ୱାସିଂଟନ: ପାକିସ୍ତାନରେ ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆମେରିକା ହର୍ମୁଜ ପ୍ରଣାଳୀ ଓ ଇରାନ ବନ୍ଦରଗୁଡ଼ିକୁ ଅବରୋଧ କରିବାକୁ ନିଷ୍ପତ୍ତି ନେଇଥିଲା। ଇତିମଧ୍ୟରେ ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ବଡ଼ ବୁଝାମଣା କରିବାକୁ ଚାହୁଛନ୍ତି। ଶାନ୍ତି ଆଲୋଚନା ପୁଣି ଥରେ ଆରମ୍ଭ ହେବା ପରେ ଇରାନ ସହିତ ବ୍ୟାପକ ଚୁକ୍ତି କରିବାକୁ ଲକ୍ଷ୍ୟ ରଖାଯାଇଛି। ଜର୍ଜିଆଠାରେ ଏକ ସମ୍ମିଳନୀରେ ଭାନ୍ସ କହିଛନ୍ତି, ଇରାନ ଯଦି ପରମାଣୁ ଅସ୍ତ୍ର ଅଧିଗ୍ରହଣ କରିବ ନାହିଁ ତେବେ ଆମେରିକା ଏହାସହିତ ଅର୍ଥନୈତିକ ସମ୍ପର୍କ ବୃଦ୍ଧି କରିବ। ଏବେ ୬ ରୁ ୭ ଦିନ ହେଲା ଯୁଦ୍ଧବିରତି ଜାରି ରହିଛି। ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି ଭାନ୍ସ କହିଛନ୍ତି।
‘ଟର୍ଣ୍ଣଂ ପଏଣ୍ଟ’ କାର୍ଯ୍ୟକ୍ରମ ଅବସରରେ ଖବର ସରବରାହ ସଂସ୍ଥା ରଏଟର୍ସକୁ ଆମେରିକା ଉପରାଷ୍ଟ୍ରପତି କହିଛନ୍ତି ଯେ, ୱାସିଂଟନ ଓ ତେହେରାନ ମଧ୍ୟରେ ଗଭୀର ଅବିଶ୍ୱାସ ରହିଛି, ଯାହାକି ଶାନ୍ତି ଆଲୋଚନା ପାଇଁ ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଛି। ଏହାର ଶୀଘ୍ର ସମାଧାନ କରାଯାଇପାରିବ ନାହିଁ। ସେ କହିଛନ୍ତି ଯେ, ଇରାନର ଆଲୋଚନାକାରୀମାନେ ଚୁକ୍ତି କରିବାକୁ ଚାହାନ୍ତି। ତେଣୁ ଯୁଦ୍ଧ ସମାପ୍ତ କରିବା ପାଇଁ ପାକିସ୍ତାନ ଦ୍ୱାରା ଆୟୋଜିତ ଶାନ୍ତି ଆଲୋଚନା ପୁଣି ଥରେ ଆରମ୍ଭ ହୋଇପାରେ ବୋଲି ଭାନ୍ସ ସଙ୍କେତ ଦେଇଛନ୍ତି। ପାକିସ୍ତାନରେ ୨୧ ଘଣ୍ଟା ଧରି ଶାନ୍ତି ଆଲୋଚନା ହୋଇଥିଲେ ମଧ୍ୟ ଏହା ଫେଲ୍ ମାରିଥିଲା। ଖୁବ୍ଶୀଘ୍ର ପାକିସ୍ତାନରେ ପୁଣି ଥତରେ ଶାନ୍ତି ଆଲୋଚନା ଆରମ୍ଭ ହେବ।
ଅନ୍ୟପକ୍ଷରେ ଆମେରିକା ଇରାନର ବନ୍ଦରଗୁଡ଼ିକରେ ପ୍ରବେଶ ଏବଂ ପ୍ରସ୍ଥାନ କରୁଥିବା ସାମୁଦ୍ରିକ ପରିବହନ ଉପରେ ସମ୍ପୂର୍ଣ୍ଣ ନୌସେନା ଅବରୋଧ କରିଛି। ଆମେରିକା ସାମରିକ କମାଣ୍ଡ କହିଛି ଯେ, ଇରାନ ସହିତ ଜଡିତ ସାମୁଦ୍ରିକ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଏହି କଟକଣାର ଲକ୍ଷ୍ୟ। ତେବେ ଇରାନ ବନ୍ଦର ସହିତ ଜଡିତ ନଥିବା ଜାହାଜଗୁଡ଼ିକ ନିର୍ଦ୍ଧାରିତ ମାର୍ଗରେ ଯାତ୍ରା କରୁଛନ୍ତି। ଇରାନ ଉପରେ ଆର୍ଥିକ ଚାପ ସୃଷ୍ଟି କରିବାକୁ ତେହେରାନର ତୈଳ ରପ୍ତାନି ମାର୍ଗଗୁଡ଼ିକୁ ବନ୍ଦ କରାଯାଇଛି। ଇରାନ ବନ୍ଦରଗୁଡ଼ିକରେ ଅନ୍ୟ ଜାହାଜର ପ୍ରବେଶ ନିରୀକ୍ଷଣ ଏବଂ ନିୟନ୍ତ୍ରଣ କରିବା ପାଇଁ ଆମେରିକା ନୌସେନା ନିୟୋଜିତ କରାଯାଇଛି। ରିପୋର୍ଟ ଅନୁଯାୟୀ ଆମେରିକା ଏହାର ଯୁଦ୍ଧ ବିମାନ ବାହକ ଜାହାଜ ମୁତୟନ କରିଥିବାବେଳେ ଇରାନ କହିଛି ଯେ, ହର୍ମୁଜ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବେ ଏହାର ନିୟନ୍ତ୍ରଣରେ ରହିଛି। ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ ବିଶ୍ୱ ବାଣିଜ୍ୟ ମାର୍ଗ, ତୈଳ ଯୋଗାଣ ଶୃଙ୍ଖଳା ଏବଂ ଶକ୍ତି ବଜାର ଉପରେ ସମ୍ଭାବ୍ୟ ପ୍ରଭାବ ପକାଇବା ସହିତ ଚିନ୍ତା ସୃଷ୍ଟି କରିଛି।
ସୌଜନ୍ୟ ସମ୍ବାଦ

