର ଡଲାର ଥିଲା। ଏତେଗୁଡ଼େ ଡଲାର ଦେଖି ଷ୍ଟିବ୍ ଖୁସିରେ ଆତ୍ମହରା ହୋଇ ଉଠୁଥାଏ। ଯିଶୁଙ୍କ ମୂର୍ତ୍ତି ପାଖକୁ ଧାଇଁଯାଇ ନମସ୍କାର କରି ସିଧା ପହଞ୍ଚିଗଲା ବେଶ୍ୟାଳୟ ସାମନା‌େର।
ଧାର୍ଯ୍ୟ ଟଙ୍କା ଦେଇ ସିଧା ପହଞ୍ଚିଗଲା ସେହି ଝିଅଟିର ରୁମ୍ ଭିତରେ। ଝିଅଟି ତା’ ରୁମ୍‌ର କବାଟ ଯେମିତି ବନ୍ଦ କରିଛି ଷ୍ଟିବ୍ ତାକୁ କୁଣ୍ଢେଇ ପକେଇଲା। ଝିଅଟି ତା’ର ହାବଭାବ ଦେଖି ବଡ଼ ମତୁଆଲା ଅନ୍ଦାଜରେ ହସି ହସି କହିଲା, ‘‘ଏତେ ଅଧୈର୍ଯ୍ୟ କାହିଁକି ହେଉଛ? ବର୍ଷ ବର୍ଷ ଧରି ଲେଖା ହେଉଥିବା ବହିକୁ କ’ଣ ଗୋଟିଏ ଥରରେ ପଢ଼ିଦେବ ନା କ’ଣ?’’

ଷ୍ଟିବ୍ ତା’ ମୁହଁକୁ ଚାହିଁ କହିଲା, ‘‘ପଢ଼ିବିନି କେମିତି? ମାସ ମାସ ଧରି କେବଳ ବହିକୁ ଯେ ଦୂରରୁ ଦେଖୁଥିଲି!’’
ଝିଅଟି ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ହୁଁ! ମୁଁ ତୁମକୁ ବହୁତଥର ବାହାରେ ଠିଆ ହେଇଥିବାର ଦେଖିଛି। ତୁମ ନାଁ କ’ଣ?’’
‘ଷ୍ଟିବ୍‌’ ଆଉ ତୁମ ନାଁଟା?
‘ମେରୀ’

ମେରୀ! ଚିରପରିଚିତ ନାଁଟି ଶୁଣିବା ମାତ୍ରେ ଷ୍ଟିବ୍‌ର ହୃଦୟରେ ଚର୍ଚ୍ଚର ଘଣ୍ଟି ଜୋର୍‌ରେ ବାଜିବାକୁ ଲାଗିଲା। ସେ ଶବ୍ଦ ଏତେ ଜୋର୍‌ଦାର୍ ଥିଲା ଷ୍ଟିବ୍‌କୁ ଲାଗୁଥିଲା ସତେକି ତା’ ମୁଣ୍ଡ ଏଇ ସାଙ୍ଗେ ସାଙ୍ଗେ ଫାଟିଯିବ। ଗୋଟେ ଝଟ୍‌କାରେ ସେଇ ଝିଅଟିକୁ ନିଜଠାରୁ ଅଲଗା କରି ନିଜ ମୁଣ୍ଡକୁ ଧରି ଖଟ ଉପରେ ବସିପଡ଼ିଲା।
ଝିଅଟି ସହଜ ଭାବରେ ହସିଦେଇ ପଚାରିଲା, ‘‘କ’ଣ ହେଲା ତୁମର? ଏମିତି ବସିପଡ଼ିଲ ଯେ!’’

ସେମିତି ବସିବସି ଷ୍ଟିବ୍ ନିଜ ପକେଟ୍‌ରୁ ବଳିଥିବା ଡଲାରତକ ସେହି ଝିଅ ହାତରେ ଧରେଇ ଦେଲା। ଏତେ ଗୁଡ଼ାଏ ଡଲାର ଦେଖି ଝିଅଟି ଏକଦମ୍ ଡରିଗଲା। କମ୍ପିତ ସ୍ୱରରେ ପଚାରିଲା, ‘‘ଏତେଗୁଡ଼େ ଡଲାର ବଦଳରେ ମୋତେ କ’ଣ କରିବାକୁ ହେବ?’’

ଧୀର ଅଥଚ ଦୃଢ଼ ସ୍ୱରରେ ଷ୍ଟିବ୍ କହିଲା, ‘‘ଯଦି ପାରିବ ଦୟାକରି ନିଜ ନାଁଟା ବଦଳେଇ ଦେବ।’’ କବାଟ ଖୋଲି ନିରବରେ ସେ ସେଠାରୁ ବାହାରିଗଲା।
ଏବେ ଚର୍ଚ୍ଚର ଘଣ୍ଟି ବାଜିଲେ ଷ୍ଟିବ୍ ରାଗୁନି କି ତା’ ମନ ବିଷାକ୍ତ ହୋଇଉଠୁନି। କାରଣଟା କ’ଣ ଜାଣିଛନ୍ତି। କାରଣଟା ହେଲା ସେ ତା’ ରୋଗର ଉପଯୁକ୍ତ ଚିକିତ୍ସା କରିସାରିଛି।

ମୋ: ୭୨୦୫୮୫୦୮୩୧

ସୌଜନ୍ୟ ସମ୍ବାଦ

Exit mobile version