Cyclone: ଆନ୍ଧ୍ର ଉପକୂଳମୁହାଁ ବାତ୍ୟା ‘ଅର୍ଣ୍ଣବ’: ୪ ରାଜ୍ୟ ସହ ପୁଡୁଚେରୀକୁ ସତର୍କତା
ବଙ୍ଗୋପସାଗରରେ ଘନୀଭୂତ ହୋଇ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀକୁ ସତର୍କ କରାଇଛନ୍ତି।

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଘନୀଭୂତ ହୋଇ ବାତ୍ୟା ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମାଡ଼ି ଆସୁଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋମବାର ଆନ୍ଧ୍ରପ୍ରଦେଶ, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ଼ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀକୁ ସତର୍କ କରାଇଛନ୍ତି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)ର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୨୮ ତାରିଖ ପୂର୍ବାହ୍ଣରେ ଏହା ଆନ୍ଧ୍ରପ୍ରଦେଶ ଓ ୟାନମ୍ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ଏହି ସମୟରେ ବାତ୍ୟା ପ୍ରଭାବରେ ପ୍ରବଳ ପବନ ସହ ବର୍ଷା ହେବା ଆଶଙ୍କା ରହିଛି।
ସୋମବାର ସକାଳ ୫ଟା ୩୦ ମିନିଟ୍ରେ ବାତ୍ୟା ପୂର୍ବ-ମଧ୍ୟ ଓ ସଂଲଗ୍ନ ପଶ୍ଚିମ-ମଧ୍ୟ ବଙ୍ଗୋପସାଗର ଉପରେ ରହିଥିଲା। ଏହା ବିଶାଖାପାଟଣାଠାରୁ ପ୍ରାୟ ୬୫୦ କିଲୋମିଟର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଥିଲା। ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଏହା ପଶ୍ଚିମ ଦିଗକୁ ଗତି କରୁଥିଲା। ସୋମବାର ମଧ୍ୟରାତ୍ରି ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବା ସହ ମଙ୍ଗଳବାର ଆହୁରି ଶକ୍ତିଶାଳୀ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି। ଆଇଏମ୍ଡି ଅନୁଯାୟୀ, ବାତ୍ୟା ଆନ୍ଧ୍ରପ୍ରଦେଶର ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଉପକୂଳ ଦେଇ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ। ଝଟକା ପବନର ବେଗ ୧୪୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ରହିଛି। ସମୁଦ୍ର ମଧ୍ୟ ଅଶାନ୍ତ ରହିବା ସହ ଉପକୂଳର ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ।
ସୌଜନ୍ୟ ସମ୍ବାଦ




