Mann Ki Baat: ମନ୍ କି ବାତ୍ର ୧୨ ବର୍ଷର ଯାତ୍ରାକୁ ତୀର୍ଥଯାତ୍ରା ସହ ତୁଳନା କଲେ ମୋଦୀ
୧୨ ବର୍ଷ ପୂର୍ବେ ବିଜୟାଦଶମୀ ଅବସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେବେଠାରୁ ଏହା ନିରବଚ୍ଛିନ୍ନ ଭାବେ ଚାଲିଆସିଛି। ଏହି ଯାତ୍ରାରେ ଶ୍ରୋତାମାନେ ତାଙ୍କର ସହଯାତ୍ରୀ ଓ ମାର୍ଗଦର୍ଶକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୧୨ ବର୍ଷର ଯାତ୍ରାକୁ ଏକ ତୀର୍ଥଯାତ୍ରା ସହ ତୁଳନା କରିଛନ୍ତି। ଏହି କାର୍ଯ୍ୟକ୍ରମ ଦେଶର ସାଧାରଣ ଲୋକଙ୍କ ପରିଶ୍ରମ, ସାହସ, ସମର୍ପଣ ଓ ସେବା ମନୋଭାବକୁ ନିକଟରୁ ଜାଣିବା ସହ ସେମାନଙ୍କ ଅବଦାନକୁ ସମ୍ମାନ ଜଣାଇବାର ସୁଯୋଗ ଦେଇଛି ବୋଲି ସେ କହିଛନ୍ତି। ରବିବାର ଆକାଶବାଣୀରେ ପ୍ରସାରିତ ‘ମନ୍ କି ବାତ୍’ର ୧୩୯ତମ ସଂସ୍କରଣରେ ମୋଦୀ ଏହି ମତ ଦେଇଛନ୍ତି। ୧୨ ବର୍ଷ ପୂର୍ବେ ବିଜୟାଦଶମୀ ଅବସରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସେବେଠାରୁ ଏହା ନିରବଚ୍ଛିନ୍ନ ଭାବେ ଚାଲିଆସିଛି। ଏହି ଯାତ୍ରାରେ ଶ୍ରୋତାମାନେ ତାଙ୍କର ସହଯାତ୍ରୀ ଓ ମାର୍ଗଦର୍ଶକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ମୋଦୀ କହିଛନ୍ତି, ଭାରତରେ ତୀର୍ଥଯାତ୍ରାର ଏକ ପ୍ରାଚୀନ ପରମ୍ପରା ରହିଛି। ତାଙ୍କ ପାଇଁ ‘ମନ୍ କି ବାତ୍’ ମଧ୍ୟ ଏକ ତୀର୍ଥଯାତ୍ରାଠାରୁ କମ୍ ନୁହେଁ। ଏହା ମାଧ୍ୟମରେ ଦେଶର ବିଭିନ୍ନ ଅଞ୍ଚଳର ଲୋକଙ୍କ ପ୍ରୟାସକୁ ଜାଣିବା ଏବଂ ସେମାନଙ୍କ ଅବଦାନ ପ୍ରତି ସମ୍ମାନ ଜଣାଇବାର ସୁଯୋଗ ମିଳୁଛି। ସମାଜ ଓ ଦେଶ ପାଇଁ ନିଜ ଜୀବନ ଉତ୍ସର୍ଗ କରୁଥିବା ଲୋକମାନେ ନିଜେ ଏକ ତୀର୍ଥସ୍ଥଳୀ ସଦୃଶ ବୋଲି ସେ ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ, ଏହି ୧୨ ବର୍ଷ ମଧ୍ୟରେ ଦେଶର କୋଣ ଅନୁକୋଣରୁ ଅନେକ ବ୍ୟକ୍ତିଙ୍କ ପ୍ରେରଣାଦାୟୀ କାହାଣୀ ସାମ୍ନାକୁ ଆସିଛି। ସମାଜର ଦୃଷ୍ଟି ଆଢ଼ୁଆଳରେ ରହିଯାଉଥିବା ଅନେକ ଲୋକ ନିଜର ଅସାଧାରଣ କାର୍ଯ୍ୟ ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣୁଛନ୍ତି। ‘ମନ୍ କି ବାତ୍’ ସେମାନଙ୍କ କାର୍ଯ୍ୟକୁ ଦେଶବାସୀଙ୍କ ସାମ୍ନାକୁ ଆଣିବାରେ ସହାୟକ ହୋଇଛି।
ସୌଜନ୍ୟ ସମ୍ବାଦ




