Man refuses to marry: ଡେଟିଂ ଆପ୍ରୁ ବିବାହ ଲାଗି କାନାଡ଼ାରୁ ରାଜସ୍ଥାନ ଆସିଲେ ମହିଳା, ସତ ଜାଣିବା ପରେ ଯୁବକଙ୍କ ଉଡ଼ିଗଲା ହୋସ୍

ନୂଆଦିଲ୍ଲୀ,୧୭/୧୧; ଡେଟିଂ ଆପ୍ରୁ ଚାଟିଂ ପରେ ହେଲା ପ୍ରେମ। ଏହା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନିଅନ୍ତି । ପ୍ରେମ ପାଇଁ ସାତ ଦରିଆ ପାରି ହୋଇ ଆସନ୍ତି ମହିଳା ଜଣକ । ହେଲେ ମହିଳାଙ୍କୁ ଦେଖିବା ପରେ ଆଉ ସତ ଜାଣିବା ପରେ ଯୁବକଙ୍କର ହୋସ୍ ଉଡିଯାଏ । ଏହା ପରେ ବିବାହ ଭାଙ୍ଗିଯାଏ । ପ୍ରେମ ପାଇଁ ଯାହାଙ୍କୁ ଜୀବନ ସାଥୀ କରିବାକୁ ଆସିଥିଲେ ମହିଳା ସେ ହିଁ ତାଙ୍କ ହାତ ଛାଡି ଦିଅନ୍ତି । ବୟସ ପାଇଁ ମହିଳାଙ୍କୁ ଅପଦସ୍ତ ହେବାକୁ ପଡ଼ିଛି । ଏମିତି କିଛି ଘଟିଛି ରାଜସ୍ଥାନରେ । ଯେଉଁଠି ଜଣେ ମହିଳା ଜୀବନସାଥୀ ଅନ୍ୱେଷଣରେ କାନାଡାରୁ ରାଜସ୍ଥାନ ଆସିଥିଲେ ।
କାନାଡ଼ାର ଜଣେ ମହିଳା ଜୀବନସାଥୀ ଅନ୍ୱେଷଣରେ ଭାରତ ଆସିଲେ । ଏଠି ପହଞ୍ଚିବାର ମାତ୍ର ୨ ଦିନ ମଧ୍ୟରେ ଦୀର୍ଘ ବର୍ଷେ ଧରି ଚାଲିଥିବା ତାଙ୍କ ବିବାହ ଯୋଜନା ଛାରଖାର ହୋଇଗଲା । ୬୧ ବର୍ଷୀୟା ଏହି ମହିଳା ଡେଟିଂ ଆପ୍ରେ ଭେଟିଥିବା ଜଣେ ବ୍ୟକ୍ତିଙ୍କୁ ବିବାହ କରିବାକୁ ଭାରତ ଆସିଥିଲେ । କିନ୍ତୁ ମାତ୍ର ଦୁଇ ଥର ସାକ୍ଷାତ ପରେ ବ୍ୟକ୍ତି ତାଙ୍କ ବୟସ ଜାଣିପାରିଲେ ଏବଂ ବିବାହ କରିବାକୁ ମନା କରିଦେଲେ । ଏହି ପ୍ରତ୍ୟାଖ୍ୟାନ ବିବାଦର ରୂପ ନେଲା, ଯେଉଁଥିପାଇଁ ଶେଷରେ କାନାଡ଼ା ଦୂତାବାସ ଓ ସ୍ଥାନୀୟ ପୁଲିସର ହସ୍ତକ୍ଷେପ ଆବଶ୍ୟକ ହେଲା । ମହିଳା ପ୍ରାୟ ବର୍ଷେ ପୂର୍ବେ ଏକ ଡେଟିଂ ଆପ୍ରେ ନିତିନ ନାମକ ବ୍ୟକ୍ତିଙ୍କ ସହ ପ୍ରଥମ ଥର ଯୋଡ଼ି ହୋଇଥିଲେ । ଉଭୟଙ୍କ ବାର୍ତ୍ତାଳାପ ଧୀରେ ଧୀରେ ସୋସିଆଲ ମିଡିଆକୁ ସ୍ଥାନାନ୍ତର ହେଲା ଏବଂ ଶେଷରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ । ତା’ପରେ ମହିଳା ପର୍ଯ୍ୟଟକ ଭିସାରେ ଭାରତ ଆସିଲେ ଏବଂ ଗତ ୧୧ ତାରିଖ ଦିଲ୍ଲୀରେ ପହଞ୍ଚିଲେ ।
ହରିୟାଣା, ପାନିପତ ବାସିନ୍ଦା ନିତିନ ତାଙ୍କୁ ଆଣିବାକୁ ବିମାନବନ୍ଦରରେ ପହଞ୍ଚିଲେ । ତାଙ୍କୁ ରାଜସ୍ଥାନର କୋଟପୁତଲି ବେହରୋର ଜିଲ୍ଲାର ନୀମରାଣା ସ୍ଥିତ ବିବି ବିଲ୍ଡର୍ସ ସୋସାଇଟିରେ ରହୁଥିବା ମାମୁଁ-ମାଇଁଙ୍କ ଘରକୁ ନେଇଗଲେ । ଦୁହେଁ ସେଠାରେ ପ୍ରାୟ ୨ ଦିନ ରହିଲେ । କିନ୍ତୁ ମହିଳାଙ୍କ ବୟସ ୬୧ ବର୍ଷ ଜାଣିବା ପରେ ନିତିନି ବିବାହ ଯୋଜନାରେ ପୂର୍ଣ୍ଣଚ୍ଛେଦ ପକାଇଲେ । ଏ ବିଷୟରେ ମହିଳାଙ୍କୁ ଜଣାଇବା ପରେ ଉଭୟଙ୍କର ଝଗଡ଼ା ହେଲା । ବିବାଦ ବଢ଼ିବାରୁ ମହିଳା ଗତ ୧୩ ତାରିଖ କାନାଡ଼ା ଦୂତାବାସ ସହ ଯୋଗାଯୋଗ କରି ସବୁ ଜଣାଇଲେ । ଦୂତାବାସ ସ୍ଥାନୀୟ ପୁଲିସକୁ ଜଣାଇବା ପରେ ପୁଲିସ ୧୪ ତାରିଖ ବିବି ବିଲ୍ଡର୍ସ ସୋସାଇଟିରେ ପହଞ୍ଚିଲା । ଅଧିକ ଯାଞ୍ଚ ପାଇଁ ଉଭୟଙ୍କୁ ଥାନାକୁ ନେଲା । ମହିଳାଙ୍କୁ କୋଟପୁତଲି ସ୍ଥିତ ଏକ କେନ୍ଦ୍ରକୁ ନିଆଗଲା । ଏବେ ତାଙ୍କର ସୁରକ୍ଷିତ କାନାଡ଼ା ପ୍ରତ୍ୟାବର୍ତ୍ତନ ପାଇଁ ବ୍ୟବସ୍ଥା କରାଯାଉଛି ।
ସୌଜନ୍ୟ ପ୍ରମେୟ




