ଭୁବନେଶ୍ୱର: ରାଜ୍ୟ ସରକାର ୧୦ ନମ୍ବର ପ୍ରାକୃତିକ ନାଳର ପୁନରୁଦ୍ଧାର କଥା ଚିନ୍ତା କରୁଛନ୍ତି। ଜଳପଥକୁ ସୁଗମ କରିବା ସହ ଏହାର ଚତୁଃପାର୍ଶ୍ବ ସୌନ୍ଦର୍ଯ୍ୟୀକରଣ କରି ଅବସର ବିନୋଦନର ପ୍ରାଣକେନ୍ଦ୍ର କରିବାକୁ ଯୋଜନା କରିଛନ୍ତି। ଏପଟେ କିନ୍ତୁ ଜବରଦଖଲକାରୀମାନେ ମନଇଛା ନାଳକୁ ମାଡ଼ି ବସୁଛନ୍ତି ଓ ପୋତି ପକାଉଛନ୍ତି। ଯାହା ଉଭୟ ବର୍ଷା ଓ ବର୍ଜ୍ୟ ଜଳ ନିଷ୍କାସନରେ ପ୍ରତିବନ୍ଧକ ସାଜୁଛି। ଦୁର୍ଭାଗ୍ୟର କଥା ହେଉଛି, ସହର ସହ ତାଳ ଦେଇ ଗଢ଼ି ଉଠୁଥିବା କୋଠାବାଡ଼ିର ନିର୍ମାଣ ଭଗ୍ନାଂଶ ବି ଏହା ଭିତରେ ଫିଙ୍ଗାଯାଉଛି। ଯାହା ନାଳକୁ ଦୁଇପାର୍ଶ୍ବରୁ ପୋତିଦେଲାଣି। ଏହା ବର୍ଜ୍ୟଜଳ ନିଷ୍କାସନ ପଥ ତ ଅବରୋଧ କରୁଛି, ଆଗାମୀ ବର୍ଷାରେ ରାଜଧାନୀବାସୀଙ୍କୁ କଲବଲ କରିବା ସାର ହୋଇଛି।
ଭୁବନେଶ୍ବର ଛାତି ଉପରେ ବହି ଯାଇଥିବା ୧୦ ନମ୍ବର ନାଳ ଲମ୍ବ ପ୍ରାୟ ୫.୪୮ କିଲୋମିଟର। ବିଜେଡି ସରକାର ଅମଳରେ ଲେକ୍ ଜୋନ୍ ପ୍ରକଳ୍ପରେ ପର୍ଯ୍ୟାୟକ୍ରମେ ଏହାର ବିକାଶ ଯୋଜନା କରାଯାଇଥିଲା। ପଥଚାରୀଙ୍କ ପାଇଁ ଉଭୟ ପ୍ରାତଃ ଓ ସଂଧ୍ୟାକାଳୀନ ଭ୍ରମଣ ବ୍ୟବସ୍ଥା ସହ ସାଇକେଲ୍ ଟ୍ରାକ୍ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଥିଲା। ଏହି ପ୍ରକଳ୍ପ ଶୀତଳଭଣ୍ଡାରରେ ପଡ଼ିଥିବାବେଳେ ବର୍ତ୍ତମାନର ରାଜ୍ୟ ସରକାର ଏବେ ନୂଆରୂପରେ ଏହାର ବିକାଶ ଯୋଜନା କରିଛନ୍ତି। ଲେକ୍ ଜୋନ୍ ଯୋଜନାରେ ନିକୋ ପାର୍କ ସହ ୧୦ ନମ୍ବର ନାଳର ବିକାଶ କରିବାକୁ ନକ୍ସା ଆଙ୍କିଛନ୍ତି। କିନ୍ତୁ ଅମାନିଆମାନେ ଯେଉଁଭଳି ଏହି ନାଳକୁ ପୋତି ପକାଇଲେଣି, ତାହା ବିକାଶରେ ପ୍ରତିବନ୍ଧକ ସାଜିବାକୁ ଯାଉଛି। ସହିଦ୍ନଗର ଶ୍ମଶାନକୁ ଲାଗି ବହି ଯାଇଥିବା ୧୦ ନମ୍ବର ନାଳର ସ୍ଥିତି ଏହାର ପ୍ରକୃତି ଚିତ୍ର ବଖାଣୁଛି। ବମିଖାଲରୁ ଆଇଡିବିଆଇ ଛକ ପର୍ଯ୍ୟନ୍ତ ଲମ୍ବିଥିବା ରାସ୍ତା କଡ଼ରେ ଏକାଧିକ ବହୁତଳ କୋଠା ନିର୍ମାଣାଧୀନ ଅଛି।
ଏହାର ନିର୍ମାଣକାରୀ ସଂସ୍ଥାମାନେ ନିର୍ମାଣ ଭଗ୍ନାଂଶ ସବୁ ୧୦ ନମ୍ବର ନାଳ ଭିତରେ ଗଦାଉଛନ୍ତି। କେଉଁଠି ଭଙ୍ଗା ଇଟା, ଟାଇଲ୍ ଆଦି ଗଦା ହୋଇଛି ତ କେଉଁଠି ସିମେଣ୍ଟ ଛେଲା। ଏତେ ପରିମାଣର ଗଦା ହେଲାଣି ଯେ ଏହା ପାହାଡ଼ ଉଚ୍ଚ ହୋଇଗଲାଣି। ସେପଟେ ଅମାନିଆମାନେ ଘରର ଗଦି ଓ ଅନ୍ୟାନ୍ୟ ଆବର୍ଜନା ବି ଏହା ଭିତରେ ମନଇଛା ଫିଙ୍ଗୁଛନ୍ତି। ବଡ଼କଥା ହେଉଛି, ଏହି ସ୍ଥାନ ଭୁବନେଶ୍ବର ମହାନଗର ନିଗମ ମୁଖ୍ୟାଳୟ ସମ୍ମୁଖରେ। ତଥାପି ଏଥିପ୍ରତି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଏ ଦିଗରେ ଅସମ୍ଭବ ନିରବତା ଅବଲମ୍ବନ କରିବା ସନ୍ଦେହ ସୃଷ୍ଟି କରିଛି।
ସୌଜନ୍ୟ ସମ୍ବାଦ
