ଦେଶ ବିଦେଶ

Missing Pet Parrot: ନିଖୋଜ ଶୁଆ ପାଇଁ ୫୦ ହଜାର ପୁରସ୍କାର, ମିଠୁକୁ ଖୋଜିବା ପାଇଁ ବୁଲୁଛି ପ୍ରଚାର ଗାଡ଼ି

ପୋଷା ଜୀବଜନ୍ତୁଙ୍କ ସହ ମଣିଷର ସମ୍ପର୍କ କେତେ ନିବିଡ଼ ହୋଇପାରେ, ତାହାର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ୱାଲିୟରରେ। ପରିବାରର ଜଣେ ସଦସ୍ୟ ଭଳି ଥିବା ପୋଷା ଶୁଆ ‘ମିଠୁ’ ହଠାତ୍ ନିଖୋଜ ହୋଇଯିବା ପରେ ଭାଙ୍ଗିପଡ଼ିଛନ୍ତି ଘରଲୋକ।

ନୂଆଦିଲ୍ଲୀ: ପୋଷା ଜୀବଜନ୍ତୁଙ୍କ ସହ ମଣିଷର ସମ୍ପର୍କ କେତେ ନିବିଡ଼ ହୋଇପାରେ, ତାହାର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଗ୍ୱାଲିୟରରେ। ପରିବାରର ଜଣେ ସଦସ୍ୟ ଭଳି ଥିବା ପୋଷା ଶୁଆ ‘ମିଠୁ’ ହଠାତ୍ ନିଖୋଜ ହୋଇଯିବା ପରେ ଭାଙ୍ଗିପଡ଼ିଛନ୍ତି ଘରଲୋକ। ଗତ ଚାରି ଦିନ ହେବ ମିଠୁର କୌଣସି ଖବର ନମିଳିବାରୁ ପରିବାର ତାକୁ ଖୋଜିବା ପାଇଁ ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଛନ୍ତି ।

କେବଳ ଖୋଜାଖୋଜି ନୁହେଁ, ଯିଏ ମିଠୁର ସନ୍ଧାନ ଦେବେ କିମ୍ବା ସୁରକ୍ଷିତ ଭାବେ ଫେରାଇ ଆଣିବେ, ତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ମଧ୍ୟ ଘୋଷଣା କରାଯାଇଛି। ଏହି ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ଗ୍ୱାଲିୟରର ଅଲକାପୁରୀ ଅଞ୍ଚଳରେ ରହୁଥିବା ଶଶାଙ୍କ ଓଝାଙ୍କ ପରିବାର ପ୍ରାୟ ଏକ ବର୍ଷ ହେବ ‘ମିଠୁ’କୁ  ପାଳି ଆସୁଥିଲେ। ଧୀରେ ଧୀରେ ଏହି ଶୁଆଟି ପରିବାରର ସମସ୍ତଙ୍କ ପ୍ରିୟ ପାଲଟିଯାଇଥିଲା । କିନ୍ତୁ କିଛି ଦିନ ତଳେ ହଠାତ୍ ଘରୁ ଉଡ଼ିଯିବା ପରେ ଆଉ ଫେରିନଥିଲା ମିଠୁ । ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ତାର କୌଣସି ସନ୍ଧାନ ପାଇନଥିଲେ । ଶେଷରେ ସେମାନେ ଏକ ନିଆରା ପଦକ୍ଷେପ ନେଇଥିଲେ । ଶୁଆର ଫଟୋ ଓ ପରିଚୟ ସହ ପୋଷ୍ଟର ଛପାଇ ସାରା ସହରରେ ଲଗାଇବା ସହ ଇ-ରିକ୍ସା ମାଧ୍ୟମରେ  ପ୍ରଚାର କରାଯାଉଛି । ବିଭିନ୍ନ ବଜାର ଓ ମହଲ୍ଲାରେ ଏହି ଘୋଷଣା ଶୁଣି ଲୋକେ ମଧ୍ୟ ମିଠୁକୁ ଖୋଜିବାରେ ସହଯୋଗ କରୁଛନ୍ତି ।

ଇ-ରିକ୍ସାରେ ଲଗାଯାଇଥିବା ପୋଷ୍ଟରରେ ମିଠୁର ଫଟୋ, ରଙ୍ଗ, ଆକୃତି ଏବଂ ଅନ୍ୟାନ୍ୟ ପରିଚୟ ଉଲ୍ଲେଖ କରାଯାଇଛି। ପ୍ରଚାର ଗାଡ଼ି ସହରର ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କୁ ଅନୁରୋଧ କରୁଛି ଯେ, କେହି ଯଦି ଏହି ଶୁଆକୁ ଦେଖିଥାନ୍ତି ତେବେ ତୁରନ୍ତ ପରିବାର ସହ ଯୋଗାଯୋଗ କରନ୍ତୁ। ଏପରି ଏକ ଘଟଣା ଦେଖି ଅନେକ ଲୋକ ଭାବବିହ୍ୱଳ ହୋଇପଡ଼ିଛନ୍ତି। କାରଣ ଏହା କେବଳ ଜଣେ ପୋଷା ପକ୍ଷୀର ଖୋଜ ନୁହେଁ, ବରଂ ପରିବାରର ଜଣେ ସଦସ୍ୟକୁ ଫେରିପାଇବାର ଆକୁଳ ଅପେକ୍ଷା।  ପୋଷା ଜୀବଜନ୍ତୁ ପ୍ରତି ଭଲପାଇବା ଓ ଆତ୍ମୀୟତାର ଏହି କାହାଣୀ ଏବେ ସମସ୍ତଙ୍କ ହୃଦୟ ଛୁଇଁଛି। ‘ମିଠୁ’ ସୁରକ୍ଷିତ ଭାବେ ଫେରିଆସୁ ଏବଂ ପରିବାରର ମୁହଁରେ ପୁଣି ହସ ଫେରୁ, ସେହି ପ୍ରାର୍ଥନା କରୁଛନ୍ତି ସହରବାସୀ।

 

 

 

ସୌଜନ୍ୟ ସମ୍ବାଦ

 

Show More

Leave a Reply

Your email address will not be published. Required fields are marked *

Back to top button