ଢାକା: ପଶ୍ଚିମବଙ୍ଗରେ ବିଜେପିର ସୁନାମିରେ ଟିଏମସି ଭାସିଯାଇଛି। ଏକ ବଡ଼ ପରାଜୟ ବରଣ କରିଛି ଟିଏମସି। ଏହି ପରାଜୟ ପରେ, ମମତା ବାନାର୍ଜୀ ଏକ ବିବୃତି ଜାରି କରି କହିଛନ୍ତି, ମୁଁ ହାରିନାହିଁ ଏବଂ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି ନାହିଁ। ଏନେଇ ତାଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି। ଟିଏମସିର ପରାଜୟ ରାଜ୍ୟରେ ଅଶାନ୍ତି ସୃଷ୍ଟି କରିଛି। ଏହି ସମୟରେ, ବାଂଲାଦେଶୀ ନେତା ମହମ୍ମଦ ନୁରୁଲ ହୁଦା ମମତା ବାନାର୍ଜୀଙ୍କ ସମର୍ଥନରେ ଏକ ଉତ୍ତେଜନାପୂର୍ଣ୍ଣ ବିବୃତି ଜାରି କରିଛନ୍ତି। ସେ ମମତାଙ୍କୁ ଭାରତରୁ ପଶ୍ଚିମବଙ୍ଗକୁ ସ୍ୱାଧୀନ ଘୋଷଣା କରିବାକୁ ଆହ୍ୱାନ ଦେଇ ଉସୁକାଇ ନିଜର ଔଦ୍ଧତ୍ୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଦିଲ୍ଲୀ ବିରୋଧରେ ଯୁଦ୍ଧ ଘୋଷଣା କରନ୍ତୁ। ୧୭ କୋଟି ବାଂଲାଦେଶୀ ମୁସଲମାନ ସମର୍ଥନ କରିବେ।
ଏହା ବ୍ୟତୀତ, ଜମାତ୍-ଏ-ଇସଲାମି ହିନ୍ଦ୍ର ଉପାଧ୍ୟକ୍ଷ ମହମ୍ମଦ ସଲିମ ଇଞ୍ଜିନିୟର ମମତା ବାନାର୍ଜୀଙ୍କ ଇସ୍ତଫା ଦେବାକୁ ମନା କରିବା ଉପରେ କହିଛନ୍ତି, ହଁ, ଏହା ତାଙ୍କର ରାଜନୈତିକ ଦୃଷ୍ଟିକୋଣ, ଏବଂ ଏହା ସୂଚାଇ ଦେଉଛି ଯେ, ଏହି ଜନାଦେଶ ପ୍ରକୃତ ଜନାଦେଶ ନୁହେଁ। ଏହା ନିର୍ବାଚନ କମିସନଙ୍କ ମାଧ୍ୟମରେ ସାଧାରଣ ଜନତାଙ୍କ ଜନାଦେଶ ନୁହେଁ। ଏହି ବାର୍ତ୍ତା ହୁଏତ ସେ ଦେବାକୁ ଚାହୁଁଛନ୍ତି। ଆମେ ଏହା ମଧ୍ୟ ବୁଝିପାରୁଛୁ ଯେ, ଫଳାଫଳ ପ୍ରକୃତରେ ଜନସାଧାରଣଙ୍କ ମତାମତକୁ ପ୍ରତିନିଧିତ୍ୱ କରୁ ନାହିଁ, ଏବଂ ଏଥିରେ ବ୍ୟାପକ ହେରଫେର୍ କରାଯାଇ ଫଳାଫଳକୁ ପରିବର୍ତ୍ତନ କରାଯାଇଛି। କିନ୍ତୁ ଏହା ସ୍ପଷ୍ଟ ଯେ, କେହି ଇସ୍ତଫା ଦେଲେ କିମ୍ବା ନଦେଲେ ପ୍ରକ୍ରିୟା ବନ୍ଦ ହେବ ନାହିଁ। ଏକ ସରକାର ଗଠନ ହେବ, ଏବଂ ଏଥିପାଇଁ ସମସ୍ତ ବ୍ୟବସ୍ଥା ଅଛି।
ବ୍ୟାପକ ହେରଫେର୍ କରାଯାଇ ଫଳାଫଳକୁ ପରିବର୍ତ୍ତନ କରାଯାଇଛି: ମମତା
ବିଧାନସଭା ନିର୍ବାଚନରେ ପରାଜୟ ପରେ, ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ପରାଜୟ ପାଇଁ ନିର୍ବାଚନ କମିସନଙ୍କୁ ଦାୟୀ କରିଥିଲେ। ସେ ଏହା ମଧ୍ୟ କହିଥିଲେ, ମୁଁ ହାରିନାହିଁ, ଏବଂ ମୁଁ ଇସ୍ତଫା ଦେବି ନାହିଁ। ସେ ବିଜେପି ଉପରେ ୧୦୦ ଆସନ ଚୋରି କରିବାର ଅଭିଯୋଗ ମଧ୍ୟ କରିଥିଲେ। ମମତା ବାନାର୍ଜୀ ନିର୍ବାଚନ କମିସନଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ।
ସୌଜନ୍ୟ ସମ୍ବାଦ

