ଜାତୀୟ

Hormuz system: ଅବରୋଧ ଭାଙ୍ଗିପାରିଲାନି, ହର୍ମୁଜ ପ୍ରଣାଳୀ ଫେରିଲା ‘ରିଚ୍ ଷ୍ଟାରି’

ସିଙ୍ଗାପୁର: ସିପିଂ ତଥ୍ୟ ଅନୁଯାୟୀ ଆମେରିକା କଟକଣା ଯୁକ୍ତ ଟ୍ୟାଙ୍କର୍ ‘ରିଚ୍ ଷ୍ଟାରି’ ଦିନକ ତଳେ ଉପସାଗର ଛାଡ଼ି ଥିଲେ ମଧ୍ୟ ଆମେରିକାର ଅବରୋଧ ଭାଙ୍ଗିବାରେ ବିଫଳ ହୋଇ ବୁଧବାର ହର୍ମୁଜ୍ ପ୍ରଣାଳୀକୁ ଫେରି ଆସିଥିଲା। ପାକିସ୍ତାନରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ରବିବାର ଆମେରିକା ରା‌ଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅବରୋଧ କରିବାକୁ ଘୋଷଣା କରିଥିଲେ। ସୋମବାର ସନ୍ଧ୍ୟାଠାରୁ ଏହା ବଳବତ୍ତର ରହିଛି। ଗତ ୨୪ ଘଣ୍ଟାରେ କୌଣସି ଜାହାଜ ଅବରୋଧ ଭାଙ୍ଗି ପାରିନାହିଁ ବୋଲି ଆମେରିକା ସେଣ୍ଟ୍ରାଲ କମାଣ୍ଡ କହିଥିଲା। ଆମେରିକାର ନିର୍ଦ୍ଦେଶ ପରେ ଛଅଟି ଜାହାଜ ଇରାନ ବନ୍ଦରକୁ ପୁନଃ ପ୍ରବେଶ କରିଥିଲା। ମଙ୍ଗଳବାର ଜଳପଥ ଅତିକ୍ରମ କରିବାରେ ୮ଟି ଜାହାଜ ମଧ୍ୟରେ ଚୀନ୍‌ର ଟ୍ୟାଙ୍କର ରହିଥିଲା। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ମଙ୍ଗଳବାର ଓମାନ ଉପସାଗରରେ ଥିବା ଇରାନର ଚାବାହାର ବନ୍ଦରରୁ ବାହାରିବାକୁ ଚେଷ୍ଟା କରୁଥିବା ଦୁଇଟି ତେଲ ଟ୍ୟାଙ୍କରକୁ ଏକ ଆମେରିକୀୟ ବିଧ୍ୱଂସକ ଅଟକାଇଥିଲା।

‘ରିଚ୍‌ ଷ୍ଟାରି’ ଓ ଏହାର ମାଲିକ ସାଂଘାଇ ଜୁଆନରୁନ୍ ସିପିଂ କୋ. ଉପରେ ଆମେରିକା ଇରାନ ସହିତ କାରବାର କରିବା ପାଇଁ କଟକଣା ଲଗାଇଥିଲା। କେପ୍ଲର ତଥ୍ୟ ଅନୁଯାୟୀ, ରିଚ୍ ଷ୍ଟାରି ହେଉଛି ଏକ ମଧ୍ୟମ ଦୂରଗାମୀ ଟ୍ୟାଙ୍କର୍ ଯାହା ପ୍ରାୟ ୨୫୦,୦୦୦ ବ୍ୟାରେଲ୍ ମିଥାନଲ୍ ବହନ କରୁଛି ଏବଂ ଏହାକୁ ସଂଯୁକ୍ତ ଆରବ ଏମିରେଟ୍ସର ହାମରିୟା ବନ୍ଦରରେ ଲୋଡ୍ କରାଯାଇଥିଲା। ଆମେରିକାର କଟକଣା ଲାଗିଥିବା ଅନ୍ୟ ଏକ ବିଶାଳ ତୈଳ ପରିବହନକାରୀ ଜାହାଜ ‘ଆଲିସିଆ’ ହର୍ମୁଜ ଦେଇ ବୁଧବାର ଉପସାଗରରେ ପ୍ରବେଶ କରିଛି। ଏହି ଖାଲି ଟ୍ୟାଙ୍କରରେ ୨ ନିୟୁତ ବ୍ୟାରେଲ ତୈଳ ପରିବହନ ହୋଇପାରିବ ଓ ଗୁରୁବାର ଏହା ତୈଳ ଭର୍ତ୍ତି କରିବାକୁ ଇରାକ ଅଭିମୁଖେ ଯାଉଛି।

ଏହି ଅବରୋଧ ଜାହାଜ ଚାଳକ, ତୈଳ କମ୍ପାନୀ ଏବଂ ଯୁଦ୍ଧ ବିପଦ ବୀମାକାରୀଙ୍କ ପାଇଁ ଅନିଶ୍ଚିତତା ସୃଷ୍ଟି କରିଛି। ଫେବୃଆରୀ ୨୮ ତାରିଖରେ ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲର ଆକ୍ରମଣ ପୂର୍ବରୁ ପ୍ରତିଦିନ ୧୩୦ ରୁ ଅଧିକ ଜାହାଜ ଏହି ମାର୍ଗ ଦେଇ ଗତି କରୁଥିବାବେଳେ ଏବେ ସେହି ଅନୁପାତ ଖୁବ୍‌ କମ୍‌ ରହିଛି। ତେବେ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୦ ରୁ ଅଧିକ ବାଣିଜ୍ୟିକ ଜାହାଜ ହର୍ମୁଜ୍ ପ୍ରଣାଳୀ ଦେଇ ଗତି କରିଛି। ଦୁଇ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଜଳପଥ ଦେଇ ଗତିରେ ସାମାନ୍ୟ ଉନ୍ନତିର ସଙ୍କେତ ମିଳୁଛି।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button