ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ୨୦୨୬-୨୭ ଆସନ୍ତା ଏପ୍ରିଲ୍ ୧ରୁ ଆରମ୍ଭ ହେବ। ସେହିଦିନଠାରୁ ଦେଶରେ କେତେକ ପରିବର୍ତ୍ତିତ ନିୟମ ଲାଗୁ ହେବ। ଏଲ୍ପିଜି ଦର ପରିବର୍ତ୍ତନଠାରୁ ଆରମ୍ଭ କରି ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ପର୍ଯ୍ୟନ୍ତ ବହୁ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି।
୧. ଆୟକର: ୧୯୬୧ର ଆୟକର ନିୟମ ସ୍ଥାନରେ ନୂଆ ନିୟମ ଲାଗୁ ହେବ। ଏହି ନିୟମ ପୂର୍ବାପେକ୍ଷ ଛୋଟ ଓ ସେଥିରେ ସରଳ ଭାଷା ବ୍ୟବହାର କରାଯାଇଛି।
୨. ପାନ୍ କାର୍ଡ: ପାନ୍ କାର୍ଡ ଆବେଦନ ପାଇଁ କେବଳ ଆଧାରକୁ ପ୍ରମାଣ ଭାବେ ବ୍ୟବହାର କରାଯିବ। ଦଶମ ଶ୍ରେଣୀ ସାର୍ଟିଫିକେଟ୍ ଓ ପାସ୍ପୋର୍ଟର ନକଲ ବାଧ୍ୟତାମୂଳକ ରହିବ ନାହିଁ।
୩. ରେଳ ଟିକଟ: ରେଳ ଟିକଟ ବାତିଲ ନିୟମ କଡ଼ାକଡ଼ି ହେବ। ଟ୍ରେନ୍ ଛାଡ଼ିବାର ୮ ଘଣ୍ଟା ପୂର୍ବରୁ ଟିକଟ ବାତିଲ କଲେ କୌଣସି ରିଫଣ୍ଡ୍ ମିଳିବ ନାହିଁ।
୪. ଏଲ୍ପିଜି ଦର: ପ୍ରତି ମାସର ପ୍ରଥମ ଦିନରେ ତୈଳ କମ୍ପାନିଗୁଡ଼ିକ ଏଲ୍ପିଜି ଓ ବିମାନ ଇନ୍ଧନ ମୂଲ୍ୟରେ ସଂଶୋଧନ କରିଥାନ୍ତି। ଯୁଦ୍ଧ ଆରମ୍ଭ ହେବା ପରେ ପୂର୍ବରୁ ଥରେ ଦର ବଢ଼ିସାରିଛି। ତେଣୁ ଏପ୍ରିଲ୍ରେ କ’ଣ ହେବ ତାହାକୁ କେବଳ ଅପେକ୍ଷା।
୫. ଫାସ୍ଟ୍ୟାଗ୍: ଫାସ୍ଟ୍ୟାଗ୍ର ବାର୍ଷିକ ପାସ୍ ପାଇଁ ଚାର୍ଜ ୩୦୦୦ ଟଙ୍କାରୁ ବୃଦ୍ଧି ପାଇ ୩୦୭୫ ଟଙ୍କା ହେବ।
୬. ଶ୍ରମ ସଂହିତା: କେନ୍ଦ୍ର ସରକାର ନୂଆ ଶ୍ରମ ନିୟମ ଓ ଚାରି ଶ୍ରମ ସଂହିତା ଲାଗୁ କରିବେ। ତାହାର ପ୍ରଭାବରେ ହାତକୁ ଆସୁଥିବା ବେତନ ପରିମାଣ କମିବ। କର୍ମଚାରୀଙ୍କୁ କିନ୍ତୁ ଅଧିକ ଗ୍ରାଚୁଇଟି ମିଳିବ।
୭. ସୁନା ବଣ୍ଡ୍ରେ ଟିକସ: ସୋଭରେନ୍ ଗୋଲ୍ଡ ବଣ୍ଡ୍ (ଏସ୍ଜିବି) ଉପରେ ସରକାର ଲଗାଇଥିବା ପୁଞ୍ଜି ଲାଭ ଟିକସ ଏପ୍ରିଲ୍ ପହିଲାରୁ ଲାଗୁ ହେବ।
୮. ଏଟିଏମ୍ ଶୁଳ୍କ: ବନ୍ଧନ ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ପକ୍ଷରୁ ଏଟିଏମ୍ ବ୍ୟବହାର ନିୟମରେ କରାଯାଇଥିବା ପରିବର୍ତ୍ତନ ଲାଗୁ ହେବ।
ସୌଜନ୍ୟ ସମ୍ବାଦ
