Sattvik: ଥମାସ କପ୍‌ କାଂସ୍ୟ ବିଜୟ ପରେ ସାତ୍ତ୍ବିକଙ୍କ କ୍ଷୋଭ: ଖେଳାଳିଠାରୁ ଇନଷ୍ଟା ମଡେଲ୍‌ଙ୍କୁ ଅଧିକ ଗୁରୁତ୍ବ

ନୂଆଦିଲ୍ଲୀ: ଚାଇନିଜ୍‌ ତାଇପେଇକୁ ପରାସ୍ତ କରି ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଦଳ ସମ୍ମାନଜନକ ଥମାସ କପ୍‌ରେ କାଂସ୍ୟ ପଦକ ଜିତିଛି। ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବ୍ୟାଡ୍‌ମିଣ୍ଟନ୍‌ ଦୁନିଆରେ ଭାରତୀୟ ଖେଳାଳିଙ୍କ ଏହି ସଫଳତା କୌଣସି ବଡ଼ ମାଇଲ୍‌ଖୁଣ୍ଟଠାରୁ କିଛି କମ୍‌ ନୁହେଁ। ବଡ଼ କଥା ହେଲା ଏହି ପ୍ରତିଯୋଗିତା‌ର ତିନିଟି ସଂସ୍କରଣରେ ଭାରତ ଦୁଇଟି ପଦକ ଜିତିଛି। ଶେଷ ଥର ଲାଗି ଭାରତୀୟ ଦଳ ୨୦୨୨ ମସିହାରେ ପ୍ରଥମ ଥର ଏଥିରେ ପଦକ ଜିତିବାର ଗୌରବ ଅର୍ଜନ କରିଥିଲା। ତଥାପି ଏହି ପଦକ ବିଜୟ ଲାଗି ଭାରତୀୟ ଦଳକୁ ଯେତିକି ସମ୍ମାନ, ପ୍ରତିଷ୍ଠା, ଲୋକପ୍ରିୟତା ଓ ଭଲ ପାଇବା ମିଳିବା କଥା ସେତିକି ମିଳୁନି। ଯାହା ଭାରତୀୟ ଦଳର ଏହି ଐତିହାସିକ ବିଜୟର ପ୍ରମୁଖ ସାରଥି ସାତ୍ତ୍ବିକ ସାଇରାଜ ରାଙ୍କିରେଡ୍ଡୀଙ୍କୁ କ୍ଷୁବ୍ଧ କରିଛି। ଏଭଳି ଏକ ସଫଳତା ପାଇବା ସତ୍ତ୍ବେ ଦେଶରେ ତାଙ୍କ ଭଳି ଖେଳାଳିଙ୍କର କୌଣସି ସମ୍ମାନ ନାହିଁ।

ଇନ୍‌ଷ୍ଟାଗ୍ରାମ୍‌ ମଡେଲଙ୍କୁ ଖେଳାଳିଙ୍କଠାରୁ ଅଧିକ ଗୁରୁତ୍ବ

ଏପରିକି ଭାରତରେ ଇନ୍‌ଷ୍ଟାଗ୍ରାମ୍‌ ମଡେଲଙ୍କୁ ଖେଳାଳିଙ୍କଠାରୁ ଅଧିକ ଗୁରୁତ୍ବ ମିଳେ ବୋଲି ହତାଶା, ଦୁଃଖ ଓ ଘୋର ଅସନ୍ତୋଷର ସହ ସେ କହିଛନ୍ତି। ପଦକ ନେଇ ଭାରତ ଫେରିବା ପରେ ନିଜ ମନର ଯାନ୍ତ୍ରଣାକୁ ସାତ୍ତ୍ବିକ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଭାରତୀୟ ଖେଳାଳି ସ୍ବଦେଶ ଫେରିବା ପରେ କେହି କେମିତି ସେମାନଙ୍କୁ ବାସିରେ ପଚାରି ନଥିଲେ। ସେ ବିଷୟରେ ଫଟୋ ସହ ପୋଷ୍ଟ କରିଥିଲେ। ଏହା କରି ସେ ଆମ ଦେଶରେ କିଭଳି କ୍ରୀଡ଼ା ସଫଳତାର କୌଣସି ମହତ୍ତ୍ବ ନାହିଁ ସେ ବିଷୟରେ ନିଜସ୍ବ ଭାବନାକୁ ବ୍ୟକ୍ତ କରିଥିଲେ। ଯାହା କ୍ରୀଡ଼ାପ୍ରେମୀଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଥିଲା। ତାଙ୍କ ଫଟୋ ଓ ଲେଖା ଭାଇରାଲ୍‌ ହେବା ପରେ ଏକ ସାକ୍ଷାତକାରରେ ନିଜ ଯନ୍ତ୍ରଣା ଜର୍ଜରିତ କ୍ରୀଡ଼ା ଯାତ୍ରା ଉପରୁ ପରଦା ଉଠାଇ ସାତ୍ତ୍ବିକ କହିଛନ୍ତି, ମୁଁ ଆଜି ପର୍ଯ୍ୟନ୍ତ କୌଣସି ସରକାରଙ୍କଠାରୁ କିଛି ବି ସମର୍ଥନ ପାଇନି। ମୋ ନିଜ ରାଜ୍ୟ ଆନ୍ଧ୍ରପ୍ରଦେଶରେ ବି ଏକପ୍ରକାର ଆଲୋଡ଼ା। ଏକାକୀ ଲଢ଼ୁଛି ଏବଂ ସବୁକିଛି ନିଜେ ହିଁ କରୁଛି। କେ‌ବେ କେବେ ଏଥିଲାଗି ହତାଶାବୋଧ ଅନୁଭବ ହୁଏ। ହେଲେ କ’ଣ ଆଉ କରିହେବ। ଯେତେବେଳେ ଆମେ ବିମାନବନ୍ଦର ଦେଇ ଯାତ୍ରା କରୁ, କେହି ଜାଣନ୍ତି ନାହିଁ ଯେ ଆମେ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ବୋଲି। ଇମିଗ୍ରେସନ୍‌ କିମ୍ବା ଟିକେଟ ଯାଞ୍ଚ କାଉଣ୍ଟର୍‌ରେ କେହି ଆମକୁ ଜାଣନ୍ତି ନାହିଁ। ଫ୍ଲାଇଟ୍‌ରେ କେହି ଚିହ୍ନନ୍ତିନି। ମୁଁ କେବଳ ଏକ ସରଳ କଥା କହୁଛି। ଆମେ ଟଙ୍କା ପଇସା ଚହୁଁନୁ, କେବଳ କିଛି ଭଲ ପାଇବା, ଯତ୍ନ ଓ ଉତ୍ସାହ ମାଗୁଛୁ। ଏକ ଛୋଟ ଫୁଲତୋଡ଼ା ମଧ୍ୟ ଆମକୁ ଖୁସି କରିଦିଏ। ହେଲେ ଦେଶ ପାଇଁ ଏତେ କିଛି କରିବା ପରେ ମଧ୍ୟ ସେତିକି ଆଶା ପୂରଣ ହେଉନି।

 

 

ସୌଜନ୍ୟ ସମ୍ବାଦ