ରାଜ୍ୟ

Snakebite: ମୃତ୍ୟୁର ଫଣା ମେଲାଇଛି ସାପ: ଦୁଇ ବର୍ଷରେ ସୁନ୍ଦରଗଡ଼ ଜିଲ୍ଲାରେ ୮୯ରୁ ଅଧିକ ମୃତ

ଗତ ଦୁଇ ବର୍ଷରେ ସୁନ୍ଦରଗଡ଼ରେ ସାପକାମୁଡାରେ ୮୯ରୁ ଅଧିକ ଜୀବନ ଯାଇଛି। ବ୍ଲକର ଉପାନ୍ତ ଗାଁରେ ବର୍ଷା ଦିନେ ସାପକାମୁଡ଼ାରେ ମୃତ୍ୟୁ ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ ପାଲଟିଛି।

ରାଉରକେଲା/ବଣାଇ: ସର୍ପାଘାତରେ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦିନରେ ଯାଇଛି ୪ ଜୀବନ। ଚାନ୍ଦିପୋଷ ଥାନା ଅନ୍ତର୍ଗତ ଗିରିଜଟୋଲିରେ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ସମୀର ହରୋ (୧୦) ଓ ତାଙ୍କ ଭଉଣୀ ସାଇରେନ ହରୋ (୮)। ସେହିପରି ବଣାଇ ଟିକାୟତପାଲି ତିଲେଇମାଲର ଅଜା ଓ ନାତି ପ୍ରାଣ ହରାଇଛନ୍ତି। ମୃତକ ହେଲେ ରବି ଭୂୟାଁ (୭୬) ଓ ତାଙ୍କ ନାତି ସଞ୍ଜୟ ନାଏକ (୮)। ଉଭୟ ଚାନ୍ଦିପୋଷ ଓ ଟିକାୟତପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିବା ସହ ଘଟଣାର ତଦନ୍ତ ଚଳାଇଛି। ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମିଳିଥିବା ସୂଚନାମୁତବାକ ଗତକାଲି ରାତିରେ ସମୀର ତା’ର ଭଉଣୀ ସାଇରେନ୍‌ ଖାଇସାରିବା ପରେ ବାପା-ମା’ଙ୍କ ନିକଟରେ ଖଟ ଉପରେ ଶୋଇଥିଲେ। ରାତି ପ୍ରାୟ ୩ଟାରେ ସମୀର ଖଟରୁ ଉଠି କିଏ କାମୁଡି ଦେଲା, ପେଟ କାଟୁଛି ବୋଲି ମା’ଙ୍କୁ କହିଥିଲା। କିଛି ସମୟ ପରେ ଭଉଣୀ ସାଇରେନ ମଧ୍ୟ ସମାନ କଥା କହିଥିଲା। ଦୁହେଁ ଅସୁସ୍ଥ ‌ହୋଇପଡିବାରୁ ପରିବାର ଲୋକ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରାଉରକେଲା ସରକାରୀ ଡକ୍ତରଖାନା (ଆରଜିଏଚ୍‌)କୁ ଆଣିିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସକାଳ ପ୍ରାୟ ୯ଟାରେ ଡାକ୍ତର ଉଭୟ ଭାଇ ଭଉଣୀଙ୍କୁ ମୃତ ଘୋଷଣା କରିଥିଲେ। ସେମିତି ତିଲେଇମାଲର ରବି ଓ ତା’ର ନାତି ସଞ୍ଜୟ ଖାଇପିଇ ଘରେ ତଳେ ଶୋଇଥିଲେ। ବିଷାକ୍ତ ସାପ କାମୁଡିଦେବାରୁ ଉଭୟ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ଉଭୟଙ୍କୁ ଉଦ୍ଧାର କରି ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ସାପକାମୁଡ଼ାରେ ମୃତ୍ୟୁ ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ

୨୦୨୫ ଅଗଷ୍ଟରେ ଚାନ୍ଦିପୋଷ ଥାନା ଅନ୍ତର୍ଗତ ଝିରପାଣିରେ ସାପକାମୁଡାରେ ଏର୍ଣ୍ଣମ୍‌ ଲାକ୍ରା (୬) ଓ ତାଙ୍କ ଭଉଣୀ ଏବ୍‌ଲିନା ଲାକ୍ରା (୮)ଙ୍କର ମୃତ୍ୟୁ ହୋଇଥିଲା। ଗତ ଦୁଇ ବର୍ଷରେ ସୁନ୍ଦରଗଡ଼ରେ ସାପକାମୁଡାରେ  ୮୯ରୁ ଅଧିକ ଜୀବନ ଯାଇଛି। ବ୍ଲକର ଉପାନ୍ତ ଗାଁରେ ବର୍ଷା ଦିନେ ସାପକାମୁଡ଼ାରେ ମୃତ୍ୟୁ ସଂଖ୍ୟା ବଢ଼ିବା ଚିନ୍ତାର ବିଷୟ ପାଲଟିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button