Horned Frogs Discovered: ୫ ବର୍ଷର ଗବେଷଣାରୁ ମିଳିଲା ବଡ଼ ସଫଳତା, ହିମାଳୟରେ ଶିଙ୍ଗଯୁକ୍ତ ବେଙ୍ଗର ୫ ନୂଆ ପ୍ରଜାତି

ନୂଆଦିଲ୍ଲୀ ୧୭/୧୧: ବୈଜ୍ଞାନିକମାନେ ଭାରତର ପୂର୍ବ ହିମାଳୟ କ୍ଷେତ୍ରରେ କ୍ଷୁଦ୍ର ଶିଙ୍ଗଯୁକ୍ତ ବେଙ୍ଗର ୫ ନୂଆ ପ୍ରଜାତି ଆବିଷ୍କାର କରିଛନ୍ତି । ଫଳରେ ଉକ୍ତ ସମୂହର ପରିଚିତ ପ୍ରଜାତିଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ହୋଇଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଟିମ୍ ଦୀର୍ଘ ୫ ବର୍ଷର ଅନୁସନ୍ଧାନ ପରେ ଏହି ଆବିଷ୍କାର କରିଛନ୍ତି । ଏହି ପ୍ରଜାତିଙ୍କୁ ଜିଙ୍ଗୋଫ୍ରିସ୍ ସମୂହର ସଦସ୍ୟ ରୂପେ ଚିହ୍ନଟ କରିଛନ୍ତି । ଏମାନଙ୍କ ମଧ୍ୟରେ ଜିଙ୍ଗୋଫ୍ରିସ୍ ଟାନୋଗୋଗୋ ଅନ୍ୟତମ, ଯାହା ଗେଣ୍ଡାଖିଆ ବେଙ୍ଗ ନାମରେ ପରିଚିତ । ଏହା ଗେଣ୍ଡା ଖାଉଥିବା ଭାରତର ପ୍ରଥମ ପରିଚିତ ବେଙ୍ଗ ପ୍ରଜାତି ଏବଂ ଏହି ସମୂହର ପ୍ରଥମ ସଦସ୍ୟ ରୂପେ ରେକର୍ଡରେ ସ୍ଥାନ ପାଇଛି ।
ଅଧ୍ୟୟନ ଦର୍ଶାଇଛି, ବେଙ୍ଗ ବିକାଶରେ ହିମାଳୟ ପୂର୍ବ ଧାରଣା ତୁଳନାରେ ବହୁତ ବଡ଼ ଭୂମିକା ବହନ କରିଛି ଏହାକୁ ଜୈବବିବିଧତାର ଏକ ଅବହେଳିତ ପେଣ୍ଠସ୍ଥଳୀ ଭାବେ ଦର୍ଶାଇଛି । ଉଷ୍ଣମଣ୍ଡଳୀୟ ଜଙ୍ଗଲଠୁ ଆଲ୍ପାଇନ୍ ତୃଣଭୂମି ଯାଏ ବିସ୍ତୃତ ହିମାଳୟ କ୍ଷେତ୍ର ବିଶ୍ୱର ସମୃଦ୍ଧ ଜୈବବିବିଧତାସମ୍ପନ୍ନ କ୍ଷେତ୍ର ଭାବେ ପରିଚିତ । ବୈଜ୍ଞାନିକ ଓ ଅନୁସନ୍ଧାନକାରୀଙ୍କ ରୁଚି ସତ୍ତେ୍ୱ ଏହାର ଅନେକ ଅଞ୍ଚଳକୁ ଅଦ୍ୟାବଧି ପୂର୍ଣ୍ଣ ଅନୁସନ୍ଧାନ କରାଯାଇ ନାହିଁ । ଖାସ୍କରି ଅରୁଣାଚଳ ପ୍ରଦେଶ ଏହାର ଅନ୍ୟତମ ସର୍ବନିମ୍ନ ଅଧ୍ୟୟନ ହୋଇଥିବା କ୍ଷେତ୍ର ।
ମୁଖ୍ୟ ଅଧ୍ୟୟନକର୍ତ୍ତା ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ମ୍ୟୁଜିୟମ୍ ଅଫ୍ କମ୍ପେୟାରେଟିଭ୍ ଜୁଲୋଜିର ଡ. ସୋନାଲି ଗର୍ଗ କହିଛନ୍ତି, କମ୍-ଅଧ୍ୟୟନଯୁକ୍ତ ପ୍ରଜାତିଙ୍କ ମାମଲାରେ ଗୁରୁତ୍ୱପୂର୍ଣ୍ଣ ବିକାଶବାଦୀ ପରିବର୍ତ୍ତନ କିଭଳି ଅଣଦେଖା ହୋଇଯାଏ, ଅଧ୍ୟୟନ ତାହା ଦର୍ଶାଇଛି । ରୟାଲ ସୋସାଇଟି ଓପନ୍ ସାଇନ୍ସ ପତ୍ରିକାରେ ଅଧ୍ୟୟନ ପ୍ରକାଶ ପାଇଛି । ଅଧ୍ୟୟନକର୍ତ୍ତାଙ୍କ ଅନୁସାରେ, କିଛି ନୂଆ ପ୍ରଜାତି ଅତ୍ୟନ୍ତ ଗୁପ୍ତ ଏବଂ କେବଳ କମ୍ ଅବଧିର ପ୍ରଜନନ ଋତୁରେ ସୁଦୂର ଜଙ୍ଗଲରେ ମିଳିଥାନ୍ତି । ସେମାନଙ୍କ ଜୀବବିଜ୍ଞାନ ଓ ସଂରକ୍ଷଣ ସମ୍ବନ୍ଧୀୟ ଆବଶ୍ୟକତାକୁ ବୁଝିବା ପାଇଁ ଅଧିକ ଅଧ୍ୟୟନ ଜରୁରି ବୋଲି ଗବେଷକମାନେ କହିଛନ୍ତି । ଡିଏନ୍ଏ ବିଶ୍ଳେଷଣ ଦର୍ଶାଇଛି, ଲକ୍ଷାଧିକ ବର୍ଷ ଧରି ପର୍ବତ ଶୃଙ୍ଖଳାର ବୃଦ୍ଧି ଓ ଏସୀୟ ମୌସୁମୀ ସୃଷ୍ଟି ହେବା ଯୋଗୁ ପୂର୍ବ ହିମାଳୟ କ୍ଷେତ୍ରରେ ଶିଙ୍ଗଯୁକ୍ତ ବେଙ୍ଗ ଦ୍ରୁତବେଗରେ ବିବିଧ ପ୍ରଜାତିରେ ରୂପାନ୍ତରିତ ହେଲେ । ଏହା ଉକ୍ତ କ୍ଷେତ୍ରର ଉଦ୍ଭିଦ ଓ ବନ୍ୟଜୀବଙ୍କ ବିକାଶକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କଲା ।
ସୌଜନ୍ୟ ପ୍ରମେୟ




