ମହାନଗର

Pahala Rasgola Bazaar: ପାହାଳ ରସଗୋଲା ବଜାରରେ ଚଢ଼ଉ ଚଡ଼କ: ଦାଉ ସାଧୁଛି ଚିନି ଦର ବୃଦ୍ଧି

ଓଡ଼ିଶା ପ୍ରସିଦ୍ଧ ପାହାଳ ରସଗୋଲା ବଜାରରେ ଏବେ ଘୋର ମାନ୍ଦାବସ୍ଥା ଦେଖାଦେଇଛି। ଅପମିଶ୍ରିତ ଛେନା କାରବାର ଉପରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ଉ ଏହି ମିଠାବଜାରରେ ଚଡ଼କ ପକାଇଛି।

ବାଲିଅନ୍ତା ବଜାର: ଓଡ଼ିଶା ପ୍ରସିଦ୍ଧ ପାହାଳ ରସଗୋଲା ବଜାରରେ ଏବେ ଘୋର ମାନ୍ଦାବସ୍ଥା ଦେଖାଦେଇଛି। ଅପମିଶ୍ରିତ ଛେନା କାରବାର ଉପରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ଉ ଏହି ମିଠାବଜାରରେ ଚଡ଼କ ପକାଇଛି। ତିନି ଦିନ ହେଲା ଏହି ବଜାରକୁ ଛେନା ଆମଦାନି ବହୁ ପରିମାଣରେ କମିଛି। ସେହିଭଳି ଏତିକିବେଳକୁ ଚିନି ଦର ବୃଦ୍ଧି ବି ବେପାରୀଙ୍କ ଉପରେ ଦାଉ ସାଧୁଛି। ‌ଛେନା ଅଭାବ ଓ ଚିନି ଦର ବୃଦ୍ଧି ପାଇଁ ବେପାର ପୂରା ମାନ୍ଦା ପଡ଼ିଥିବାରୁ ବେପାରୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ସେହିଭଳି ମିଠା ମିସ୍ତ୍ରିମାନଙ୍କ ହାତ ବନ୍ଦ ହୋଇଯାଇଥିବାରୁ ସେମାନଙ୍କ ପରିବାର ଚିନ୍ତା ବଢ଼ିଯାଇଛି।

ପାହାଳ ମିଠା ବ୍ୟବସାୟୀମାନଙ୍କ କହିବା କଥା ଏଠାକୁ ନିଆଳି ଓ ଅଡ଼ଶପୁର ଅଞ୍ଚଳରୁ ପ୍ରଚୁର ଛେନା ଆମଦାନି ହୋଇଥାଏ। ଗୋପାଳକ ଓ ଅନ୍ୟ ଦୁଗ୍‌ଧ ବେପାରୀମାନେ ନିୟମିତ ଛେନା ଯୋଗାଇଥାଆନ୍ତି। ଛେନା କିଣିବା ବେଳେ ବ୍ୟବସାୟୀମାନେ କେବଳ ବାସି କି ସଜ ବୋଲି ପରୀକ୍ଷା କରନ୍ତି। ଅପମିଶ୍ରଣ ଛେନା ବୋଲି ଯାଞ୍ଚ କରିବାକୁ ସେମାନଙ୍କ ନିକଟରେ ସାଧନ ନାହିଁ କି ସେମାନେ ସମୟ ପାଆନ୍ତି ନାହିଁ। ସବୁ ବିଶ୍ବାସ ଓ ଭରସାରେ ଚାଲେ। ଏବେ କିଛି ଦିନ ହେଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର ଓ କଟକରେ ପନିର ଓ ଛେନାର ମାନକୁ ଯାଞ୍ଚ କରାଯାଉଛି। ଅପମିଶ୍ରିତ ପନିର ଓ ଛେନା ନଷ୍ଟ କରାଯାଉଛି। ତେଣୁ ଦୁଇ ଦିନ ହେଲା ପାହାଳକୁ ବହୁ କମ୍‌ ପରିମାଣର ଛେନା ଆସୁଛି। ପୂର୍ବରୁ ଏହି ବଜାରର ପାଖାପାଖି ଶହେ ଦୋକାନକୁ ନିହାତି ୪୦ କ୍ବିଣ୍ଟାଲ ଛେନା ଆସୁଥିଲା। କିନ୍ତୁ ଏବେ ୧୦ କ୍ବିଣ୍ଟାଲ୍‌ ଛେନା ଆସିବା କଷ୍ଟ ହୋଇପଡ଼ୁଛି। ନିଆଳିରୁ କିଛି ଗୋପାଳକ ଛେନା ଯୋଗାଉଛନ୍ତି। ଯେଉଁଠି ଦୈନିକ ୪୦ କ୍ବିଣ୍ଟାଲ ଛେନା ଆବଶ୍ୟକ ହେଉଥିଲା, ଏବେ ୧୦ କ୍ବିଣ୍ଟାଲ ଛେନାରେ କି ବେପାର ହେବ ବୋଲି ବ୍ୟବସାୟୀମାନେ ପ୍ରଶ୍ନ କରିଛନ୍ତି। ତେଣୁ ମିଠା କାରିଗରମାନେ ହାତବାନ୍ଧି ବସିଛନ୍ତି। ଏଣେ ବାଧ୍ୟହୋଇ ମିଠା ଦର ବଢ଼ାଇବାରୁ ବେପାର ବି କମୁଛି। ରାଖି ପୂର୍ଣ୍ଣିମା ପାଇଁ ମିଠା ବେପାର ଭଲ ହେବ ବୋଲି ଯେଉଁ ଆଶା ଥିଲା, ତାହା ମରିଯାଇଛି ବୋଲି ପାହାଳ ମିଠା ବ୍ୟବସାୟୀ ସଂଘର ସଭାପତି ଅକ୍ଷୟ କୁମାର ଲେଙ୍କା କହିଛନ୍ତି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button