
ଭୁବନେଶ୍ବର: ପୂର୍ବତନ ଖେଳାଳି, ବିଶିଷ୍ଟ କ୍ରୀଡ଼ା ପ୍ରଶାସକ, କ୍ରୀଡ଼ା ସ୍ତମ୍ଭକାର ଅଶୋକ ମହାନ୍ତି (ଡୁଲୁ) ପରଲୋକ ଗମନ କରିଛନ୍ତି। ତାଙ୍କୁ ୭୬ ବର୍ଷ ହୋଇଥିଲା। ବେଶ୍ କିଛି ଦିନ ଧରି ଅସୁସ୍ଥ ଥିବା ଅଶୋକ ମହାନ୍ତି ଶନିବାର ଶେଷନିଶ୍ବାସ ତ୍ୟାଗ କରିଛନ୍ତି। ପତ୍ନୀ, ବିବାହିତ ପୁଅ ଓ ଝିଅଙ୍କୁ ଛାଡ଼ିଯାଇଛନ୍ତି। ଶେଷ ପର୍ଯ୍ୟନ୍ତ କିନ୍ତୁ ସେ ବିଭିନ୍ନ ଖବରକାଗଜରେ ସ୍ତମ୍ଭ ଲେଖିବା ସହ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିଲେ। ପୁରୀ ସ୍ବର୍ଗଦ୍ବାରରେ ଅନ୍ତ୍ୟେଷ୍ଟି ସମ୍ପନ୍ନ ହୋଇଛି। ତାଙ୍କ ବିୟୋଗରେ ରାଜ୍ୟ କ୍ରୀଡ଼ା ଦୁନିଆରେ ଶୋକର ଛାୟା ଖେଳିଯାଇଛି।
ହକି କିଂବଦନ୍ତି ପଦ୍ମଶ୍ରୀ ଦିଲୀପ ତିର୍କି, ଅଲିମ୍ପିଆନ୍ ଧାବିକା ଶ୍ରାବଣୀ ନନ୍ଦଙ୍କ ସହିତ ଭୁବନେଶ୍ବର ଦୌଡ଼କୁଦ ସଂଘ (ବିଏଏ) ସମ୍ପାଦକ ଡକ୍ଟର ସୌର୍ଯ୍ୟରଂଜନ ପରିଜା, ଫୁଟ୍ବଲ୍ ସମ୍ପାଦକ ଦିଲୀପ କୁମାର ଦାସ, ଭୁବନେଶ୍ବର ଭେଟେରାନ୍ ଫୁଟ୍ବଲ୍ ଖେଳାଳି ସଂଘ ସଭାପତି ନବରଂଜନ ପଟ୍ଟନାୟକ, ସମ୍ପାଦକ ପ୍ରଫୁଲ୍ଲ କୁମାର ମିଶ୍ର, ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ ସଭାପତି ସନ୍ଦୀପ ମିଶ୍ର, କାର୍ଯ୍ୟକାରୀ ସଭାପତି ସମୀକ୍ଷା ପଟ୍ଟନାୟକ, ସମ୍ପାଦକ ତପନ ସ୍ବାଇଁ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
ରାଜ୍ୟ କ୍ରୀଡ଼ା ଦୁନିଆରେ ଡୁଲୁ ଭାଇ ନାମରେ ପରିଚିତ ଅଶୋକ ମହାନ୍ତି ସ୍କୁଲ୍, କଲେଜ ଓ ବିଶ୍ବବିଦ୍ୟାଳୟ ସ୍ତରରେ ହକି, ଫୁଟ୍ବଲ୍, ଟେବୁଲ୍ ଟେନିସ୍, ବାସ୍କେଟ୍ବଲ୍ ଖେଳିଥିଲେ। ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗରୁ ସହକାରୀ ନିର୍ଦ୍ଦେଶକ ଭାବେ ୨୦୦୯ରେ ଅବସର ଗ୍ରହଣ କରିଥିଲେ।
ଓଡ଼ିଶା କ୍ରୀଡ଼ାର ଜ୍ଞାନମଣ୍ଡଳ ଭାବେ ପ୍ରତିଷ୍ଠିତ ଶ୍ରୀ ମହାନ୍ତି ଏକାଧିକ ପୁରସ୍କାର ମଧ୍ୟ ହାତେଇଥିଲେ। ବାଲିଅନ୍ତା ବ୍ଲକ୍ ବେଣୁପୁର ଗାଁର ମୂଳଅଧିବାସୀ ଥିଲେ ମଧ୍ୟ ଅବସର ପରଠାରୁ ଭୁବନେଶ୍ବର ଗୌତମ ନଗରଠାରେ ରହୁଥିଲେ। ହକି କିଂବଦନ୍ତି ମେଜର ଧ୍ୟାନଚାନ୍ଦଙ୍କୁ କଟକରେ ଭେଟିବା ଭଳି ପ୍ରଚୁର ଅଭିଜ୍ଞତା ବି ରଖିଥିଲେ। ୩୩ ବର୍ଷର ନିଜ ଚାକିରି ଜୀବନକାଳ ମଧ୍ୟରେ ସେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଣୟନ, ଖେଳାଳିଙ୍କୁ ଆର୍ଥିକ ପ୍ରୋତ୍ସାହନ, ଅନ୍ତର୍ଜାତୀୟ ଖେଳାଳିଙ୍କୁ ପ୍ଲଟ୍ ପ୍ରଦାନ ଆଦି ଭଳି ବହୁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ।
ସୌଜନ୍ୟ ସମ୍ବାଦ




