ଓଡିଶା

Malnutrition in the remote area: ଦୁର୍ଗମ ବଡ଼ଜିମେଇଁରେ ଅପପୁଷ୍ଟି: ୧୦ରୁ ଊର୍ଦ୍ଧ୍ବ ଶିଶୁ ଆକ୍ରାନ୍ତ, ଭାତ ସାଙ୍ଗକୁ ଖାଉଛନ୍ତି ଲଙ୍କାଲୁଣ

ଭାତ ସାଙ୍ଗକୁ ଲୁଣଲଙ୍କା, ନ ହେଲେ ବଇଙ୍ଗା ଆଳୁ (ଜଙ୍ଗଲଜାତ ଦ୍ରବ୍ୟ) ସିଝେଇ ଖାଆନ୍ତି। ଅଧିକାଂଶ ଶିଶୁଙ୍କର ପେଟ ବାହାରି ଆସିଛି। ଖଣିଖାଦାନଭରା କେନ୍ଦୁଝରର ହରିଚନ୍ଦନପୁର ବ୍ଲକ୍‌ ବରେଇଗୋଡ଼ା ପଞ୍ଚାୟତର ଦୁର୍ଗମ ବଡ଼ଜିମେଇଁ ଗାଁରେ ୧୦ରୁ ଅଧିକ ଶିଶୁ....

ହରିଚନ୍ଦନପୁର/ରେବଣାପଳାଶପାଳ: ଭାତ ସାଙ୍ଗକୁ ଲୁଣଲଙ୍କା, ନ ହେଲେ ବଇଙ୍ଗା ଆଳୁ (ଜଙ୍ଗଲଜାତ ଦ୍ରବ୍ୟ) ସିଝେଇ ଖାଆନ୍ତି। ଅଧିକାଂଶ ଶିଶୁଙ୍କର ପେଟ ବାହାରି ଆସିଛି। ଖଣିଖାଦାନଭରା କେନ୍ଦୁଝରର ହରିଚନ୍ଦନପୁର ବ୍ଲକ୍‌ ବରେଇଗୋଡ଼ା ପଞ୍ଚାୟତର ଦୁର୍ଗମ ବଡ଼ଜିମେଇଁ ଗାଁରେ ୧୦ରୁ ଅଧିକ ଶିଶୁ ଏଭଳି ସାଂଘାତିକ ଅପପୁଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳିଛି। ବଡ଼ଜିମେଇଁ ଗାଁକୁ ସବୁଦିନିଆ ରାସ୍ତା ନାହିଁ। ତୁର୍କିପଦାରୁ ସାଢ଼େ ୩ କିମି ପାଦଚଲା ରାସ୍ତାରେ ୪ଟି ପାହାଡ଼ ଓ ୪ଟି ନାଳ ଡେଇଁଲେ ଜଣେ ସେଠାରେ ପହଞ୍ଚିବ। ଗାଁରେ ୨୭ଟି ଜୁଆଙ୍ଗ ଓ ୩ଟି ମୁଣ୍ଡା ଜନଜାତି ପରିବାର ବାସ କରୁଛନ୍ତି। ଲୋକସଂଖ୍ୟା ଦେଢ଼ଶହରୁ ଅଧିକ। ସେ ମଧ୍ୟରେ ଅଛନ୍ତି ୩୫ ଜଣ ଶିଶୁ ଓ ନାବାଳକ, ନାବାଳିକା।

ଭାତ ସାଙ୍ଗକୁ ଖାଉଛନ୍ତି ଲଙ୍କାଲୁଣ
ରାସ୍ତା ନଥିବାରୁ ବିକାଶ ଅପହଞ୍ଚ

ଗାଁ‌ରେ ଏକ ମିନି ଅଙ୍ଗନବାଡ଼ି ଥିଲେ ମଧ୍ୟ ରାସ୍ତା ନଥିବାରୁ ଅଙ୍ଗନବାଡ଼ି କର୍ମୀ ଅଣ୍ଡା, ଛତୁଆ ନେଇ ଆସି ପାରୁନଥିବା ଗ୍ରାମବାସୀ କହିଛନ୍ତି। ଗାଁ ଲୋକମାନେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ଚଳାନ୍ତି। ଗୁରୁବାର ବରେଇଗୋଡ଼ାସ୍ଥିତ ସାପ୍ତାହିକ ହାଟକୁ ଚାଲିଚାଲି ଯାଇ ତେଲ, ଲୁଣ ସାଙ୍ଗକୁ ଅତିବେଶି ହେଲେ ଆଳୁ କିଣିଥାନ୍ତି। ସରକାରଙ୍କ ଚାଉଳରେ ଭାତ ଓ ଆଳୁ ସିଝାଇ ଖାଆନ୍ତି। ଆଳୁ ସରିଗଲେ ଭାତ ସାଙ୍ଗକୁ ଲଙ୍କାଲୁଣ ନଚେତ ବଇଙ୍ଗା ଆଳୁକୁ ସିଝାଇ ଖାଉଛନ୍ତି। ୭ କିମି ଦୂର ପଞ୍ଚାୟତ କାର୍ଯ୍ୟାଳୟକୁ ଚାଲିଚାଲି ଯାଇ ପିଡିଏସ୍‌ ଚାଉଳ ଆଣନ୍ତି। ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଛନ୍ତି। ରାସ୍ତା ନଥିବାରୁ ଘର ନିର୍ମାଣ ସାମଗ୍ରୀ ନେଇ ପାରୁନାହାନ୍ତି। ଏବେ କାଠ ପୋତି, ଝାଟିମାଟି କାନ୍ଥ, ଜରିପାଲ ଟାଣି ରହୁଛନ୍ତି।

ଅଙ୍ଗନବାଡ଼ି ସୁପରଭାଇଜର ସନ୍ଧ୍ୟାରାଣୀ ମହାନ୍ତ କହିଛନ୍ତି, ଯାତାୟାତ ସମ୍ଭବ ହେଉନଥିବାରୁ ପୁଷ୍ଟିକର ଖାଦ୍ୟ ପହଞ୍ଚାଇବାରେ ସମସ୍ୟା ହେଉଛି। ତଥାପି ଆମେ ଅଙ୍ଗନବାଡ଼ି କର୍ମୀଙ୍କୁ ତାଗିଦ କରିଛୁ। ସରପଞ୍ଚ ଜଲ ଜୁଆଙ୍ଗ କହିଛନ୍ତି, ଗାଁକୁ ରାସ୍ତା ନାହିଁ। ଏଣୁ ଉନ୍ନୟନ କାମ ଠପ୍‌। ହରିଚନ୍ଦନପୁର ବିଡିଓ ମଳୟ କୁମାର ନାୟକ କହିଛନ୍ତି, ବିଡ଼ଜିମେଇଁକୁ ରାସ୍ତା ନିର୍ମାଣ ଚାଲିଛି। ତା’ ପରେ ଆବାସ ନିର୍ମାଣ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button