Nana Patekar passes away: ନାନା ପାଟେକରଙ୍କ ପରଲୋକ: ଜୀବନ ରଙ୍ଗମଞ୍ଚରୁ ବିଦାୟ ନେଲେ ‘କ୍ରାନ୍ତିବୀର’
ବଲିଉଡ୍ର କିଂବଦନ୍ତି ଅଭିନେତା ନାନା ପାଟେକରଙ୍କର ଗୁରୁବାର ସକାଳେ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ଗୋଆର ଡୋନା ପାଉଲାସ୍ଥିତ ବାସଭବନରେ ହୃଦ୍ଘାତ ଯୋଗୁଁ ସେ ଅଚେତ ହୋଇ ପଡ଼ିଥିଲେ। ପରେ ତାଙ୍କୁ ମଣିପାଲ୍ ହସ୍ପିଟାଲ୍ ନିଆଯାଇଥିଲା।

ପୁଣେ: ବଲିଉଡ୍ର କିଂବଦନ୍ତି ଅଭିନେତା ନାନା ପାଟେକରଙ୍କର ଗୁରୁବାର ସକାଳେ ୭୫ ବର୍ଷ ବୟସରେ ପରଲୋକ ଘଟିଛି। ଗୋଆର ଡୋନା ପାଉଲାସ୍ଥିତ ବାସଭବନରେ ହୃଦ୍ଘାତ ଯୋଗୁଁ ସେ ଅଚେତ ହୋଇ ପଡ଼ିଥିଲେ। ପରେ ତାଙ୍କୁ ମଣିପାଲ୍ ହସ୍ପିଟାଲ୍ ନିଆଯାଇଥିଲା। ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ‘ସିପିଆର୍’ ଦେଇ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ମାତ୍ର ତାହା ସଫଳ ହୋଇନଥିଲା। ସକାଳ ୫ଟା ୨୦ ମିନିଟ୍ରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।
ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ନାନା ପାଟେକର ଜଣେ ବନ୍ଧୁଙ୍କୁ ସେ ଅସୁସ୍ଥ ଅନୁଭବ କରୁଥିବା ନେଇ ବାର୍ତ୍ତା ପଠାଇଥିଲେ। ରାତି ପ୍ରାୟ ୨ଟା ୩୦ରେ ପଠାଯାଇଥିବା ଏହି ବାର୍ତ୍ତାରେ ତାଙ୍କ ବାମପଟ ଛାତିରେ ଯନ୍ତ୍ରଣା ହେଉଥିବା କହିଥିଲେ ବୋଲି ଡାକ୍ତରୀ ସୂତ୍ରରୁ ଜଣାପଡ଼ିଛି। ବନ୍ଧୁ ଏହି ବାର୍ତ୍ତା ଦେଖି ଭୋର ୪ଟାରେ ତାଙ୍କ ଘରେ ପହଞ୍ଚିଥିଲେ। ସେତେବେଳେ ନାନା ପାଟେକର ଝାଳରେ ଭିଜି ଯାଇଥିଲେ। ତୁରନ୍ତ ଆମ୍ବୁଲାନ୍ସ ଡକାଯାଇ ଘରେ ହିଁ ‘ସିପିଆର୍’ ଆରମ୍ଭ କରାଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳିନଥିଲା। ଆଜି ଗୋଆରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ନାନା ପାଟେକରଙ୍କ ପାର୍ଥିବ ଶରୀରକୁ ପୁଣେ ବିମାନବନ୍ଦରକୁ ନିଆଯାଇଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ପୁଣେ ଜିଲ୍ଲାର ଖଡ଼କୱାସଲା ନିକଟ ଡୋଞ୍ଜେସ୍ଥିତ ତାଙ୍କ ଫାର୍ମହାଉସ୍କୁ ନିଆଯାଇ ସେଠାରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହିତ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।
ଚାଷୀର ଲୁହ ପୋଛୁଥିବା ହାତ ଏବେ ନିଶ୍ଚଳ
ମହାରାଷ୍ଟ୍ରରେ ୧୯୫୧ ଜାନୁଆରି ପହିଲାରେ ଜନ୍ମଗ୍ରହଣ କରିଥିବା ନାନା ପାଟେକର ମରାଠୀ ଥିଏଟର୍ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ୧୯୭୮ର ‘ଗମନ’ ଚଳଚ୍ଚିତ୍ର ମାଧ୍ୟମରେ ସେ ବଲିଉଡ୍ରେ ପ୍ରବେଶ କରିଥିଲେ। ‘ପରିନ୍ଦା’, ‘କ୍ରାନ୍ତିବୀର’, ‘ୱଜୁଦ୍’, ‘ଅବ୍ ତକ୍ ଛପ୍ପନ୍’, ‘ଅପହରଣ’, ‘ନଟସମ୍ରାଟ୍’ ଭଳି ଚଳଚ୍ଚିତ୍ରରେ ତାଙ୍କ ନିଖୁଣ ଅଭିନୟ ବେଶ୍ ପ୍ରଶଂସିତ ହୋଇଥିଲା। ଗମ୍ଭୀର ଚରିତ୍ରଠାରୁ ହାସ୍ୟରସାତ୍ମକ ଭୂମିକା ପର୍ଯ୍ୟନ୍ତ ସେ ନିଜର ସ୍ୱତନ୍ତ୍ର ଅଭିନୟ ଶୈଳୀ ଓ ଦମ୍ଦାର ସଂଳାପ ପାଇଁ ପରିଚିତ ଥିଲେ। ‘ୱେଲକମ୍’ ଚଳଚ୍ଚିତ୍ରର ଉଦୟ ସେଟ୍ଟୀ ଚରିତ୍ର ମଧ୍ୟ ତାଙ୍କୁ ବେଶ୍ ଲୋକପ୍ରିୟ କରିଥିଲା ନାନା ପାଟେକର ତିନିଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୨୦୧୩ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା।
ସୌଜନ୍ୟ ସମ୍ବାଦ




