Murder: ପାର୍କିଂ ବିବାଦରୁ ହତ୍ୟାକାଣ୍ଡ: ପୂର୍ବତନ ଟେକ୍ ମହିନ୍ଦ୍ରା ଅଧିକାରୀଙ୍କୁ ଗୁଳି କରି ହତ୍ୟା, ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ
ସାମାନ୍ୟ ଗାଡ଼ି ପାର୍କିଂ ବିବାଦରୁ ଘଟିଲା ଭୟଙ୍କର ହତ୍ୟାକାଣ୍ଡ। ପଡ଼ୋଶୀଙ୍କ ଗୁଳିରେ ପ୍ରାଣ ହରାଇଲେ ଏକ ବହୁରାଷ୍ଟ୍ରୀୟ କମ୍ପାନିର ପୂର୍ବତନ ବରିଷ୍ଠ ଅଧିକାରୀ ପରମଜିତ ଧନଖଡ଼।

ଫରିଦାବାଦ: ସାମାନ୍ୟ ଗାଡ଼ି ପାର୍କିଂ ବିବାଦରୁ ଘଟିଲା ଭୟଙ୍କର ହତ୍ୟାକାଣ୍ଡ। ପଡ଼ୋଶୀଙ୍କ ଗୁଳିରେ ପ୍ରାଣ ହରାଇଲେ ଏକ ବହୁରାଷ୍ଟ୍ରୀୟ କମ୍ପାନିର ପୂର୍ବତନ ବରିଷ୍ଠ ଅଧିକାରୀ ପରମଜିତ ଧନଖଡ଼। ହତ୍ୟା ପରେ ଅଭିଯୁକ୍ତ ମୋହନ ଶର୍ମା ଓରଫ ମୋନୁ ‘ହାପି ଦୀପାବଳି, ଆଜି ପୂରା ପରିବାରକୁ ମାରିଦେବି’ ବୋଲି ଚିତ୍କାର କରିଥିବା ଜଣାପଡ଼ିଛି। ଘଟଣାର ଛାତିଥରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।.
ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚାଳନା
ପୁଲିସର ସୂଚନା ଅନୁସାରେ, ନଭେମ୍ବର ୬ ତାରିଖ ରାତିରେ ଫରିଦାବାଦର ସେକ୍ଟର ୨୧ସି ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତ ଓ ପରମଜିତଙ୍କ ମଧ୍ୟରେ ପ୍ରାୟ ଚାରି ମିନିଟ୍ ଧରି ଯୁକ୍ତିତର୍କ ହେବା ପରେ ମୋହନ ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଗୁଳି ଚଳାଇଥିଲା। ପରମଜିତ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାଇବା ସହ ତଳେ ପଡ଼ିଯିବା ପରେ ମଧ୍ୟ ଅଭିଯୁକ୍ତ ଗୁଳି ଚଳାଇଥିଲା।
ଏପରିକି ମୃତକଙ୍କ ପରିବାରର ଜଣେ ମହିଳା ଅଭିଯୁକ୍ତକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣିନଥିଲା। ପରମଜିତଙ୍କ ଶରୀରରେ ୯ଟି ଗୁଳି ବାଜିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ସିଙ୍ଗାପୁରରେ ରହୁଥିବା ପରମଜିତ ଭଣଜାଙ୍କ ବିବାହ ପାଇଁ ଭାରତ ଆସିଥିଲେ। ଗାଡ଼ି ପାର୍କିଂ ଓ ପୋଷା କୁକୁରକୁ ନେଇ ଦୁଇ ପରିବାର ମଧ୍ୟରେ ଦୀର୍ଘଦିନରୁ ବିବାଦ ରହିଥିଲା। ଘଟଣା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି।
ସୌଜନ୍ୟ ସମ୍ବାଦ




