Site icon Swayam News

Mokim: ମୋକିମ୍‌ଙ୍କ ଚିଠିର ଉତ୍ତର ‘ବହିଷ୍କାର’: ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଲେ ଭକ୍ତ

ଭୁବନେଶ୍ବର/କଟକ: ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ବଙ୍କୁ ପ୍ରଶ୍ନ କରିବା ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ମହଙ୍ଗା ପଡ଼ିଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଜି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ପିସିସି ପକ୍ଷରୁ ଲେଖାଯାଇଥିବା ପତ୍ରରେ ଏଆଇସିସି ମୋହର ମାରିଛି। ମୋକିମଙ୍କୁ ଦଳର ପ୍ରାଥମିକତା ସଦସ୍ୟତାରୁ ବହିଷ୍କାର କରାଯାଇଥିବା ନେଇ ଆଜି ପିସିସି ସଭାପତି ଭକ୍ତଚରଣ ଦାସ ସୂଚନା ଦେଇଛନ୍ତି।

ଦଳୀୟ ନେତୃତ୍ବଙ୍କୁ ଚ୍ୟାଲେଞ୍ଜ କରି ମହମ୍ମଦ ମୋକିମ କିଛିଦିନ ତଳେ କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ୫ ପୃଷ୍ଠାର ଏକ ଚିଠି ଲେଖିଥିଲେ। ରାଜ୍ୟ କଂଗ୍ରେସର ଦୁର୍ବଳ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇବା ସହ କେନ୍ଦ୍ର ନେତୃତ୍ବଙ୍କ ବିରୋଧରେ ମଧ୍ୟ ବିଷୋଦଗାର କରିଥିଲେ। ମୋକିମଙ୍କ ଏହି ଚିଠି ଗଣମାଧ୍ୟମକୁ ଆସିବା ପରେ ଦଳ ଭିତରେ ବିସ୍ଫୋରଣ ସୃଷ୍ଟି ହୋଇଥିଲା। ଏହି ପ୍ରସଙ୍ଗରେ ଦଳର ବରିଷ୍ଠ ନେତାମାନେ ମାପିଚୁପି ମନ୍ତବ୍ୟ ଦେଇଥିଲେ ହେଁ ତାଙ୍କର ଏହି ଚିଠି ଗଣମାଧ୍ୟମକୁ ଆସିବାକୁ ନେଇ ନାପସନ୍ଦ କରିଥିଲେ। ତେବେ ମୋକିମ ଏଭଳି ପତ୍ର ଲେଖିବା ପରେ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା।

ଦଳରୁ ବହିଷ୍କାର ହେବା ପରେ ଆଜି କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବା ସହ ମୋକିମଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ଦଳର ଗଣମାଧ୍ୟମ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି, ଶ୍ରୀ ମୋକିମ କଂଗ୍ରେସରୁ ବହିଷ୍କୃତ ହେବା ପାଇଁ ନିଜେ ଉସ୍‌କାଇଛନ୍ତି। ଏ ଦୃଷ୍ଟିରୁ ଆଜିର ନିଷ୍ପତ୍ତି ଅପ୍ରତ୍ୟାଶିତ ନୁହେଁ। ପୂର୍ବରୁ ଦଳ ବିରୋଧରେ ଯାଇ ବିଜେପିର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ବିଶୃଙ୍ଖଳିତ ଆଚରଣ ପାଇଁ ଦଳରୁ ନିଲମ୍ବିତ ହୋଇଥିଲେ। ଏମିତିରେ ବି ତାଙ୍କ ନାଁରେ ମକଦ୍ଦମା ରହିଛି। ତେଣୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିବାର ଆବଶ୍ୟକତା ନ ଥିବା କେନ୍ଦ୍ରୀୟ ନେତୃତ୍ବ ଅନୁଭବ କରିଛନ୍ତି। ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଓଡ଼ିଶା କଂଗ୍ରେସର ସଭାପତି ହେବା ପାଇଁ ସେ ଲବି କରିଥିଲେ, ହେଲେ ବାସ୍ତବରେ କଟକ ଜିଲ୍ଲାର ନେତୃତ୍ବ ନେଇପାରିଛନ୍ତି କି? ବିଜେପିର ବ୍ୟାଖ୍ୟାନକୁ ସେ ଆଗକୁ ନେଉଥିବା ଅଭିଯୋଗ ନିରାଧାର ନୁହେଁ। ତାଙ୍କ ଝିଅର ସୁନ୍ଦର ରାଜନୈତିକ କ୍ୟାରିୟରକୁ ସେ ନଷ୍ଟ କରନ୍ତୁ ନାହିଁ ବୋଲି ଶ୍ରୀ ଦାସ କହିଛନ୍ତି। ଏହି ପ୍ରସଙ୍ଗରେ ମତ ରଖିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ କଂଗ୍ରେସ ଏବେ ରାଜ୍ୟରେ ଦୁର୍ବଳ ସ୍ଥିତିରେ ରହିଛି। ମୋକିମ ବାବୁଙ୍କ ଭଳି ବ୍ୟକ୍ତିଙ୍କ ଦଳରେ ଆବଶ୍ୟକତା ଅଛି। ଏହାକୁ ଅଣଦେଖା କରାଯାଇପାରିବ ନାହିଁ। କିନ୍ତୁ କୌଣସି ନେତା ସୀମା ପାର ବିଶୃଙ୍ଖଳା କରିବା ଉଚିତ ନୁହେଁ। ତାଙ୍କ ବକ୍ତବ୍ୟରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ସେ କଂଗ୍ରେସର ନୀତି ଓ ଆଦର୍ଶରୁ ଦୂରେଇ ନାହାନ୍ତି। ତାଙ୍କ ମନରେ ଯେଉଁ ଅସନ୍ତୋଷ ରହିଛି ତାହାକୁ ଦୂର କରି କିଭଳି ତାଙ୍କୁ ଦଳରେ ସାମିଲ କରିବା ଲାଗି ଉଦ୍ୟମ କରାଯିବା ଦରକାର। କଂଗ୍ରେସ ଅଧିକରୁ ଅଧିକ ସଂଗଠିତ, ଅଧିକ ଲୋକଙ୍କ ଆକର୍ଷିତ ଓ ଦଳପ୍ରତି ଆନୁଗତ୍ୟ ଥିବା ଲୋକଙ୍କୁ ଏକାଠି କରିବା ନେତୃମଣ୍ଡଳୀଙ୍କ କର୍ତ୍ତବ୍ୟ। ନୂଆପଡ଼ା ଉପନିର୍ବାଚନ ପରେ ଯେଉଁ ବିଭୀଷଣ କଥା କୁହାଗଲା, ହୁଏତ ତାହା ମୋକିମ ବାବୁଙ୍କୁ କଷ୍ଟ ଦେଇପାରିଥାଏ। ତାଙ୍କ ପ୍ରତି ନ୍ୟାୟ ହୋଇଛି କି ଅନ୍ୟାୟ ହୋଇଛି ଯେଉଁମାନେ ନିଷ୍ପତ୍ତି ନେଉଛନ୍ତି ସେମାନେ ବିଚାର କରିବେ ବୋଲି ସେ କହିଛନ୍ତି।

ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦେଲେ ଭକ୍ତ
ମୋକିମଙ୍କ ଉପରେ ବର୍ଷିଲା କଂଗ୍ରେସ
ବହିଷ୍କାର ନିଷ୍ପତ୍ତିରେ ଖୁସି: ମୋକିମ୍‌

ବହିଷ୍କାର ପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ମୋକିମ୍। ସେ କହିଛନ୍ତି, କଂଗ୍ରେସରୁ ତାଙ୍କୁ ବହିଷ୍କାର କରାଯିବା ନିଷ୍ପତ୍ତିରେ ସେ ଖୁସି। ଏଇଥିପାଇଁ ସେ ଖୁସି ଯେ ଦଳର ଅନେକ ନେତା ଓ କର୍ମୀଙ୍କ ମନର କଥାକୁ ସେ ଦଳର ଶୀର୍ଷ ନେତାଙ୍କ ପାଖରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି। ଦଳର ଶୀର୍ଷ ନେତୃତ୍ବ ନିଶ୍ଚିତ ଭାବେ ତାହାକୁ ତର୍ଜମା ଓ ସମୀକ୍ଷା କରି ଆଗାମୀ ଦିନରେ ସଂଶୋଧନ କରିବାକୁ ପଦକ୍ଷେପ ନେବେ ବୋଲି ଆଶା କରୁଛି। ସେ କହିଛନ୍ତି, ବହିଷ୍କାର କରାଯିବା ସଂପର୍କିତ ଖବର ସେ ଆଜି ସକାଳେ ଗଣମାଧ୍ୟମରୁ ଜାଣିଲି। ପାରମ୍ପରିକ ଭାବେ ମୋ ପରିବାର ପିଢ଼ି ପରେ ପିଢ଼ି କଂଗ୍ରେସ ସହିତ ରହି ଆସିଛି। କଂଗ୍ରେସକୁ ମଜଭୁତ କରିବା ପାଇଁ ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲି। ଚିଠିକୁ ମୁଁ ଗଣମାଧ୍ୟମକୁ ଦେଇ ନାହିଁ। ଡିସେମ୍ବର ୧୨ ତାରିଖରେ ଏହି ଚିଠି ଅନ୍ୟ କୌଣସି ସୂତ୍ରରୁ ଗଣମାଧ୍ୟମକୁ ଆସିଲା ଏବଂ ସମସ୍ତ ଗଣମାଧ୍ୟମ ଏହାକୁ ପ୍ରଚାର ପ୍ରସାର କଲେ। ରାହୁଲ ଗାନ୍ଧୀ ସବୁ ବେଳେ ‘ଡରୋ ମତ୍‌’ ନାରା ଦେଇ ଆସିଛନ୍ତି। ତେଣୁ ଦଳର ପରିଚାଳନାରେ ଭୁଲ୍‌ ଦେଖି ନିର୍ଭୟରେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲି। ଚିଠି ସଂପର୍କରେ ଦଳର କୌଣସି ନେତା ମୋ ସହିତ ଆଲୋଚନା କରି ନାହାନ୍ତି କି ମୋତେ କାରଣ ଦର୍ଶାଇବାକୁ କୁହାଯାଇ ନାହିଁ। କିନ୍ତୁ ସିଧା ବହିଷ୍କାର କରି ଦିଆଗଲା। ଝିଅ ତଥା ବାରବାଟୀ-କଟକ ବିଧାୟକ ସୋଫିଆ ଫିରଦୋସଙ୍କ ରାଜନୈତିକ କ୍ୟାରିୟର ସମ୍ପର୍କରେ ଶ୍ରୀ ମୋକିମ୍ କହିଛନ୍ତି,  ମୋ ନିଷ୍ପତ୍ତି ସହିତ ସୋଫିଆଙ୍କର କୌଣସି ନେଣଦେଣ ନାହିଁ। ଏମିତିକି ମୁଁ ଲେଖିଥିବା ଚିଠି ସଂପର୍କରେ ବି ପୂର୍ବରୁ ସୋଫିଆଙ୍କ ସହିତ ଆଲୋଚନା କରି ନଥିଲି। ସୋଫିଆ ତାଙ୍କ ନିଷ୍ପତ୍ତି ନେବାକୁ ସ୍ବତନ୍ତ୍ର। କିନ୍ତୁ ମୁଁ ରାଜନୀତିରେ ରହିବି। ଶୁଭେଚ୍ଛୁ ଓ ସମର୍ଥକମାନଙ୍କ ସହିତ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନେବି।

ସୂଚନାଯୋଗ୍ୟ ଯେ ମହମ୍ମଦ ମୋକିମ କଟକ ନଗର କଂଗ୍ରେସ ସଭାପତି ଦାୟିତ୍ବ ନେବା ପରେ କଟକରେ ଦଳକୁ ମଜଭୁତ କରିବା ପ୍ରୟାସ କରିଥିଲେ। ୨୦୧୪ ନିର୍ବାଚନରେ ସେ ବାରବାଟୀ-କଟକରୁ ପରାସ୍ତ ହୋଇଥିଲେ ବି ୨୦୧୯ରେ ବିଜୟୀ ହୋଇଥିଲେ। ୨୦୨୪ରେ ତାଙ୍କ ଝିଅ ସୋଫିଆ ଫିରଦୋସ ବିଜୟୀ ‌‌ହୋଇ ବାରବାଟୀ-କଟକରେ କଂଗ୍ରେସକୁ ଲଗାତାର ସଫଳତା ଦେଇଥିଲେ। କଟକ ସହରରେ ୧୯୯୦ରୁ କଂଗ୍ରେସ ଲଗାତାର ପରାଜୟ ହାସଲ କରି ଆସିଥିବା ବେଳେ ୩୪ ବର୍ଷ ପରେ ମୋକିମ ସେହି ଧାରା ଭାଙ୍ଗିବାରେ ସଫଳ ହୋଇଥିଲେ। କିନ୍ତୁ ବିଧାୟକ ଥିବା ବେଳେ ବି ସେ ଦଳର ସାଂଗଠନିକ ପ୍ରସଙ୍ଗରେ ଖୋଲା ମତ ରଖି ନିଲମ୍ବିତ ହୋଇଥିଲେ। ନୂଆପଡ଼ା ଉପନିର୍ବାଚନ ପରେ ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସଂପର୍କରେ ଚିଠି ଲେଖି ଚର୍ଚ୍ଚାକୁ ଆସିଥିଲେ।

ସୌଜନ୍ୟ ସମ୍ବାଦ

Exit mobile version