ନୂଆଦିଲ୍ଲୀ: ରାଜ୍ୟସଭାରେ ବୁଧବାର ପ୍ରତିବାଦ, ପାଟିତୁଣ୍ଡ, ହୋହଲ୍ଲା ବଦଳରେ ଅନ୍ୟ କିଛି ଦେଖିବାକୁ ମିଳିଥିଲା। ରାଜ୍ୟସଭାର କେତେକ ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ସେମାନେ ବିଦାୟୀ ଭାଷଣ ରଖିଥିଲେ। କଂଗ୍ରେସ ଅଧ୍ୟକ୍ଷ ତଥା ଉପର ସଦନରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବିଦାୟୀ ଭାଷଣବେଳେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।
କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡା ଏବଂ ଏନସିପି ପ୍ରତିଷ୍ଠାତା ଶରଦ ପାୱାରଙ୍କ ବିଷୟରେ କହିଥିଲେ। ଉଭୟଙ୍କର ରାଜ୍ୟସଭାରେ ବର୍ତ୍ତମାନର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ତେବେ ପାୱାର ପୁଣି ଥରେ ଗୃହକୁ ଫେରିବାକୁ ଯାଉଛନ୍ତି। ଖଡ଼ଗେ କହିଥିଲେ ଯେ, ଦେବେଗୌଡା ପ୍ରଧାନମନ୍ତ୍ରୀ ଥିଲେ ଏବଂ ଅନ୍ୟାନ୍ୟ ଅନେକ ପଦବିରେ ରହି କାର୍ଯ୍ୟ କରିଥିଲେ। ମୁଁ ତାଙ୍କୁ ୫୪ ବର୍ଷ ହେଲା ଜାଣିଛି ଏବଂ ତାଙ୍କ ସହିତ କାମ କରିଛି। କିନ୍ତୁ ମୁଁ ଜାଣିନାହିଁ କ’ଣ ହେଲା ସେ ଆମ ସହିତ ଡେଟ୍ କରିଥିଲେ, ଆମକୁ ଭଲ ପାଉଥିଲେ, କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିବାହ କଲେ। ଖଡ଼ଗେଙ୍କ ଏହି ମନ୍ତବ୍ୟକୁ ନେଇ ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ସେତେବେଳେ ରାଜ୍ୟସଭାରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ହସୁଥିବା ଦେଖାଯାଇଥିଲା। ଖଡ଼ଗେ କହିଥିଲେ, ଯେଉଁମାନେ ଦେଶସେବା ପାଇଁ ରାଜନୀତି, ସାଧାରଣ ଜୀବନରେ ଅଛନ୍ତି, ସେମାନେ କେବେ ଥକନ୍ତି ନାହିଁ, କି ଅବସର ନିଅନ୍ତି ନାହିଁ।
ସୌଜନ୍ୟ ସମ୍ବାଦ
