ସିଡନୀ: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବିଚ୍ଠାରେ ରବିବାର ସନ୍ଧ୍ୟାରେ ଇହୁଦୀମାନଙ୍କ ‘ହାନୁକା’ ଉତ୍ସବରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଜଣେ ୧୦ ବର୍ଷର ଶିଶୁ ଅଛନ୍ତି। ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୦ ବର୍ଷରୁ ୮୭ ବର୍ଷ ବର୍ଗର ଲୋକ ଅଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସିଡନୀରେ ହୋଇଥିବା ଏହି ବର୍ବର ଆକ୍ରମଣ ପଛରେ ପାକିସ୍ତାନର ବାପା ଓ ପୁଅ ଯୋଡ଼ି ରହିଛନ୍ତି। ୫୦ ବର୍ଷୀୟ ସାଜିଦ୍ ଆକ୍ରମର ପୁଲିସ ଗୁଳିରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସାଜିଦ୍ର ୨୪ ବର୍ଷୀୟ ପୁଅ ନବିଦ ଆକ୍ରମ ପୁଲିସ ଗୁଳିରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛି। ନବିଦର ସ୍ଥିତି ଗୁରୁତର ରହିଥିବାବେଳେ ପୁଲିସ ତା’ ଉପରେ କଡ଼ା ନଜର ରଖିଛି। ଏହି ଆତଙ୍କବାଦୀ ଆକ୍ରମଣ ପଛରେ ଅନ୍ୟ କୌଣସି ଆତଙ୍କବାଦୀଙ୍କ ସମ୍ପୃକ୍ତି ନଥିବା ଅଷ୍ଟ୍ରେଲିଆ ପୁଲିସ ସ୍ପଷ୍ଟ କରିଛି। ସାଜିଦର ଗାଡ଼ିରୁ ଆଇଏସ୍ଆଇଏସ୍ ଆତଙ୍କବାଦୀ ସଙ୍ଗଠନର ପତାକା ଓ ବିସ୍ଫୋରକ ମିଳିଛି। ସିଡନୀର ବନିରିଗ୍ସ୍ଥିତ ସାଜିଦ ଘରେ ଚଢ଼ଉ କରାଯାଇଛି। ସାଜିଦ ୧୯୯୮ରେ ଛାତ୍ର ଭିସାରେ ଅଷ୍ଟ୍ରେଲିଆ ଆସିଥିଲା। ୨୦୦୧ରେ ତାକୁ ସ୍ଥାୟୀ ଭିସା ମିଳି ଯାଇଥିଲା। ଏହା ପରଠାରୁ ସେ ତିନିଥର ବିଦେଶ ଯାତ୍ରା କରିସାରିଛି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଏହି ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହିତ ଏହାକୁ ଇହୁଦୀ ବିରୋଧୀ ଆତଙ୍କବାଦୀ ଆକ୍ରମଣ ବୋଲି କହିଛନ୍ତି। ସେ ଏପରି ସମୟରେ ଦେଶବାସୀଙ୍କୁ ଏକାଠି ରହିବାକୁ ଆହ୍ବାନ ଦେଇଛନ୍ତି। ସମସ୍ତଙ୍କୁ ଘୃଣା ଏବଂ ଆତଙ୍କ ବିରୋଧରେ ଏକତ୍ରିତ ହେବାକୁ ପଡ଼ିବ ବୋଲି କହିଛନ୍ତି।

