ଅଲୱର: ଘନକୁହୁଡ଼ି ନେଲା ଜୀବନ। ଦୃଶ୍ୟମାନ୍ୟତା କମିଯିବାରୁ ପରସ୍ପର ସହ ଧକ୍କା ଖାଇଲେ ଏକାଧିକ ଗାଡ଼ି। ରାଜସ୍ଥାନର ଅଲୱରରେ ଥିବା ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଛି ଏହି ସିରିଜ୍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୩ଜଣ ଜିଅନ୍ତା ଜଳିଯାଇଥିବା ଜଣାଯାଇଛି।
ଜିଅନ୍ତା ଜଳିଲେ ୩ବ୍ୟକ୍ତି
କୁହାଯାଉଛି ଯେ, ଏକ ପିକଅପ୍ ଗାଡ଼ିରେ ନିଆଁ ଲାଗିଯିବାରୁ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଜଣେ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ରେନି ପୁଲିସ ଷ୍ଟେସନ ଅଞ୍ଚଳ ନିକଟରେ ଏହି ଘଟଣା ଘଟିଥିଲା। ପିକଅପ୍ ଗାଡ଼ିଟି ଦିଲ୍ଲୀରୁ ଜୟପୁର ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ପୁଲିସ ଅନୁଯାୟୀ, ଏକ୍ସପ୍ରେସୱେରେ ଥିବା ଅନ୍ୟ ଗାଡ଼ି ସହିତ ପିକଅପ୍ ଗାଡ଼ିଟି ଧକ୍କା ଦେଇଥିଲା, ଯାହା ଫଳରେ ଗାଡ଼ିରେ ନିଆଁ ଲାଗିଯାଇଥିଲା।ପିକଅପ୍ ଗାଡ଼ିରେ ଥିବା ତିନି ଜଣ ବ୍ୟକ୍ତି ବାହାରକୁ ନଆସିପାରି ଗାଡ଼ି ସହିତ ଜଳିଯାଇଥିଲେ। ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଯାଇଥିଲା ଏବଂ ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପୁରକୁ ରେଫର କରାଯାଇଛି।
ମୃତକଙ୍କର ମିଳିଲା ପରିଚୟ
ପୁଲିସ ମୃତକଙ୍କୁ ଚିହ୍ନଟ କରିଛି। ମୃତକମାନେ ହେଲେ ହରିୟାଣାର ବାହାଦୁରଗଡ଼ର ବାସିନ୍ଦା ମୋହିତ, ମଧ୍ୟପ୍ରଦେଶର ସାଗରର ବାସିନ୍ଦା ଦୀପେନ୍ଦର ଏବଂ ମଧ୍ୟପ୍ରଦେଶର ସାଗରର ବାସିନ୍ଦା ପଦମ। ଆହତ ଡ୍ରାଇଭରଜଣଙ୍କ ହରିୟାଣାର ଝାଜ୍ଜରର ବାସିନ୍ଦା ହନ୍ନି ବୋଲି ଚିହ୍ନଟ କରାଯାଇଛି।
ଆହୁରି ପଢ଼ନ୍ତୁ: Deogarh Bandh Today ଜିଲ୍ଲା ମହିଳା ଏକତା ମଞ୍ଚ ପକ୍ଷରୁ ଦେବଗଡ଼ ବନ୍ଦ, ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୁଲିସ
ଦିଲ୍ଲୀ-ଆଗ୍ରା ଯମୁନା ଏକ୍ସପ୍ରେସ୍ୱେରେ ଯାଇଥିଲା ୧୩ଜୀବନ
ଉତ୍ତରପ୍ରଦେଶର ଦିଲ୍ଲୀ-ଆଗ୍ରା ଯମୁନା ଏକ୍ସପ୍ରେସ୍ୱେରେ ଘନ ଧୂଆଁକୁହୁଡ଼ି ଯୋଗୁଁ ଭୟାବହ ଦୁର୍ଘଟଣା ଘଟିଥିଲା। ୮ଟି ବସ୍ ଓ ୩ଟି କାର୍ ପରସ୍ପର ଉପରେ ଚଢ଼ିଯିବାରୁ ଗାଡ଼ିଗୁଡ଼ିକରେ ନିଆଁ ଲାଗିଯିବା ସହ ଏହି ଭୟଙ୍କର ସିରିଜ୍ ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ପ୍ରାୟ ୭୫ରୁ ଅଧିକ ଆହତ ହୋଇଥିଲେ।
ସୌଜନ୍ୟ ସମ୍ବାଦ

