ଦେଶ ବିଦେଶବାଣିଜ୍ୟ

LPG: ଏପ୍ରିଲରେ ଏଲ୍‌ପିଜି ବ୍ୟବହାର ୧୬ ପ୍ରତିଶତ କମିଲା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଓ ହର୍ମୁଜ ପ୍ରଣାଳୀ ବନ୍ଦ ପାଇଁ ଦେଶକୁ ଏଲ୍‌ପିଜି ଆସିବାରେ ଅସୁବିଧା ସୃଷ୍ଟି ହୋଇଛି। ଏଥିପାଇଁ ଦେଶରେ ଉଭୟ ଘରୋଇ ଓ ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି। ଫଳରେ ଏପ୍ରିଲରେ ଦେଶରେ ଏଲ୍‌ପିଜି ବ୍ୟବହାର ୧୬.୧୬ ପ୍ରତିଶତ କମିଯାଇଛି। ସୂଚନା ଅନୁଯାୟୀ, ଏପ୍ରିଲରେ ୨.୨ ନିୟୁତ ଟନ୍‌ ଏଲ୍‌ପିଜି ବ୍ୟବହାର ହୋଇଛି। ୨୦୨୫ ଏପ୍ରିଲ ତୁଳନାରେ ଏହା ୧୬.୧୬ ପ୍ରତିଶତ କମ୍‌। ଚଳିତବର୍ଷ ମାର୍ଚ୍ଚରେ ବ୍ୟବହାର ହୋଇଥିବା ୨.୩୭୯ ନିୟୁତ ଟନ ଏଲ୍‌ପିଜି ତୁଳନାରେ ମଧ୍ୟ ଏହା କମ୍‌ ବୋଲି ପେଟ୍ରୋଲିୟମ ମନ୍ତ୍ରାଳୟର ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ୍‌ ଆନାଲିସିସ୍‌ ସେଲ୍‌ (ପିପିଏସି) ତଥ୍ୟରୁ ଜଣାଯାଇଛି।

ଭାରତ ଏହାର ମୋଟ ଏଲ୍‌ପିଜି ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଆମଦାନି କରିଥାଏ। ଏଥିରୁ ଅଧିକାଂଶ ହର୍ମୁଜ ପ୍ରଣାଳୀ ଦେଇ ଆସିଥାଏ। କିନ୍ତୁ ପୃଥିବୀର ଏହି ଗୁରୁତ୍ବପୂର୍ଣ୍ଣ ଜଳମାର୍ଗ ବନ୍ଦ ରହିଛି। ମଧ୍ୟପ୍ରାଚ୍ୟରୁ ଏଲ୍‌ପିଜି ଯୋଗାଣ ହ୍ରାସ ପାଇବା ଫଳରେ ସରକାର ଦେଶରେ ଗ୍ୟାସ ଯୋଗାଣ ଉପରେ କଟକଣା ଲଗାଇଛନ୍ତି। ସହରାଞ୍ଚଳରେ ଘରୋଇ ଏଲ୍‌ପିଜି ଗ୍ରାହକଙ୍କ ପାଇଁ ଗ୍ୟାସ ଡେଲିଭରିର ୨୫ ଦିନ ପରେ ବୁକିଂ ସୁବିଧା ମିଳୁଛି। ଗ୍ରାମାଞ୍ଚଳରେ ଏହି ଅବଧିକୁ ୪୫ ଦିନ କରାଯାଇଛି। ରିଫିଲ୍‌ ବୁକିଂ ଅବଧି ବଢ଼ାଇ ଦେଇ ସରକାର ଗ୍ୟାସର ଚାହିଦା ଓ ଯୋଗାଣ ମଧ୍ୟରେ ନିୟନ୍ତ୍ରଣ ଆଣିବାକୁ ପ୍ରୟାସ କରିଛନ୍ତି। ଏଥିସହିତ ବାଣିଜ୍ୟିକ ଏଲ୍‌ପିଜି ଯୋଗାଣ ଉପରେ କଟକଣା ଲଗାଇ ଦିଆଯାଇଛି। ମାର୍ଚ୍ଚ ମାସରେ ଦେଶରେ ଏଲ୍‌ପିଜି ବ୍ୟବହାର ୧୨.୮ ପ୍ରତିଶତ ହ୍ରାସ ପାଇ ୨.୩୭୯ ନିୟୁତ ଟନ ରହିଥିଲା।

ଏପ୍ରିଲରେ ଏଟିଏଫ୍‌ ବା ବିମାନ ଇନ୍ଧନ ବ୍ୟବହାର ୧.୩୭ ପ୍ରତିଶତ ହ୍ରାସ ପାଇ ୭,୬୧,୦୦୦ ଟନ୍‌ରେ ରହିଛି। ମାର୍ଚ୍ଚ ମାସରେ ଦେଶରେ ଏଟିଏଫ୍‌ ବ୍ୟବହାର ୮,୦୭,୦୦୦ ଟନ ରହିଥିଲା। ତେଣୁ ମାର୍ଚ୍ଚ ତୁଳନାରେ ଏପ୍ରିଲରେ ୪୬ ହଜାର ଟନ କମ୍‌ ଏଟିଏଫ୍‌ ବିକ୍ରି ହୋଇଛି। ଏପ୍ରିଲରେ ଡିଜେଲ ବ୍ୟବହାର ମାତ୍ର ୦.୨୫ ପ୍ରତିଶତ ବୃଦ୍ଧି ଘଟି ୮.୨୮୨ ନିୟୁତ ଟନରେ ରହିଛି। ମାର୍ଚ୍ଚ ମାସରେ ଡିଜେଲ ବ୍ୟବହାର ୮.୧ ପ୍ରତିଶତ ବୃଦ୍ଧି ଘଟି ୮.୭୨୭ ନିୟୁତ ଟନ ରହିଥିଲା। ଏପ୍ରିଲରେ ପେଟ୍ରୋଲ ବିକ୍ରି ୬.୩୬ ପ୍ରତିଶତ ବୃଦ୍ଧି ଘଟି ୩.୬୭ ନିୟୁତ ଟନରେ ରହିଥିଲେ ମଧ୍ୟ ମାର୍ଚ୍ଚରେ ହୋଇଥିବା ୩.୭୮ ନିୟୁତ ଟନ ତୁଳନାରେ ଏହା କମ୍‌ ବୋଲି ଜଣାଯାଇଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button