ଖେଳ

Odisha T20 League: ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌: କେନ୍ଦୁଝର ମାଇନର୍ସ, କଟକ ପାନ୍ଥର୍ସ ବିଜୟୀ

ବାରବାଟୀ ଷ୍ଟାଡିୟମରେ ଚାଲିଥିବା ‘ଭାରତ ମସଲା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫି’ର ରବିବାର କେନ୍ଦୁଝର ମାଇନର୍ସ ଓ କଟକ ପାନ୍ଥର୍ସ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ କେନ୍ଦୁଝର ମାଇନର୍ସ ୪୭ ରନ୍‌ରେ ରାଉରକେଲା ସୁପରଷ୍ଟର୍‌ସକୁ ପରାସ୍ତ କରିଥିଲା।

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ‘ଭାରତ ମସଲା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫି’ର ରବିବାର କେନ୍ଦୁଝର ମାଇନର୍ସ ଓ କଟକ ପାନ୍ଥର୍ସ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ କେନ୍ଦୁଝର ମାଇନର୍ସ ୪୭ ରନ୍‌ରେ ରାଉରକେଲା ସୁପରଷ୍ଟର୍‌ସକୁ ପରାସ୍ତ କରିଥିଲା। କେନ୍ଦୁଝର ୨୦ ଓଭରରେ ୭ ୱିକେଟ୍‌ ହରାଇ ୨୦୨ ରନ୍‌ ସ୍କୋର କରିଥିଲା। ଅଧିନାୟକ ଶୁଭ୍ରାଂଶୁ ସେନାପତି ୬୫ (୪୦ ବଲ୍‌) ଏବଂ ସ୍ବାଗତ ମିଶ୍ର ୭୯ ରନ୍‌ କରିଥିବା ବେଳେ ରାଉରକେଲା ପକ୍ଷରୁ ଆଶୁତୋଷ ମାରାଣ୍ଡି ଓ ଓମ୍‌କାର ମହାନ୍ତି ଗୋଟିଏ ଲେଖାଏଁ ଏବଂ ପପୁ ରାୟ ଓ ସୌଭାଗ୍ୟ ରାଉତ ଦୁଇଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ରାଉରକେଲା ୧୯.୧ ଓଭରରେ ୯ ୱିକେଟ୍‌ ହରାଇ ୧୫୫ ରନ୍‌ କରି ମ୍ୟାଚ୍‌କୁ ହାତଛଡା କରିଥିଲା। ରାଉରକେଲା ପକ୍ଷରୁ ଅଭିଷେକ ଯାଦବ ୭୧ ରନ୍‌ (୩୦ ବଲ, ୧୦ ଚୌକା, ୩ ଛକା) କରିଥିବା ବେଳେ ସାଥୀ ଖେଳାଳି ସାୱନ ପହରିଆ ୩୭ ରନ୍‌ (୨୫ ବଲ) ସ୍କୋର କରିଥିଲେ। କେନ୍ଦୁଝର ପକ୍ଷରୁ ଦେବବ୍ରତ ପ୍ରଧାନ ୪ଟି, ଭଗିଶ ଶର୍ମା, ବିମଳ କୁମାର ୨ଟି ‌‌ଲେଖାଏଁ ୱିକେଟ୍‌ ନେଇ ସୁପରଷ୍ଟାରଙ୍କ ବ୍ୟାଟିଂ ବିପର୍ଯ୍ୟୟର କାରଣ ସାଜିଥିଲେ। ସ୍ବାଗତ ମିଶ୍ର ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଓ ଶୁଭ୍ରାଂଶୁ ସେନାପତି ମୋମେଣ୍ଟ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଭାରତ ମସଲା ନିର୍ଦ୍ଦେଶକ ଶ୍ରୀମନ୍ତ ପଣ୍ଡା ଓ ରାଉରକେଲା ସୁପରଷ୍ଟର୍‌ସ ପ୍ରତିନିଧି ବିବେକ ଖୁରାନିଆ ଅତିଥି ଭାବେ ସ୍ବାଗତ ଓ ଶୁଭ୍ରାଂଶୁଙ୍କୁ ପୁରସ୍କୃତ କରିଥିଲେ।

ଦ୍ବିତୀୟ ମ୍ୟାଚ୍‌ରେ କଟକ ପାନ୍ଥର୍ସ ୯ ୱିକେଟ୍‌ରେ ପୁରୀ ଟାଇଟନ୍‌ସକୁ ପରାସ୍ତ କରିଛି। ବର୍ଷା ପ୍ରଭାବିତ ୧୦ ଓଭର ବିଶିଷ୍ଟ ମ୍ୟାଚ୍‌ରେ ପୁରୀ ଟାଇଟନ୍‌ସ  ୭ ୱିକେଟ୍‌ ହରାଇ ୫୪ ରନ୍‌ କରିଥିଲା। ପାନ୍ଥର୍ସ ପକ୍ଷରୁ ପ୍ରଶାନ୍ତ ରଣା ୩ ଓ ସାହିଲ ପ୍ରସାଦ ୨ ୱିକେଟ୍‌ ନେଇ ପୁରୀ ବ୍ୟାଟିଂରେ ରୋକ ଲଗାଇଥିଲେ। ଜବାବରେ କଟକ ପାନ୍ଥର୍ସ ନିର୍ଦ୍ଧାରିତ ୫ ଓଭରରେ ଗୋଟିଏ ମାତ୍ର ୱିକେଟ୍‌ ହରାଇ ୫୬ ରନ୍‌ କରି ୯ ୱିକେଟ୍‌ରେ ବିଜୟ ହାସଲ କରିିଥିଲା। ପ୍ରଶାନ୍ତ ରଣା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଓ ସାହିଲ ପ୍ରସାଦ ମୋମେଣ୍ଟ ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଭାରତ ମସଲା ନି‌ର୍ଦ୍ଦେଶକ ଆଶୁତୋଷ ପଣ୍ଡା ଓ ଆଲଭିନ ରୋଡ୍ରିଗ୍‌ସ ଅତିଥି ଭାବେ ପ୍ରଶାନ୍ତ ଓ ସାହିଲଙ୍କୁ ପୁରସ୍କୃତ ପ୍ରଦାନ କରିଥିଲେ। ଆସନ୍ତା ୩୦ ତାରିଖରେ ଏହି ପ୍ରତିଯୋଗିତାର ଫାଇନାଲ୍‌ ଖେଳାଯିବ ବୋଲି ଓସିଏ ସୂତ୍ରରୁ ଜଣାପଡ଼ିଛି।

ରାଉରକେଲା ସୁପରଷ୍ଟାର୍‌ସ ବିଜୟୀ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ‘ଭାରତ ମସଲା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌ ସିଏମ୍‌ ଟ୍ରଫି’ ଶନିବାର ରାତି ମ୍ୟାଚ୍‌ରେ ରୋମାଞ୍ଚକ ଭାବେ ଭୁବନେଶ୍ବର ଟାଇଗର୍ସ ବିପକ୍ଷରେ ରାଉରକେଲା ସୁପରଷ୍ଟାର୍‌ସ ୩ ୱିକେଟ୍‌ରେ ବିଜୟୀ ହୋଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ବର ଟାଇଗର୍ସ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୪୯ ରନ କରିଥିଲା। ଅଧିନାୟକ ସ୍ବସ୍ତିକ ସାମଲ ୧୦ ରନ୍‌, ସମ୍ବିତ ବେଜା ୨୫ ରନ୍ (୧୯ ବଲ), ଶ୍ରେୟାଂଶୁ ଭରଦ୍ବାଜ୍‌  ୩୯ ରନ୍‌ (୨୮ ବଲ), ରୁଦ୍ରପ୍ରସାଦ ମଲ୍ଲିକ ୪୭ ରନ୍‌ (୩୫ ବଲ) ସଂଗ୍ରହ କରିଥିଲେ। ରାଉରକେଲା ପପୁ ରାୟ ୨ ୱିକେଟ ନେଇଥିବା ବେଳେ ଆଶୁତୋଷ ମାରାଣ୍ଡି, ଓମ୍‌କାର ମହାନ୍ତି, ଅଧିନାୟକ ଗୋବିନ୍ଦ ପୋଦାର, ସମ୍ବିତ ବରାଳ, ସୌଭାଗ୍ୟ ରାଉତ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button