ବିଶେଷରାଜନୀତି

Mahatma Gandhi NREGA: ମନରେଗା ବନାମ ଜି ରାମ୍‌ ଜି

ସଂସଦର ଶୀତ ଅଧିବେଶନରେ ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ୍ ଆଜୀବିକା ମିସନ୍‌ ଗ୍ରାମୀଣ’ (‘ଭିବି-ଜି ରାମ୍‌ ଜି’) ବିଲ୍‌କୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ସବୁଠାରୁ ଅଧିକ ବିବାଦ ଓ ବିତର୍କ ହୋଇଛି।

ସଂସଦର ଶୀତ ଅଧିବେଶନରେ ‘ବିକଶିତ ଭାରତ ଗ୍ୟାରେଣ୍ଟି ଫର୍ ରୋଜଗାର ଆଣ୍ଡ୍ ଆଜୀବିକା ମିସନ୍‌ ଗ୍ରାମୀଣ’ (‘ଭିବି-ଜି ରାମ୍‌ ଜି’) ବିଲ୍‌କୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ସବୁଠାରୁ ଅଧିକ ବିବାଦ ଓ ବିତର୍କ ହୋଇଛି। ୨୦ ବର୍ଷ ତଳର ଏନ୍.ଆର୍.ଇ.ଜି.ଏ. (ମନରେଗା) ଯୋଜନା ପ୍ରତ୍ୟାହାର କରି କେନ୍ଦ୍ର ସରକାର ‘ଭିବି-ଜି ରାମ୍‌ ଜି’ ନୂତନ ବିଲ୍ ମାଧ୍ୟମରେ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ସୃଷ୍ଟି କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି। ଯଦିଓ ଏହି ବିଲ୍ ରାଜ୍ୟସଭା ଓ ଲୋକସଭାରେ ପାରିତ ହୋଇଯାଇଛି, କିନ୍ତୁ ଏହାକୁ ନେଇ ବିବାଦ ଓ ବିତର୍କ ଜୋର୍‌ଦାର୍‌ ହେଉଛି। ସେହିପରି ଓଡ଼ିଶା ପ୍ରସଙ୍ଗରେ ଆମ ରାଜ୍ୟକୁ ଡବଲ୍‌ ଇଞ୍ଜିନ୍‌ ବିଜେପି ସରକାରର କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଛି ବୋଲି ଚର୍ଚ୍ଚା ଓ ଅଭିଯୋଗ ହେଉଛି। ଏଭଳି ଚର୍ଚ୍ଚା ଓ ବିବାଦକୁ ନେଇ ‘ରବିବାର ସମ୍ବାଦ’ରେ ଗୁରୁତ୍ବପୂର୍ଣ୍ଣ ମତାମତ ରଖି ସାମ୍ନାସାମ୍ନି ହୋଇଛନ୍ତି ପୂର୍ବତନ ସାଂସଦ, ଅର୍ଥମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଜେପି ସାଂସଦ ତଥା ବରିଷ୍ଠ ନେତା ରୁଦ୍ରନାରାୟଣ ପାଣି। ଉଭୟଙ୍କ ସହ ସାମ୍ନାସାମ୍ନି ଆଲୋଚନା କରିଛନ୍ତି ଆମ ବରିଷ୍ଠ ପ୍ରତିନିଧି ବିଭୂତି ପତି

‘ଭିବି-ଜି ରାମ୍‌ ଜି’ ଯୋଜନାରେ ଓଡ଼ିଶା ପୁଣି ଉ‌ପେକ୍ଷିତ ହୋଇଛି: ପ୍ରସନ୍ନ ଆଚାର୍ଯ୍ୟ

‘ଭିବି-ଜି ରାମ୍‌ ଜି’ ବିଲ୍‌କୁ ପ୍ରବଳ ବିରୋଧ ହେଉଛି ଓ ତା’ର ନାମକରଣକୁ ଦୃଢ଼ ସମାଲୋଚନା କରାଯାଉଛି। ଏ ପ୍ରସଙ୍ଗରେ ଆପଣଙ୍କ ମତ କ’ଣ?
ପ୍ରଥମେ ମୁଁ ନାମକରଣକୁ ନେଇ ପ୍ରଶ୍ନ ଉଠାଇବି। ରାମ ମର୍ଯ୍ୟାଦା ପୁରୁଷୋତ୍ତମ ଓ ପରମ ପୂଜନୀୟ। ରାମ କେବେ ବି ରାବଣକୁ ଅସମ୍ମାନ କରି ନ ଥିଲେ। ବିଜେପି ସରକାର ରାମଚନ୍ଦ୍ରଙ୍କଠାରୁ କି ଶିକ୍ଷାଗ୍ରହଣ କରିଛନ୍ତି ମୁଁ ଜାଣିନି। ସେମାନେ କାହିଁକି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଅସମ୍ମାନକରି ବିଭିନ୍ନ ଯୋଜନାରୁ ତାଙ୍କ ନାମ ହଟାଇ ଦେଉଛନ୍ତି? ମନରେଗାରୁ ବାପୁଙ୍କ ନାମ ହଟାଇବା କ’ଣ ଆବଶ୍ୟକ ଥିଲା? ବାପୁଙ୍କ ନାମକୁ ନେଇ ବିଜେପି କାହିଁକି ଏତେ ବିତୃଷ୍ଣା ଓ ବିରୋଧାଭାସ ପ୍ରଦର୍ଶନ କରୁଛି? ମୁଁ ମଧ୍ୟ କେତେକ ପ୍ରସଙ୍ଗରେ ନେ‌େହରୁଙ୍କ ନୀତିକୁ ସମାଲୋଚନା କରେ। ଆମେ ଗାନ୍ଧୀ ଓ ନେ‌େହରୁଙ୍କର କେତେକ ନୀତି ଓ ଆଦର୍ଶକୁ ଗ୍ରହଣ କରିବା ନ କରିବା- ତାହା ଭିନ୍ନ କଥା। ଦେଶ ସ୍ବାଧୀନତା ଓ ଏହାର ପରବର୍ତ୍ତୀ ସମୟରେ ଦେଶ ଗଠନରେ ସେମାନଙ୍କର ମହାନ୍‌ ଅବଦାନକୁ ଆମକୁ ସ୍ବୀକାର କରିବାକୁ ପଡ଼ିବ।

ଏହି ନୂତନ ଯୋଜନାରେ ଅନେକ ସୁଫଳ ମିଳିବ ବୋଲି କେନ୍ଦ୍ର ସରକାର କହୁଛନ୍ତି। ତଥାପି ବିରୋଧର କାରଣ କ’ଣ?
ବିଜେଡି ଏହି ଯୋଜନାକୁ ନେଇ ଚୁପ୍‌ହୋଇ ରହିନାହିଁ। ଏପରିକି ଏନ୍‌ଡିଏର ଅନେକ ସହଯୋଗୀ ଦଳ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ‘ଭିବି-ଜି ରାମ୍‌ ଜି’ ଯୋଜନାରେ ଓଡ଼ିଶା ପୁଣି ଉପେକ୍ଷିତ ହୋଇଛି। ଓଡ଼ିଶା ସବୁବେଳେ କେନ୍ଦ୍ରକୁ ଅଧିକ ଅର୍ଥ ଦେଉଛି। ମାତ୍ର ସେ ତୁଳନାରେ ଯଥେଷ୍ଟ କମ୍ ଅନୁଦାନ ପାଉଛି। ୧୨୫ ଦିନର ଗ୍ୟାରେଣ୍ଟି କର୍ମନିଯୁକ୍ତି କେବଳ ଧୂଅଁାବାଣ। ଏହି ଯୋଜନାରେ କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ୪୦ ପ୍ରତିଶତ ଅର୍ଥ ଦେବ। ଏଥିରେ ମଧ୍ୟ ପକ୍ଷପାତିତା। ଉତ୍ତର-ପୂର୍ବ ଓ ହିମାଳୟ ରାଜ୍ୟରେ ୯୦ ପ୍ରତିଶତ ଅର୍ଥ କେନ୍ଦ୍ର ଦେବ। କିନ୍ତୁ, ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟକୁ ୬୦ ପ୍ରତିଶତ ଅର୍ଥ ‌ଦେବ? ଏହା କ’ଣ ଯୁକ୍ତି ସଂଗତ?

କୁହାଯାଉଛି ପଞ୍ଚାୟତସ୍ତରରେ ଏହି ନୂତନ ଯୋଜନାରେ କୌଣସି ଅଧିକାର ରହିବ ନାହିଁ। ଏହା କ’ଣ ସତ?
‘ଭିବି-ଜି ରାମ୍‌ ଜି’ ଯୋଜନା ଆଦିବାସୀ ଅଧ୍ୟୁଷିତ ଓ ଅନୁନ୍ନତ ଅଞ୍ଚଳରେ ବିଶେଷ ଲାଭଦାୟକ ହେବନାହିଁ। ଚାଷବାସ ସମୟରେ କେନ୍ଦ୍ର ସରକାର ୬୦ ଦିନ କାର୍ଯ୍ୟ ଯୋଗାଇ ଦେବେନାହିଁ ବୋଲି ଏଥିରେ ନିୟମ ରହିଛି। ଏ ସମୟରେ ମଧ୍ୟ ବନ୍ୟା, ବାତ୍ୟା କାରଣରୁ ଚାଷବାସ ଉଜୁଡ଼ି ଯାଇଥାଏ। ଏହା କ’ଣ ସେମାନଙ୍କର ଜୀବନଜୀବିକାକୁ ପ୍ରଭାବିତ କରିବ ନାହିଁ? ଏହି ନିୟମରେ କେନ୍ଦ୍ର ବିଜେପି ସରକାର ଚାହିଦା ଆଧାରିତ ବ୍ୟବସ୍ଥା ହଟାଇ ଯୋଗାଣ ଆଧାରିତ ବ୍ୟବସ୍ଥା ଲାଗୁ କରିବାକୁ ଚାହୁଛି। ଯଦି କେନ୍ଦ୍ର ନ ଚାହିବ ଲୋକଙ୍କ ଆବଶ୍ୟକତା ଥିଲେ ବି କର୍ମନିଯୁକ୍ତି ମିଳିବ ନାହିଁ। ‘ଏନ୍.ଆର୍.ଇ.ଜି.ଏ.’ କାର୍ଯ୍ୟକ୍ରମ ମାଧ୍ୟମରେ ନିୟମ ରହିଥିଲା- ଜଣେ ବ୍ୟକ୍ତିକୁ ୧୦୦ ଦିନର କାମ ଦିଆଯିବ କିମ୍ବା ୧୫ ଦିନ ମଧ୍ୟରେ କାମ ନ ଦେଲେ ତଦନୁଯାୟୀ ଅର୍ଥ ଦିଆଯିବ। କିନ୍ତୁ, ସରକାର କହୁଛନ୍ତି ଏଥିରେ ୧୨୫ ଦିନ କାମ ମିଳିବ। ମୁଁ ପଚାରୁଛି- ବହୁକଷ୍ଟରେ ୫୦ ଦିନ କାମ ମିଳୁ ନ ଥିଲା ବେଳେ ୧୨୫ ଦିନ କାମ ମିଳିବ କିପରି? ରାଜ୍ୟ ଓ ପଞ୍ଚାୟତସ୍ତରରେ କୌଣସି ଉତ୍ତରଦାୟିତ୍ୱ ନ ଥିବାରୁ ଏଥି‌ରେ ଅଧିକ ଦୁର୍ନୀତି ହେବ। ପୁଣି ଯେଉଁ ରାଜ୍ୟରେ ବିଜେପି ସରକାର ନାହିଁ ସେ ରାଜ୍ୟକୁ କେନ୍ଦ୍ର ନିଜ ଇଚ୍ଛାରେ ଅର୍ଥ ଦେବ। ଅର୍ଥାଭାବ ହେଲେ ବି ରାଜ୍ୟ କେନ୍ଦ୍ର ଆଗରେ ମୁହଁ ଖୋଲିବ ନାହିଁ। ସଂସଦର ଗ୍ରାମୀଣ ମନ୍ତ୍ରଣାଳୟ ଷ୍ଟାଣ୍ଡିଂ କମିଟିରେ ଏହି ଯୋଜନା ଉପରେ ବିଷଦ୍‌ ଆଲୋଚନା ନ କରି ବିଲ୍ ଆଣିବା ଦେଶ ପାଇଁ ଶୁଭଙ୍କର ନୁହେଁ।

ଅଭିଯୋଗ ହେଉଛି, ଡବଲ୍‌ ଇଞ୍ଜିନ୍‌ ସରକାରରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି। କିନ୍ତୁ ବିଜେପି ନେତା ଓ ମନ୍ତ୍ରୀ କହୁଛନ୍ତି କି କେନ୍ଦ୍ରୀୟ ଅନୁଦାନ ଯଥେଷ୍ଟ ବୃଦ୍ଧି ପାଇଛି। ଆପଣ ଏଥିରେ ଏକମତ?
ନା। ରାଜ୍ୟ ଓ କେନ୍ଦ୍ରରେ ଡବଲ୍‌ ଇଞ୍ଜିନ୍‌ ସରକାର ଆସିବା ପରେ ଗତ ସପ୍ଲିମେଣ୍ଟାରି ବଜେଟ୍‌କୁ ଦେଖନ୍ତୁ। ଯେଉଁମାନେ ତଥ୍ୟପ୍ରମାଣ ମାଗୁଛନ୍ତି ସେମାନଙ୍କୁ ମୁଁ କହିବାକୁ ଚାହେ, ସବୁ ତଥ୍ୟପ୍ରମାଣ ଗତ ବିଧାନସଭା ଅଧିବେଶନରେ ମୁଁ ଉପସ୍ଥାପନ କରିଛି। କେନ୍ଦ୍ର ବଜେଟ୍‌ରେ ଆମ ପ୍ରାବଧାନ କମାଇଦେଲେ ଏବଂ ଯେତିକି ପ୍ରାବଧାନ କରିଛନ୍ତି ସେତକ ମଧ୍ୟ ଠିକ୍ ସମୟରେ ମିଳୁନାହିଁ। ଆଉ ଦୁଇମାସ ପରେ ନୂତନ ବଜେଟ୍ ଆସିବ। କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଓଡ଼ିଶାକୁ ଯେଉଁ ଅର୍ଥ ଯୋଗାଇବାକୁ ପ୍ରାବଧାନ କରିଥିଲେ ଏବେସୁଦ୍ଧା ‌ତା’ର ଅଧାରୁ କମ୍ ଦେଇଛନ୍ତି। କେନ୍ଦ୍ର କେବେ ବାକି ଟଙ୍କା ଦେବ ଓ ରାଜ୍ୟ ସରକାର କେବେ ତ‌ାହା ଖର୍ଚ୍ଚ କରିବେ ତା’ର ଗ୍ୟାରେଣ୍ଟି କିଏ ଦେବ?

ଏହି ଯୋଜନାରେ ଶ୍ରମିକମାନେ ଅଧିକ ଲାଭ ପାଇବେ: ରୁଦ୍ର ନାରାୟଣ ପାଣି

ହଠାତ୍ ଆପଣ ମନରେଗା ବିଲ୍‌ର ନାମ ପରିବର୍ତ୍ତନ କରି ‘ଭିବି-ଜି ରାମ୍‌ ଜି’ ବିଲ୍‌ କଲେ କାହିଁକି?
ଖାଲି କ’ଣ ନାମ ପରିବର୍ତ୍ତନ କରିଦେଇ ଆମେ ଜଣଙ୍କୁ ଅସମ୍ମାନ କଲୁ? ସର୍ଦ୍ଦାର ପଟେଲ, ଆମ୍ବେଦକର, ଏପରିକି ‌ଲାଲବାହଦୁର ଶାସ୍ତ୍ରୀଙ୍କର କ’ଣ ଦେଶ ଗଠନରେ କୌଣସି ଭୂମିକା ନାହିଁ? ସେମାନଙ୍କୁ କ’ଣ ସମ୍ମାନ ଦେବା ଜରୁରି ନୁହେଁ? ଏ‌ ଦେଶରେ କ’ଣ ସବୁକିଛି ଗାନ୍ଧୀ ଓ ନେହରୁ କରିଦେଇଛନ୍ତି? ଆମେ ମହାତ୍ମା ଗାନ୍ଧୀ ଓ ନେହରୁଙ୍କୁ ମଧ୍ୟ ଯଥେଷ୍ଟ ସମ୍ମାନ ଦେଉ। ଏହାର ପ୍ରମାଣ ଦେଖାଇବାର ଆବଶ୍ୟକତା ନାହିଁ। ମୁଁ ପ୍ରଶ୍ନ କରୁଛି, ପ୍ରଥମେ ଯେତେବେଳେ ଏନ୍.ଆର୍.ଇ.ଜି.ଏ. ୨୦୦୫ରେ ପାରିତ ହୋଇଥିଲା ତା’ର ନାମ ପରିବର୍ତ୍ତନ କରି ୨୦୦୯ରେ ମନରେଗା କାହିଁକି କରାଗଲା? ୨୦୦୯ରେ ତତ୍‌କାଳୀନ କେନ୍ଦ୍ର ସରକାରଙ୍କୁ ଏହି ଯୋଜନାରେ ହଠାତ୍ କାହିଁକି ମହାତ୍ମା ଗାନ୍ଧୀଙ୍କ ନାମ ଯୋଡ଼ିବାର ଆବଶ୍ୟକତା ପଡ଼ିଲା? ଆମେ ଗାନ୍ଧୀଙ୍କୁ ଭଲପାଉ, ସମ୍ମାନ ଦେଉ, କିନ୍ତୁ ତାଙ୍କ ନାମରେ ରାଜନୀତି ଓ ପରିବାରବାଦକୁ ନାପସନ୍ଦ କରୁ।

ଏହି ଯୋଜନାରେ ୧୨୫ ଦିନର ନିଶ୍ଚିତ କର୍ମନିଯୁକ୍ତି, ପଞ୍ଚାୟତସ୍ତରରେ କ୍ଷମତା ଅପସାରଣ ଓ ରାଜ୍ୟ ପ୍ରତି ପକ୍ଷପାତିତା ନୀତି ଅବଲମ୍ବନ କରାଯାଉଛି ବୋଲି ଅଭିଯୋଗ ହେଉଛି। ଏହାକୁ ନେଇ ଆପଣଙ୍କ ମତ‌ କ’ଣ?
ଏଥି‌େର ଥିବା ଭଲ କଥାଗୁଡ଼ିକୁ ବିରୋଧୀ ଦଳ ତର୍ଜମା କରିବାକୁ ପ୍ରସ୍ତୁତ ନୁହନ୍ତି। ୧୨୫ ଦିନ ଅଧିକ କର୍ମନିଯୁକ୍ତି ବୃଦ୍ଧି କରାଯାଇଛି। ଆମେ ୧୨୫ ଦିନ କାମ ଯୋଗାଇ ପାରୁଛୁ ନା, ନାହିଁ ପ୍ରଥମେ ତାହାକୁ ଅନୁଧ୍ୟାନ କରାଯାଉ। ନଈ ନ ଦେଖୁଣୁ ଲଙ୍ଗଳା ହେବା ନ୍ୟାୟରେ ବିରୋଧୀ ଏତେ ଉଚ୍ଛନ୍ନ ହୋଇପଡୁଛନ୍ତି କାହିଁକି? ପୁନଶ୍ଚ, ‘ଭିବି-ଜି ରାମ୍‌ ଜି’ ଯୋଜନାରେ ଆମେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ୧୫ ଦିନ ମଧ୍ୟରେ ଅର୍ଥ ଦେବାର ବ୍ୟବସ୍ଥା ନିଶ୍ଚିତ କରିଛୁ। ମନରେଗାରେ ତିନି ମାସ ମଧ୍ୟରେ ଏହି ଅର୍ଥ ପ୍ରଦାନ କରାଯାଉଥିଲା। ଏନ୍‌ଡିଏର ସମସ୍ତ ସହଯୋଗୀ ଦଳ ଏହାକୁ ସମର୍ଥନ କରୁଛନ୍ତି। ଏହାକୁ ନେଇ କୌଣସି ମତଭେଦ ନାହିଁ। ଯଦି ମତଭେଦ ଥାଆନ୍ତା ତେବେ ସଂସଦର ଉଭୟ ଗୃହରେ ଏହି ବିଲ୍ ପାରିତ ହେଲା କିପରି?

ଯେଉଁ ୬୦-୪୦ ବ୍ୟବସ୍ଥା ଅର୍ଥାତ୍ କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ୪୦ ପ୍ରତିଶତ ଅର୍ଥ ଦେବା କଥା ବିଲ୍‌ରେ ଉଲ୍ଲେଖ ରହିଛି ତାହାଦ୍ବାରା ରାଜ୍ୟର ଉତ୍ତରଦାୟିତ୍ବ ବଢ଼ିବ ଏବଂ ରାଜ୍ୟ ହାତରେ କାର୍ଯ୍ୟ ପରିଚାଳନାର ନିୟନ୍ତ୍ରଣ ରହିବ। ଏହି ଯୋଜନାରେ ଶ୍ରମିକମାନେ ଅଧିକ ଲାଭ ପାଇବେ। ରାଜ୍ୟ ‌େଯଉଁ ୪୦ ପ୍ରତିଶତ ଅର୍ଥ ଦେଉଛି ସେଥିରୁ ଶ୍ରମିକମାନଙ୍କୁ ବେକାରି ଭତ୍ତା ମିଳିବ ଏବଂ କେନ୍ଦ୍ର ଶତପ୍ରତିଶତ ମଜୁରି ଦେବ। ରାଜ୍ୟ କର୍ମନିଯୁକ୍ତି ଯୋଗାଇବାକୁ ବାଧ୍ୟ ହେବ। ଆଗରୁ ଗ୍ରାମ ପଞ୍ଚାୟତ ସ୍ତରରେ କୌଣସି ଯୋଜନା ନ କରି ଓ ଉତ୍ତରଦାୟିତ୍ବ ନ ଥ‌ାଇ ମନଇଚ୍ଛା କାର୍ଯ୍ୟ କରାଯାଉଥିଲା। ଏହାଦ୍ବାରା ଦୁର୍ନୀତି ବୃଦ୍ଧି ପାଇଥିଲା ବୋଲି ସମସ୍ତେ ଜାଣିଛନ୍ତି। ମନରେଗା ଦୁର୍ନୀତି ଦେଶରେ ତମ୍ବିତୋଫାନ ସୃଷ୍ଟି କରିଥିଲା। କିନ୍ତୁ ‘ଭିବି-ଜି ରାମ୍‌ ଜି’ କାର୍ଯ୍ୟକ୍ରମ ଦ୍ବାରା ଦୁର୍ନୀତି ହ୍ରାସ ପାଇବ ଏବଂ କାର୍ଯ୍ୟକ୍ରମ ସୁପରିଚାଳିତ ହେବ। ଯେଉଁମାନେ କହୁଛନ୍ତି ପଞ୍ଚାୟତସ୍ତରରେ କ‌ାର୍ଯ୍ୟ ପରିଚାଳନା ହେବନାହିଁ ଓ କ୍ଷମତା କାଢ଼ି ନିଆଯିବ, ତାହା ମିଥ୍ୟା ପ୍ରଚାର। ମୋଦୀଙ୍କର ମନ୍ତ୍ର ହେଉଛି ‘ସବ୍‌କା ସାଥ୍ ସବ୍‌କା ବିକାଶ’।‌ ସେହି ଦୃଷ୍ଟିରୁ ଆର୍ଥିକ ଅନଗ୍ରସର ଓ ପଛୁଆ ରାଜ୍ୟକୁ ମଧ୍ୟ ବିକଶିତ କରିବା ଦାୟିତ୍ବ କେନ୍ଦ୍ରର। କାହାର ପକ୍ଷପାତିତା କରିବା କେନ୍ଦ୍ର ସରକାରଙ୍କ ନୀତି ନୁହେଁ।

କେନ୍ଦ୍ର ଓ ରାଜ୍ୟ‌େର ଡବଲ୍‌ ଇଞ୍ଜିନ୍‌ ସରକାର ଥିବା ବେଳେ ଓଡ଼ିଶାକୁ ଆର୍ଥିକ ପ୍ରାବଧାନ ହ୍ରାସ ପାଉଛି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି। ଏହାକୁ ନେଇ କ’ଣ କହିବେ?
ଆପଣମାନେ ତଥ୍ୟପ୍ରମାଣ ଆଧାରରେ ଟିକିଏ ଦେଖନ୍ତୁ । ଉପା-ସରକାର ସମୟରେ ଓଡ଼ିଶାକୁ କେତେ ଟଙ୍କା ମିଳୁଥିଲା ଏବଂ ବିଜେପିର ଏନ୍‌ଡିଏ ସରକାର ସମୟରେ କେତେ ଅର୍ଥ ମିଳିଛି। ମୋଦୀ ସରକାର ଦେଇଥିବା ଅର୍ଥକୁ ନବୀନ ପଟ୍ଟନାୟକ ସରକାର ଖର୍ଚ୍ଚ କରି ନ ପାରିବାରୁ ଫେରି ଆସିଥିଲା। ବିଜେପି ପରିଚାଳିତ ଏନ୍‌ଡିଏ ସରକାର କେବେ ମଧ୍ୟ ଓଡ଼ିଶା ପାଇଁ  ଅର୍ଥ ଯୋଗାଣ ହ୍ରାସ କରିନାହାନ୍ତି। ଖାଲି ଅର୍ଥ ମିଳୁନି ମିଳୁନି ବୋଲି କହିଲେ କ’ଣ ହେବ? ତଥ୍ୟପ୍ରମାଣ ଆଧାରରେ ଏସବୁକୁ ପ୍ରକାଶ କରାଯାଉ। ରେଲ‌୍‌ୱେ ବିକାଶ ପାଇଁ ଏବଂ ଓଡ଼ିଶାର ଜନସାଧାରଣଙ୍କର ପ୍ରଗତି ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ଯେଉଁଭଳି ଅର୍ଥ ଯୋଗାଇ ଦେଉଛନ୍ତି ସେଥିରେ କୌଣସି ଅଭାବ ନାହିଁ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button