Madras High Court: ଅଭିନେତା ତଥା ରାଜନେତା ବିଜୟଙ୍କ ଉପରେ ୧.୫ କୋଟି ଟଙ୍କାର ଟିକସ ଜରିମାନା କାଏମ ରଖିଲେ ମାଡ୍ରାସ ହାଇକୋର୍ଟ

ନୂଆଦିଲ୍ଲୀ: ୨୦୧୫-୧୬ ଆର୍ଥିକ ବର୍ଷରେ ଆୟ ପ୍ରକାଶ ନ କରିବା ଅଭିଯୋଗରେ ଆୟକର ବିଭାଗ ଅଭିନେତା ତଥା ରାଜନେତା ବିଜୟଙ୍କ ଉପରେ ୧.୫୦ କୋଟି ଟଙ୍କା ଟିକସ ଜରିମାନା ଲାଗୁ କରିଥିଲା। ଆୟକର ବିଭାଗର ଏହି ଆଦେଶକୁ ଚ୍ୟାଲେଞ୍ଜ କରି ବିଜୟ ମାଡ୍ରାସ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶୁକ୍ରବାର ହାଇକୋର୍ଟ ତାଙ୍କ ରିଟ୍ ପିଟିସନ୍ ଖାରଜ କରି ଜରିମାନାକୁ କାଏମ ରଖିଛନ୍ତି।

ଜରିମାନା ଆଦେଶ ବିରୋଧରେ ବିଜୟ ୨୦୨୨ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ

ଏହି ମାମଲା ୧୫ କୋଟି ଟଙ୍କାର ଅତିରିକ୍ତ ଆୟ ସହ ଜଡିତ, ଯାହା ବିଭାଗ ଅନୁଯାୟୀ, ସମ୍ପୃକ୍ତ ଆର୍ଥିକ ବର୍ଷରେ ଅଭିନେତାଙ୍କ ଦ୍ୱାରା ପ୍ରକାଶ କରାଯାଇ ନାହିଁ। ସେପ୍ଟେମ୍ବର ୨୦୧୫ରେ ତାଙ୍କ ବାସଭବନରେ କରାଯାଇଥିବା ଆୟକର ଚଢ଼ଉ ପରେ ଏହି ଜରିମାନା ଲାଗୁ କରାଯାଇଥିଲା। ଜରିମାନା ଆଦେଶ ବିରୋଧରେ ବିଜୟ ୨୦୨୨ରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ମାସରେ ଏହି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିବା ଜଷ୍ଟିସ୍ ସେନ୍ଥିଲକୁମାର ରାମମୂର୍ତ୍ତି ଶୁକ୍ରବାର ରାୟ ଶୁଣାଇଥିଲେ।

କୋର୍ଟ କହିଛନ୍ତି ଯେ ଟିକସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସ୍ ଆୟକର ଆଇନର ଧାରା ୨୬୩ ଅନୁଯାୟୀ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଥିଲା ଏବଂ ଏହା ଜାରି କରିବାରେ କୌଣସି ପ୍ରକ୍ରିୟାଗତ ତ୍ରୁଟି ଦେଖିବାକୁ ମିଳି ନାହିଁ। ଏହାକୁ ଦୃଷ୍ଟିରେ ରଖି କୋର୍ଟ ଆଇନ ଅନୁଯାୟୀ ମାମଲାର ଅନ୍ୟାନ୍ୟ ଦିଗ ଯାଞ୍ଚ କରିବାକୁ ବାରଣ କରିଥିଲେ। ଏହି ଆବେଦନକୁ ଖାରଜ କରି କୋର୍ଟ ବିଜୟଙ୍କୁ ଆୟକର ଆପିଲେଟ୍ ଟ୍ରିବ୍ୟୁନାଲ (ଆଇଟିଏଟି)ର ଦ୍ୱାରସ୍ଥ କରିବାକୁ ଅନୁମତି ଦେଇଛନ୍ତି।

ସୌଜନ୍ୟ ସମ୍ବାଦ