ନୂଆଦିଲ୍ଲୀ: ଏପ୍ରିଲରେ ଖାଲି ହେବାକୁ ଥିବା ୧୦ ରାଜ୍ୟର ୩୭ଟି ରାଜ୍ୟସଭା ଆସନ ମଧ୍ୟରୁ ୧୧ଟି ଆସନ ପାଇଁ ଆଜି ୩ଟି ରାଜ୍ୟରେ ମତଦାନ ହୋଇଛି। ୧୧ଟି ଆସନ ମଧ୍ୟରୁ ବିହାରର ୫ଟି, ଓଡ଼ିଶାର ୪ଟି ଓ ହରିୟାଣାର ୨ଟି ଆସନ ରହିଛି। ସାରା ଦେଶର ନଜର ଥିବା ବିହାର ରାଜ୍ୟସଭା ନିର୍ବାଚନରେ ବିଜେପି ଓ ଏନ୍ଡିଏ ବାଜିମାତ୍ କରିଛନ୍ତି। ଏନ୍ଡିଏ ସମସ୍ତ ୫ଟି ଯାକ ଆସନରେ ବିଜୟୀ ହୋଇଛି। ସେମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିଜେପି ଜାତୀୟ ସଭାପତି ନିତିନ ନବୀନ ଅଛନ୍ତି। ଅନ୍ୟ ବିଜେତାମାନେ ହେଲେ ରାମନାଥ ଠାକୁର, ଶିବେଶ ରାମ ଓ ଉପେନ୍ଦ୍ର କୁଶୱାହ (ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ମୁଖ୍ୟ)। ବିହାରରେ ଏନ୍ଡିଏର ସମସ୍ତ ୨୦୨ ବିଧାୟକ ମତଦାନ କରିଛନ୍ତି। କିନ୍ତୁ ମହାମେଣ୍ଟର ୪ ସଦସ୍ୟ ମତଦାନ ନ କରିବାରୁ ସେମାନଙ୍କ ପ୍ରାର୍ଥୀ ହାରି ଯାଇଛନ୍ତି। ମହାମେଣ୍ଟର ୪ ଜଣ ବିଧାୟକ ଅନୁପସ୍ଥିତ ରହିବା ପ୍ରସଙ୍ଗରେ କଂଗ୍ରେସର ବିହାର ମୁଖ୍ୟ ରାଜେଶ ରାମ ଅଭିଯୋଗ କରିଛନ୍ତି ଯେ, ବିଜେପି ସେମାନଙ୍କ ବିଧାୟକଙ୍କୁ ଚୋରି କରିନେଇଛି। ୩ ବିଧାୟକଙ୍କ ଫୋନ ଗତ ୧୩ ତାରିଖରୁ ଲାଗୁ ନ ଥିବା କୁହାଯାଇଛି। ଭୋଟଦାନରୁ ବିରତ ଥିବା ଆର୍ଜେଡି ବିଧାୟକ ଫୈଜଲ ରହମାନ କହିଛନ୍ତି, ତାଙ୍କ ମା ଅସୁସ୍ଥ ହୋଇ ଦିଲ୍ଲୀରେ ଚିକିତ୍ସିତ ହେଉଛନ୍ତି। ସେଥିପାଇଁ ସେ ମତଦାନ କରିପାରିନାହାନ୍ତି। ଓଡ଼ିଶାରେ ୪ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ଥିଲେ। ସେମାନଙ୍କ ମଧ୍ୟରୁ ବିଜେପିର ୨, ବିଜେଡିର ଜଣେ ଓ ଜଣେ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଜିତିଛନ୍ତି। ବିଜେଡି ଓ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମିଳିତ ପାର୍ଥୀ ପରାଜିତ ହୋଇଛନ୍ତି।
ହରିୟାଣାରେ ଦୁଇଟି ଆସନ ପାଇଁ ୩ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେଠାରେ ଭୋଟରଙ୍କ ବୈଧତା ଓ ଗୋପନୀୟତା ପ୍ରସଙ୍ଗରେ ପ୍ରଶ୍ନ ଉଠାଯିବାରୁ ଉଭୟ ମତଦାନ ଓ ଗଣତି ବିଳମ୍ବ ହୋଇଛି। କଂଗ୍ରେସର ୨ ବିଧାୟକଙ୍କ ଭୋଟ ଉପରେ ବିଜେପି ନେତା ଗୌରବ ଗୌତମ ଓ କିଷାନ ବେଦୀ ପ୍ରଶ୍ନ ଉଠାଇବାରୁ ଏଭଳି ସ୍ଥିତି ଦେଖାଦେଇଥିଲା। ମତଦାନ ସମୟରେ ଗୋପନୀୟତା ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ହରିୟାଣା ମନ୍ତ୍ରୀ ଅନିଲ ବିଜ୍ଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଛି। ଏହି ପ୍ରସଙ୍ଗରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ନିର୍ବାଚନ କମିସନକୁ ଏକ ଚିଠି ଲେଖି ତୁରନ୍ତ ସାକ୍ଷାତ୍ କରି ଆଲୋଚନା ପାଇଁ ଦାବି କରିଛନ୍ତି। ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭିଙ୍କ ନେତୃତ୍ବରେ ଦଳର ପ୍ରତିନିଧି ମଣ୍ଡଳୀ ଭେଟିବେ ବୋଲି କୁହାଯାଇଛି। ହରିୟାଣାରେ ମୋଟ ୯୦ ବିଧାୟକଙ୍କ ମଧ୍ୟରୁ ୮୮ ଜଣ ଭୋଟ ଦେଇଛନ୍ତି। ଆଇଏନ୍ଏଲ୍ଡି ନିର୍ବାଚନରେ ଭାଗ ନେଇନାହିଁ। ଏହାର ୨ ବିଧାୟକ ରହିଛନ୍ତି।
ଉଲ୍ଲେଖଯୋଗ୍ୟ, ୧୦ ରାଜ୍ୟର ୩୭ଟି ରାଜ୍ୟସଭା ଆସନ ମଧ୍ୟରୁ ମହାରାଷ୍ଟ୍ରର ୭ଟି, ତାମିଲନାଡ଼ୁର ୬ଟି, ପଶ୍ଚିମବଙ୍ଗ ଓ ବିହାରର ୫ଟି ଲେଖାଏଁ, ଓଡ଼ିଶାର ୪ଟି, ଆସାମର ୩ଟି, ହରିୟାଣା, ତେଲେଙ୍ଗାନା, ଛତିଶଗଡ଼ର ୨ଟି ଲେଖାଏଁ ଏବଂ ହିମାଚଳପ୍ରଦେଶର ଗୋଟିଏ ଆସନ ପାଇଁ ନିର୍ବାଚନ କମିସନ ଫେବ୍ରୁଆରି ୨୬ ତାରିଖରେ ବିଜ୍ଞପ୍ତି ଜାରି କରିଥିଲେ। ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୫, ମାର୍ଚ୍ଚ ୬ରେ ପ୍ରାର୍ଥିପତ୍ର ଯାଞ୍ଚ, ୯ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଥିଲା। ବିହାର, ଓଡ଼ିଶା ଓ ହରିୟାଣାରେ ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ସକାଳ ୯ଟାରେ ଆରମ୍ଭ ହୋଇ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲିଥିଲା। ଅପରାହ୍ଣ ୫ଟାରେ ଗଣତି ଆରମ୍ଭ ହୋଇଥିଲା।
ସୌଜନ୍ୟ ସମ୍ବାଦ
