ରାଜ୍ୟ

Odisha HC Emphasizes Guidelines for DJ ଡିଜେ ପାଇଁ ଗାଇଡଲାଇନ ପ୍ରଣୟନ କରିବା ଉପରେ ହାଇକୋର୍ଟଙ୍କ ଗୁରୁତ୍ବାରୋପ

ଡିଜେ, ସାଉଣ୍ଡ ସିଷ୍ଟମ ଓ ବାଦ୍ୟଯନ୍ତ୍ର ବ୍ୟବହାର ନେଇ ଯଥାଶୀଘ୍ର ଗାଇଡଲାଇନ ପ୍ରଣୟନ ଉପରେ ଓଡ଼ିଶା ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ୬ ସପ୍ତାହ ମଧ୍ୟରେ ଗାଇଡଲାଇନ ଆଣିବା ନିଶ୍ଚିତ କରିବାକୁ ଜଗତସିଂହପୁର ଏସ୍‌ଡିଏମ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କଟକ: ଡିଜେ ଓ ଅନ୍ୟ ସାଉଣ୍ଡ ସିଷ୍ଟମ, ବାଦ୍ୟଯନ୍ତ୍ର ବ୍ୟବହାର ପ୍ରସଂଗରେ ଯଥାଶୀଘ୍ର ଗାଇଡ଼ଲାଇନ ଆଣିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏହି ପ୍ରସଂଗରେ ୬ ସପ୍ତାହ ଭିତରେ ଗାଇଡଲାଇନ ଆଣିବା ପ୍ରସଂଗ ସୁନିଶ୍ଚିତ କରିବାକୁ ଜଗତସିଂହପୁର ସବ୍‌-ଡିଭିଜିନାଲ ମାଜିଷ୍ଟ୍ରେଟ(ଏସଡିଏମ)ଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଡିଜେ ବ୍ୟବହାର ଉପରେ କଟକଣା ଜାରି ଜଗତସିଂହପୁର ଏସଡିଏମ ଜାରି କରିଥିବା ୨୦୨୬, ସେ‌ପ୍ଟେମ୍ବର ୧୫ର ଆଦେଶନାମା ବିରୋଧରେ ଜଗନ୍ନାଥ ଟେଣ୍ଟ ଲାଇଟ ଆଣ୍ଡ ସାଉଣ୍ଡ ଓନର ଆସୋସିଏସନ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ମାମଲାର ଶୁଣାଣି ବେଳେ ସରକାରଙ୍କ ତରଫରୁ ଏଜିଏ ସର୍ବେଶ୍ବର ବେହେରା ଦର୍ଶାଇଥିଲେ ଯେ ଡିଜେ ପାଇଁ ବୟସାଧିକ ଓ ଅସୁସ୍ଥ ବ୍ୟକ୍ତି ଅସୁବିଧାରେ ପଡ଼ୁଛନ୍ତି। ଡିଜେରୁ ବିକଟାଳ ଓ ପ୍ରଚଣ୍ଡ ଶବ୍ଦ ବାହାରୁଛି। ତେଣୁ ଡିଜେ ଉପରେ କଟକଣା ଜାରି କରି ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଆଇନ ସମ୍ମତ ବୋଲି ଶ୍ରୀ ବେହେରା ଯୁକ୍ତିରେ ଦର୍ଶାଇଥିଲେ।

ଅନ୍ୟପକ୍ଷରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ନିୟମ ଅନୁସାରେ ଓ ନିର୍ଦ୍ଧାରିତ ମାପଦଣ୍ଡ ଭିତ‌ରେ ଡିଜେ, ସାଉଣ୍ଡ ସିଷ୍ଟମ ବ୍ୟବହାର କରିବା ପାଇଁ ଅନୁମତି ଦିଆଯିବା ଉଚିତ। ସମାନ ପ୍ରସଂଗ ନେଇ ୨୦୨୪ରେ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ଡିଜେରୁ ୬୫ ଡେସିବେଲରୁ ଅଧିକର ଶବ୍ଦ ବାହାରୁଥିବା ଦର୍ଶାଯାଇ ବିବାହ ଓ ଅନ୍ୟ ଶୋଭାଯାତ୍ରାରେ ଏହା ଉପରେ କଟକଣା ଜାରି କରାଯାଇଥିଲା। ସାଉଣ୍ଡ ସିଷ୍ଟମ ଓ ଅନ୍ୟ ବାଦ୍ୟଯନ୍ତ୍ର ବ୍ୟବହାର ପ୍ରସଂଗରେ ଆବଶ୍ୟକ ଗାଇଡଲାଇନ ଜାରି କରିବାକୁ ୨୦୨୪, ଅକ୍ଟୋବର ୩ରେ ହାଇକୋର୍ଟ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ପାଳନ କରି କୌଣସି ଗାଇଡଲାଇନ ଜାରି କରାଯାଇ ନାହିଁ। ଅନ୍ୟପକ୍ଷରେ ୨୦୨୪ ଭଳି ସମାନ ଧରଣର କଟକଣା ଗଣେଶ ପୂଜା ଭସାଣି ପାଇଁ ଜାରି କରି ଗତ ସେପ୍ଟେମ୍ବର ୧୫ରେ ନିର୍ଦ୍ଦେଶନାମା ଏସଡିଏମ ପ୍ରଦାନ କରିଥିଲେ। ଓଡ଼ିଶା ଫାୟାର ୱାର୍କସ ଆଣ୍ଡ ଲାଉଡ ସ୍ପିକରସ୍‌ (ରେଗୁଲେସନ) ଆଇନ, ୧୯୫୮ ଅନୁସାରେ ଡିଜେ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ଡିଜେ ଉପ‌ରେ ସଂପୂର୍ଣ୍ଣ କଟକଣା ଜାରି କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଆବଶ୍ୟକ ଗାଇଡଲାଇନ ନ ଆଣି ଏପରି କଟକଣା ଜାରି କରାଯିବା ଉଚିତ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button