ଆଗ୍ରା: ଉତ୍ତରପ୍ରଦେଶର ଆଲିଗଡ଼ରେ ଥିବା ଏକ ଘରୋଇ ହସ୍ପିଟାଲରେ ଗୁଳିକାଣ୍ଡ ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଗୁଳିକାଣ୍ଡ ଘଟଣା ପ୍ରେମ ବ୍ୟାପାରକୁ ନେଇ ହୋଇଥିବାବେଳେ ଉତ୍ତର ପ୍ରଦେଶର ଜଣେ ପ୍ରାଦେଶିକ ଆର୍ମଡ କନଷ୍ଟାବୁଲାରୀ (ପିଏସି) ଯବାନ ଓ ଜଣେ ପୁଲିସ କନଷ୍ଟେବଲ ସମ୍ପୃକ୍ତ ଥିବା ଜଣାପଡ଼ିଛି। ସୋମବାର ରାତି ୧୦ଟାରେ ଦୁଇ ଜଣ ଦୁବୃର୍ତ୍ତ ହସ୍ପିଟାଲ ଭିତରେ ପଶି ବେଦପାଲ ସିଂହ ନାମକ ୩୮ ବର୍ଷୀୟ ରୋଗୀଙ୍କ ଉପରେ ଗୁଳିଚାଳନା କରି ହସ୍ପିଟାଲ ଭିତରେ ଆତଙ୍କ ସୃଷ୍ଟି କରିଥିଲେ। ଗୁଳି କରିବା ପରେ ଦୁର୍ବୃତ୍ତ ଫେରାର୍ ହୋଇଯାଇଥିଲେ।
ଗୁରୁତର ଆହତ ରୋଗୀଙ୍କୁ ଅନ୍ୟ ଏକ ମେଡିକାଲ ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଏହା ପ୍ରେମଜନିତ ବ୍ୟାପାର ଯୋଗୁ ଘଟିଥିବା ଜଣାପଡ଼ିଛି। ମୃତକଙ୍କର ଗତ ପାଞ୍ଚ ବର୍ଷ ହେଲା ମଥୁରାର ଜଣେ ଝିଅଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଝିଅର ବାପା ଦେବେନ୍ଦ୍ର ଚୌଧୁରୀ ଉତ୍ତର ପ୍ରଦେଶ ପୁଲିସ କନଷ୍ଟେବଲ ଭାବେ ବାଗପତରେ ଅବସ୍ଥାପିତ ଥିଲେ। ଝିଅର ସମ୍ପର୍କୀୟ ଭାଇ ଭୁପେନ୍ଦ୍ର ଚୌଧୁରୀ (୨୮) ଜଣେ ପିଏସି ଯବାନ। ଉଭୟ ଦେବେନ୍ଦ୍ର ଓ ଭୁପେନ୍ଦ୍ର ହସ୍ପିଟାଲ ଯାଇ ବେଦପାଲଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଦେବେନ୍ଦ୍ର ଓ ଭୁପେନ୍ଦ୍ରଙ୍କ ନାଁରେ ବିଏନ୍ଏସ୍ ଧାରାରେ ହତ୍ୟା ମାମଲା ରୁଜୁ କରି ପୁଲିସ ସେମାନଙ୍କୁ ଖୋଜୁଛି।
ବିଏନ୍ଏସ୍ ଧାରାରେ ହତ୍ୟା ମାମଲା ରୁଜୁ
ଏସ୍ଏସ୍ପି ନିରଜ କୁମାର ଜାଦାଁଉ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ବେଦପାଲ ଅନେକ ବର୍ଷ ଧରି ମଥୁରାର ଜଣେ ମହିଳାଙ୍କ ସହିତ ପ୍ରେମ ସମ୍ପର୍କ ରହିଥିଲା। କିନ୍ତୁ ମହିଳାଙ୍କ ପରିବାର ଲୋକ ଚଳିତ ବର୍ଷ ଫେବ୍ରୁଆରିରେ ତାଙ୍କ ବିବାହ ଅନ୍ୟ ଜଣଙ୍କ ସହିତ ସ୍ଥିର କରିଦେଇଥିଲେ। ବେଦପାଲ ବିବାହ ଭାଙ୍ଗିବାକୁ ଚେଷ୍ଟା କରିବାରୁ ତାଙ୍କୁ ମହିଳାଙ୍କ ପରିବାର ଲୋକ ନିସ୍ତୁକ ମାଡ଼ ମାରିଥିଲେ। ମଥୁରା ପୁଲିସ ବେଦପାଲଙ୍କୁ ଗିରଫ କରି ତାଙ୍କୁ ୧୪ ଦିନ ପାଇଁ ଜେଲ ପଠାଇ ଦେଇଥିଲେ। ପରେ ମହିଳାଙ୍କର ଅନ୍ୟ ଏକ ସ୍ଥାନରେ ବିବାହ ହୋଇଥିଲା। ବେଦପାଲଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, ବେଦପାଲ ଆଇନ ଶିକ୍ଷା ଶେଷ କରି ଜଣେ ଓକିଲଙ୍କ ନିକଟରେ କାମ କରୁଥିଲେ। ଗତ ପାଞ୍ଚ ବର୍ଷ ହେଲା ସେହି ଝିଅ ସହିତ ପ୍ରେମ ସମ୍ପର୍କରେ ଥିଲେ।
ସୌଜନ୍ୟ ସମ୍ବାଦ