କାନପୁର: କାନପୁରରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ନିଜର ୧୧ ବର୍ଷର ଯମଜ ଝିଅଙ୍କ ତଣ୍ଟିକାଟି ହତ୍ୟା କରିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଏହି ଭୟଙ୍କର ଘଟଣା ସେମାନଙ୍କ ଘରେ ଘଟିଛି। ରବିବାର ସକାଳେ ପୁଲିସ ହତ୍ୟା ସମ୍ପର୍କରେ ଖବର ପାଇଥିଲା। ହତ୍ୟାକାଣ୍ଡ ସହିତ ଅଭିଯୁକ୍ତଙ୍କ ବିରୋଧରେ ପତ୍ନୀ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଅଭିଯୁକ୍ତ ମଦ୍ୟପାନ କରି ତାଙ୍କ ସହିତ ମାଡ଼ପିଟ୍ କରିବା ସହିତ ଖାଇବାକୁ ଦେଉ ନଥିଲେ ବୋଲି ପତ୍ନୀ ଅଭିଯୋଗ କରିଛନ୍ତି।
ଦମ୍ପତି ୨୦୧୪ରେ ପ୍ରେମ ବିବାହ କରିଥିଲେ। କିନ୍ତୁ କିଛି ଦିନ ପରେ ଦୁଇଜଣଙ୍କ ସମ୍ପର୍କ ତିକ୍ତ ହେବାରେ ଲାଗିଥିଲା। ମହିଳା ରେଶମା ଛେତ୍ରୀ ଆହୁରି ମଧ୍ୟ ଦାବି କରିଛନ୍ତି ଯେ, ତାଙ୍କ ସ୍ବାମୀ ନିଜ କକ୍ଷ ସହିତ ଘରର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଇଛନ୍ତି। ଅଭିଯୁକ୍ତ ସ୍ବାମୀ ତାଙ୍କୁ ନିର୍ଯାତନା ଦେଉଥିବାରୁ ସେ ତାଙ୍କ ବାପଘରେ ଗତ ୯ ମାସ ହେଲା ପୁଅକୁ ନେଇ ରହିଆସୁଥିଲେ। ସ୍ବାମୀ ଦୁଇ ଝିଅଙ୍କୁ ତାଙ୍କ ସହିତ ଛାଡ଼ୁ ନଥିଲେ। ଝିଅଙ୍କ କଥା ମନେପଡ଼ିବାରୁ ନିକଟରେ ସେ ଘରକୁ ଫେରିଥିଲେ। ଘଟଣା ଦିନ ପୂର୍ବ ରାତିରେ ପୂରା ପରିବାର ଏକାସାଙ୍ଗରେ ଖାଇଥିଲା।
ଏହାପରେ ଶୋଇବାକୁ ଯାଇଥିଲେ। ଦୁଇ ଝିଅ ବାପାଙ୍କ ସହିତ ତାଙ୍କ କକ୍ଷରେ ଶୋଇଥିବାବେଳେ ପରେ ସେମାନଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତଣ୍ଟିରେ ଗଭୀର କ୍ଷତ ରହିଥିଲା। ଦୁଇ ଝିଅଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ବାପା ନିଜେ ପୁଲିସକୁ ଖବର ଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଫୋରେନସିକ୍ ଟିମ୍ ମଧ୍ୟ ପ୍ରମାଣ ସଂଗ୍ରହ କରିଛି। ଘଟଣାସ୍ଥଳରୁ ଅଭିଯୁକ୍ତ ବାପାକୁ ଗିରଫ କରାଯାଇଛି। ପୁଲିସ ହତ୍ୟାର ଉଦ୍ଦେଶ୍ୟ ଜାଣିବାକୁ ଅଭିଯୁକ୍ତକୁ ଜେରା କରୁଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ସୌଜନ୍ୟ ସମ୍ବାଦ

