ଭୁବନେଶ୍ବର: ରାଜ୍ୟର ପ୍ରତିିଟି ନାଗରିକଙ୍କ ମୁଣ୍ଡରେ ଋଣ। ପ୍ରତି ଓଡ଼ିଆଙ୍କ ମୁଣ୍ଡରେ ହାରାହାରି ୨୫,୮୨୮ ଟଙ୍କାର ଋଣ ବୋଝ ରହିଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ଉତ୍ତର ଅନୁଯାୟୀ ରାଜ୍ୟର ଋଣ ଗତ ୧୦ ବର୍ଷରେ ଉଲ୍ଲେଖନୀୟ ଭାବେ ବଢ଼ିଛି। ୨୦୧୫-୧୬ରେ ରାଜ୍ୟର ମୋଟ୍ ଋଣ ଭାର ୫୨,୦୧୭.୩୩ କୋଟି ଟଙ୍କା ଥିଲା। ତେଣୁ ସେହି ବର୍ଷ ମୁଣ୍ଡପିଛା ଋଣ ୧୧,୮୭୬.୧୦ ଟଙ୍କା ରହିଥିଲା। ୨୦୨୫-୨୬ରେ ମୋଟ୍ ଋଣ ୧,୨୦,୭୧୦.୧୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଫଳସ୍ବରୂପ ମୁଣ୍ଡପିଛା ଋଣ ସେହି ଆର୍ଥିକ ବର୍ଷରେ ୨୫,୮୨୮.୧୦ଟଙ୍କା ହୋଇଛି।
୨୦୧୪-୧୫ରେ ଥିଲା ୧୧,୮୭୬ ଟଙ୍କା
୨୦୨୪-୨୫ରେ ୨୫,୮୨୮ ଟଙ୍କା
୨୦୧୪-୧୫ରୁ ୨୦୨୫ ମଧ୍ୟରେ ରାଜ୍ୟର ମୋଟ୍ ଋଣରେ ୧୩୨.୦୫ ପ୍ରତିଶତର ବୃଦ୍ଧି ଘଟିଛି। ସମାନ ସମୟରେ ମୁଣ୍ଡପିଛା ଋଣ ପରିମାଣ ୧୧୭.୪୮ ପ୍ରତିଶତ ବୃଦ୍ଧି ପାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୬-୧୭ରେ ରାଜ୍ୟର ମୋଟ୍ ଋଣ ୬୨,୧୩୫.୪୬ କୋଟି ଟଙ୍କା, ୨୦୧୭୦୧୮ରେ ୭୩,୮୬୪.୬୭ କୋଟି ଟଙ୍କା, ୨୦୧୮-୧୯ରେ ୮୧,୬୭୫.୩୨ କୋଟି ଟଙ୍କା, ୨୦୧୯-୨୦ରେ ୯୨,୭୭୫.୧୮ କୋଟି ଟଙ୍କା ରହିଥିଲା। କୋଭିଡ୍ ମହାମାରୀ ବ୍ୟାପିବା କାରଣରୁ ୨୦୨୦-୨୧ରେ ରେକର୍ଡ ୧,୦୪,୪୫୨.୨୧ କୋଟି ଟଙ୍କାର ଋଣ କରିବାକୁ ପଡ଼ିଥିଲା। ୨୦୨୧-୨୨ରେ ଋଣ ପରିମାଣ ୯୭,୨୦୪.୯୯ କୋଟି ଟଙ୍କା ଓ ୨୦୨୨-୨୩ରେ ୮୮,୧୬୪.୮୩ କୋଟି ଟଙ୍କାକୁ ହ୍ରାସ ପାଇଥିଲା। କିନ୍ତୁ ୨୦୨୩-୨୪ରେ ସରକାର ୯୬,୩୧୦.୪୨ କୋଟି ଟଙ୍କାର ଋଣ କରିଥିଲେ। ଏହାର ଗୋଟିଏ ବର୍ଷ ପରେ ୨୦୨୪-୨୫ରେ ୨୪ ହଜାର କୋଟି ଟଙ୍କାର ଅଧିକ ଋଣ କରାଯାଇଥିଲା।
ରାଜ୍ୟ ସରକାରଙ୍କ ଋଣ କ୍ରମାଗତ ଭାବେ ବଢ଼ୁଥିଲେ ମଧ୍ୟ ବିତ୍ତୀୟ ଉତ୍ତରଦାୟୀ ଓ ବଜେଟ୍ ପରିଚାଳନା ନିୟମ ୨୦୦୫ରେ ନିର୍ଧାରଣ କରାଯାଇଥିବା ସୀମା ମଧ୍ୟରେ ତାହା ରହିଛି। ମୋଟ୍ ଜିଡିପିକୁ ଋଣ ଭାର ଅନୁପାତ ୨୫% ଭିତରେ ରଖିବାର ନିୟମ ଥିବା ବେଳେ ଓଡ଼ିଶାରେ ଏହି ହାର ୧୩.୩୭% ରହିଛି। ସେହିପରି ସୁଧ ଦେୟ ଓ ମୋଟ୍ ରାଜସ୍ବର ଅନୁପାତ ୧୫% ଭିତରେ ରହିବା ନିୟମ ଥିବା ବେଳେ ଓଡ଼ିଶାରେ ତାହା ୨.୮୭% ରହିଛି। ୨୦୨୬ ଜାନୁଆରି ସୁଦ୍ଧା ମୋଟ୍ ରାଜସ୍ବ ଆୟର ୨.୨୬% ଅର୍ଥ ସୁଧ ବାବଦରେ ପରିଶୋଧ କରାଯାଇଛି।
ସୌଜନ୍ୟ ସମ୍ବାଦ
