କିଭ୍: ରୁଷ–ୟୁକ୍ରେନ ଯୁଦ୍ଧ ଏପରି ଏକ ସ୍ଥିତିରେ ପହଞ୍ଚିଛି ଯେଉଁଠାରେ ବିଜ୍ଞାନର କାଳ୍ପନିକ କାହାଣୀ ଏବେ ବାସ୍ତବତାରେ ପରିଣତ ହେବା ପରି ମନେ ହେଉଛି। ଯୁଦ୍ଧ ପଡ଼ିଆରେ ଆଉ ସେନା ବାହିନୀ ରହିବେ ନାହିଁ। ମଣିଷ ବଦଳରେ ରୋବୋଟ୍ ଆଉ ଡ୍ରୋନ୍ ଯୁଦ୍ଧ ଲଢ଼ିବେ। ୱାର ରୁମ୍ରେ ବସି ଯବାନମାନେ ସେଗୁଡ଼ିକୁ ନିୟନ୍ତ୍ରଣ କରିବେ। ଏହା ସ୍ବପ୍ନ ଭଳି ଲାଗୁଥିଲେ ମଧ୍ୟ ଆଗାମୀ ଦିନରେ ସତ୍ୟରେ ପରିଣତ ହେବାକୁ ଯାଉଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ପ୍ରକାଶ କରିଛନ୍ତି, ତାଙ୍କ ସେନାର ଗ୍ରାଉଣ୍ଡ ରୋବୋଟିକ୍ ସିଷ୍ଟମ ଏବଂ ଡ୍ରୋନ୍ ଏକ ରୁଷ ସାମରିକ ଘାଟି କବଜା କରିଛି। ଆଶ୍ଚର୍ଯ୍ୟର କଥା,ଏହି ସମ୍ପୂର୍ଣ୍ଣ ସାମରିକ ଅପରେସନରେ ଜଣେ ବି ୟୁକ୍ରେନୀୟ ସୈନିକ ସାମିଲ ନଥିଲେ। ଶତ୍ରୁ ସୈନିକମାନେ ରୋବୋଟ୍ ସମ୍ମୁଖରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଥିଲେ । ଏହା ବିଶ୍ୱର କୌଣସି ଯୁଦ୍ଧରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ତେବେ ଏହି ଅପରେସନ କେଉଁଠାରେ କରାଯାଇଥିଲା ତାହା ଜେଲେନସ୍କି ପ୍ରକାଶ କରି ନାହାନ୍ତି।
ଯଦି ଜେଲେନସ୍କିଙ୍କ ଦାବି ସମ୍ପୂର୍ଣ୍ଣ ସଠିକ୍ ହୁଏ, ତେବେ ଏହା ଭବିଷ୍ୟତର ଯୁଦ୍ଧର ଏକ ଜୀବନ୍ତ ଉଦାହରଣ ହୋଇପାରେ। ଜେଲେନସ୍କିଙ୍କ ପରାମର୍ଶଦାତା ଆଲେକଜାଣ୍ଡାର କାମିସିନଙ୍କ ଅନୁସାରେ, ମାନବହୀନ ଯାନ ଭବିଷ୍ୟତରେ ଯୁଦ୍ଧର ସମଗ୍ର ଦୃଶ୍ୟପଟକୁ ପରିବର୍ତ୍ତନ କରିବାକୁ ସକ୍ଷମ ହେବେ। ଏହି ସଫଳତା ଆଧାରରେ ୟୁକ୍ରେନର ପଦାତିକ ବାହିନୀର ୩୦ ପ୍ରତିଶତକୁ ରୋବୋଟ୍ ଦ୍ୱାରା ବଦଳାଯିବା ପାଇଁ ଯୋଜନା କରାଯାଉଛି। ରାଷ୍ଟ୍ରପତି ଜେଲେନସ୍କି ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ଅପରେସନଟି ସମ୍ପୂର୍ଣ୍ଣ ଭାବରେ ମାନବ ବିହୀନ ପ୍ଲାଟଫର୍ମ ଦ୍ୱାରା କରାଯାଇଥିଲା। କୌଣସି ୟୁକ୍ରେନୀୟ ସୈନିକଙ୍କ ଜୀବନ ବିପଦରେ ପଡ଼ି ନଥିଲା। କୌଣସି କ୍ଷତି ବିନା ଶତ୍ରୁ ସୈନିକଙ୍କୁ ବନ୍ଦୀ କରାଯାଇଥିଲା। ଜେଲେନସ୍କିଙ୍କ ଅନୁଯାୟୀ, ୟୁକ୍ରେନର ରୋବୋଟିକ୍ ସିଷ୍ଟମ ରିଟେଲ୍ ଟର୍ମିଟ୍, ଆର୍ଡାଲ, ଏବଂ ଜାମି ଗତ ତିନି ମାସରେ ୨୨ ହଜାରରୁ ଅଧିକ ମିଶନ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ଜଣେ ସୈନିକଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳକୁ ଯିବାକୁ ପଡୁଥିଲା, ମାତ୍ର ଏବେ ରୋବୋଟ୍ ପଠାଯାଉଛି। ଫଳରେ ହଜାର ହଜାର ୟୁକ୍ରେନୀୟ ସୈନିକଙ୍କ ଜୀବନ ବଞ୍ଚୁଛି।
ସୌଜନ୍ୟ ସମ୍ବାଦ

