ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ଚୁକ୍ତିନାମା ହୋଇଥିବା ଖବର ଆସିଛି। ରିପୋର୍ଟ ଅନୁଯାୟୀ, ଉଭୟ ଦେଶ ଆମେରିକୀୟ ନୌସେନା ଅବରୋଧକୁ କମ କରିବାକୁ ଏବଂ ପ୍ରତିବଦଳରେ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ ‘ହର୍ମୁଜ୍ ପ୍ରଣାଳୀ‘କୁ ପର୍ଯ୍ୟାୟକ୍ରମେ ପୁଣି ଖୋଲିବାକୁ ରାଜି ହୋଇଛନ୍ତି। ଆରବୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଗୁରୁବାର ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ଉତ୍ତେଜନା ପରେ ଏହି ଚୁକ୍ତି ହୋଇଛି।
ଆମେରିକା-ଇରାନ ବିବାଦ ଯୋଗୁଁ ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିଦେଇଥିଲା। ଫଳରେ ବିଶ୍ୱ ଶକ୍ତି ଯୋଗାଣ ଉପରେ ଏକ ବଡ଼ ପ୍ରଭାବ ପକାଇଥିଲା। ତେଲ ଏବଂ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ରିପୋର୍ଟରେ କୁହାଯାଇଛି , ଅବରୋଧକୁ କମ୍ କରିବା ଏବଂ ଧୀରେ ଧୀରେ ହର୍ମୁଜ୍ ପ୍ରଣାଳୀକୁ ଖୋଲିବା ପାଇଁ ଏକ ଚୁକ୍ତି ହୋଇଛି। ଆଗାମୀ କିଛି ଘଣ୍ଟା ମଧ୍ୟରେ ଏହି ପ୍ରଣାଳୀରେ ଫସି ରହିଥିବା ଜାହାଜଗୁଡ଼ିକୁ ଯିବାକୁ ଅନୁମତି ଦିଆଯିବ।
ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତି ବିଶ୍ୱ ବଜାର ଏବଂ ସାମୁଦ୍ରିକ ବାଣିଜ୍ୟକୁ ଆଶ୍ୱସ୍ତି ପ୍ରଦାନ କରିପାରିବ। ତେବେ ଏହି ଚୁକ୍ତି ଉପରେ ଆମେରିକା ଏବଂ ଇରାନ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତି ଜାରି କରାଯାଇ ନାହିଁ।
ସୌଜନ୍ୟ ସମ୍ବାଦ

