ଭୁବନେଶ୍ବର: ଡାକ୍ତରଙ୍କ ଆନ୍ଦୋଳନ ଚାଲିଥିବାବେଳେ ସରକାର ଅତ୍ୟାବଶ୍ୟକ ସେବା ଆଇନ ‘ଏସ୍ମା’ ଲାଗୁ କରିଛନ୍ତି। କିନ୍ତୁ ଏହାକୁ ଓମ୍ସା ଖାତିର କରି ନାହିଁ। ଯେଉଁ ଅଳ୍ପ କେତେଜଣ ଡାକ୍ତର ଆନ୍ଦୋଳନ ନ କରି ଓପିଡିରେ ରୋଗୀ ଚିିକିତ୍ସା କରୁଥିଲେ, ସେମାନେ ମଧ୍ୟ ଆଜିଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଫଳରେ ଆଜି କ୍ୟାପିଟାଲ ହସ୍ପିଟାଲରେ ସ୍ଥିତି ସଙ୍ଗୀନ ହୋଇଯାଇଥିଲା। ପାଖାପାଖି ଜିଲ୍ଲାର ହସ୍ପିଟାଲ ଗୁଡ଼ିକରେ ମଧ୍ୟ ଡାକ୍ତରମାନେ ଜୋରଦାର ଆନ୍ଦୋଳନ କରିଥିଲେ। ଏଥିପାଇଁ ପୁରୀ, ନୟାଗଡ଼ ଆଦି ଜିଲ୍ଲାରୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ କ୍ୟାପିଟାଲ ହସ୍ପିଟାଲକୁ ଦଉଡ଼ିଥିଲେ। ଫଳରେ କ୍ୟାପିଟାଲ ହସ୍ପିଟାଲରେ ରୋଗୀସଂଖ୍ୟା ଅହେତୁକ ବୃଦ୍ଧି ପାଇଥିଲା। ଆଜି କ୍ୟାପିଟାଲ ହସ୍ପିଟାଲରେ ପ୍ରାୟ ୪ ହଜାର ରୋଗୀ ଚିକିିତ୍ସା ପାଇଁ ଆସିଥିବା ଜଣାପଡ଼ିଛି।
ବିଶେଷକରି ମେଡିସିନ ଓ ଅସ୍ଥିଶଲ୍ୟ ବିଭାଗରେ ରୋଗୀ ସଂଖ୍ୟା ଅଧିକ ରହି ଥିଲା। ଟେଷ୍ଟିଂ ପାଇଁ ମଧ୍ୟ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ବହିର୍ବିଭାଗରେ କେବଳ ଓମ୍ସା ସହିତ ଜଡ଼ିତ ଡାକ୍ତରମାନେ ଓପିଡିକୁ ଆସି ନଥିଲେ। ଫଳରେ ବିଭିନ୍ନ ଓପିଡିରେ ଲମ୍ବା ଧାଡ଼ି ଲାଗିଥିଲା। ବୟସ୍କ ଲୋକମାନେ ଅଧିକ ହଇରାଣ ହୋଇଥିଲେ। ୧୧ଟା ପରଠାରୁ ଡାକ୍ତର ଯୋଗଦେବା ପରେ ସ୍ଥିତି ସ୍ବଭାବିକ ହୋଇଥିଲା। ତଥାପି ସନ୍ଧ୍ୟା ପର୍ଯ୍ୟନ୍ତ ହସ୍ପିଟାଲ ପରିସରରେ ଭିଡ଼ ରହିଥିଲା। ଆଗରୁ ସ୍ଥିତି ଅଣାୟତ୍ତ ହେବ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଆନ୍ଦୋଳନରତ ଡାକ୍ତରମାନେ କହିଛନ୍ତି ଯେ ସରକାର ଆମ ଦାବି ପୂରଣ କରିବେ କ’ଣ ଆମକୁ ଏସ୍ମା ଡର ଦେଖାଉଛନ୍ତି। ଆମ ଦାବି ପୂରଣ ନ ହେଲା ଯାଏଁ ଆନ୍ଦୋଳନରୁ ହଟିବୁ ନାହିଁ ଓ ଆନ୍ଦୋଳନକୁ ତୀବ୍ରତର କରିବୁ ବୋଲି ଚେତାବନୀ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ
