ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଆଶ୍ବସ୍ତ କଲେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ। ନ୍ୟାସନାଲ୍ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡିର ଚାର୍ଜସିଟ୍ ଉପରେ ଶୁଣାଣି କରିବାକୁ କୋର୍ଟ ମନା କରିଥିବା ଜଣାପଡ଼ିଛି। ଏହି ନିଷ୍ପତ୍ତି ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କୁ ଆଶ୍ୱସ୍ତ କରିଛି। କୋର୍ଟ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାହିଁଲେ ତଦନ୍ତ ଜାରି ରଖିପାରିବ।
ଚାର୍ଜସିଟ୍ରେ ଅନେକ ପ୍ରମୁଖ ବ୍ୟକ୍ତିଙ୍କ ନାମ ରହିଛି
ଇଡି ଏହାର ଚାର୍ଜସିଟ୍ରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ସାମ ପିଟ୍ରୋଡା, ସୁମନ ଦୁବେ, ସୁନୀଲ ଭଣ୍ଡାରୀ, ୟଙ୍ଗ ଇଣ୍ଡିଆନ୍ ଏବଂ ଡୋଟେକ୍ସ ମର୍ଚାଣ୍ଡାଇଜ୍ ପ୍ରାଇଭେଟ୍ ଲିମିଟେଡ୍ର ନାମ ଉଲ୍ଲେଖ କରିଛି। କଂଗ୍ରେସ ଦଳ ଯୁକ୍ତି ଦେଇଥିଲା ଯେ, ଇଡିର ତଦନ୍ତ ଏକ ରାଜନୈତିକ ପ୍ରତିଶୋଧ ଥିଲା। ଅନ୍ୟପକ୍ଷରେ ଇଡି ଦାବି କରିଥିଲା ଯେ, ଏହା ଏକ ଗମ୍ଭୀର ଅର୍ଥନୈତିକ ଅପରାଧ ଯେଉଁଥିରେ ଠକେଇ ଏବଂ ଅଥର୍ ହେରଫେରର ପ୍ରମାଣ ମିଳିଛି।
ସୋନିଆ ଏବଂ ରାହୁଲଙ୍କ ଉପରେ ବଡ଼ ଠକେଇର ଆରୋପ ଲଗାଇଥିଲା ଇଡି
ଇଡି ଅଭିଯୋଗ ଅନୁଯାୟୀ, କଂଗ୍ରେସ ନେତାମାନେ ମାତ୍ର ୫୦ ଲକ୍ଷ ଟଙ୍କାରେ ଘରୋଇ କମ୍ପାନି “ୟଙ୍ଗ ଇଣ୍ଡିଆନ୍” ମାଧ୍ୟମରେ ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିମିଟେଡ୍ (AJL) ର ୨ହଜାର କୋଟି ମୂଲ୍ୟର ସମ୍ପତ୍ତି ହାସଲ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ସୋନିଆ ଏବଂ ରାହୁଲ କମ୍ପାନିର ୭୬% ଅଂଶଧନ ରଖିଛନ୍ତି। ଏଥିରୁ ସୋନିଆ ଏବଂ ରାହୁଲ ୯୮୮ କୋଟି ଟଙ୍କା ଆୟ କରିଥିଲେ ବୋଲି ଆକଳନ କରାଯାଇଥିଲା। ସମ୍ପୃକ୍ତ ସମ୍ପତ୍ତିର ବଜାର ମୂଲ୍ୟ ଏବେ ୫ହଜାର କୋଟି ହେବ ବୋଲି ଆକଳନ କରାଯାଇଛି।
ଚାର୍ଜସିଟ୍ ପୂର୍ବରୁ ସମ୍ପତ୍ତି ଜବତ କାର୍ଯ୍ୟାନୁଷ୍ଠାନ
୧୨ ଏପ୍ରିଲ୍, ୨୦୨୫ରେ ତଦନ୍ତ ସମୟରେ ସମ୍ପତ୍ତି ଜବତ କରିଥିଲା ଇଡି । ଦିଲ୍ଲୀର ହେରାଲ୍ଡ ହାଉସ୍ (୫ଏ, ବାହାଦୁର ଶାହ ଜାଫର ମାର୍ଗ), ମୁମ୍ବାଇର ବାନ୍ଦ୍ରା (ପୂର୍ବ) ଏବଂ ଲକ୍ଷ୍ନୌର ବିଶେଶ୍ୱର ନାଥ ରୋଡରେ ଥିବା AJLର କୋଠାରେ ନୋଟିସ୍ ଲଗାଇଥିଲା ଇଡି। ୬୬୧ କୋଟି ମୂଲ୍ୟର ଏହି ଅସ୍ଥାବର ସମ୍ପତ୍ତି ବ୍ୟତୀତ ଇଡି ନଭେମ୍ବର ୨୦୨୩ ରେ ୯୦.୨ କୋଟି ମୂଲ୍ୟର AJL ସେୟାର ଜବତ କରିଥିଲା।
ନ୍ୟାସନାଲ ହେରାଲ୍ଡ ମାମଲା କ’ଣ?
ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଥିବା ନ୍ୟାସନାଲ ହେରାଲ୍ଡ ମାମଲା, ନ୍ୟାସନାଲ ହେରାଲ୍ଡ ଖବରକାଗଜ ସହିତ ଜଡିତ। ଏହି ଖବରକାଗଜ ୧୯୩୮ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ୫ହଜାର ସ୍ୱାଧୀନତା ସଂଗ୍ରାମୀଙ୍କ ସହିତ ପ୍ରତିଷ୍ଠା କରିଥିଲେ। ଖବରକାଗଜ AJL ଦ୍ୱାରା ପ୍ରକାଶିତ ହୋଇଥିଲା। ୨୦୦୮ମସିହାରେ ଏହାକୁ ବନ୍ଦ କରିଦିଆଯାଇଥିଲା। ପରବର୍ତ୍ତୀ ସମୟରେ, ଏହାର ଅଧିଗ୍ରହଣକୁ ନେଇ ବିବାଦ ଏବଂ ହୋଇଥିବା ଠକେଇ ସାମ୍ନାକୁ ଆସିବା ଆରମ୍ଭ ହୋଇଥିଲା।
ସୌଜନ୍ୟ ସମ୍ବାଦ

