ରାଜ୍ୟ

Permanent magnets: ରାଜ୍ୟରେ ତିଆରି ହେବ ସ୍ଥାୟୀ ଚୁମ୍ବକ: ଲ୍ୟାବ୍‌ରେ ପ୍ରସ୍ତୁତ ହେବ ହୀରା, ଯାଜପୁରରେ ରେଳଡବା କାରଖାନା

ବିରଳ ମୃତ୍ତିକା (ରେୟାର ଆର୍ଥ) କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। ଲାର୍ସନ୍‌ ଆଣ୍ଡ ଟୁବ୍ରୋ (ଏଲ୍‌ଆଣ୍ଡଟି) ଲିମିଟେଡ୍‌ ଗଞ୍ଜାମରେ ଓ ଏନ୍‌ଏଭି ମ୍ୟାଗ୍ନେଟେକ୍‌ କଟକ/ଖୋର୍ଦ୍ଧାରେ ସ୍ବତନ୍ତ୍ର ମାନର ସ୍ଥାୟୀ ଚୁମ୍ବକ (ପର୍ମାନେଣ୍ଟ ମ୍ୟାଗ୍‌ନେଟ୍‌) ଉତ୍ପାଦନ କରିବେ।

ଭୁବନେଶ୍ବର: ବିରଳ ମୃତ୍ତିକା (ରେୟାର ଆର୍ଥ) କ୍ଷେତ୍ରରେ ଓଡ଼ିଶାକୁ ବଡ଼ ସଫଳତା ମିଳିଛି। ଲାର୍ସନ୍‌ ଆଣ୍ଡ ଟୁବ୍ରୋ (ଏଲ୍‌ଆଣ୍ଡଟି) ଲିମିଟେଡ୍‌ ଗଞ୍ଜାମରେ ଓ ଏନ୍‌ଏଭି ମ୍ୟାଗ୍ନେଟେକ୍‌ କଟକ/ଖୋର୍ଦ୍ଧାରେ ସ୍ବତନ୍ତ୍ର ମାନର ସ୍ଥାୟୀ ଚୁମ୍ବକ (ପର୍ମାନେଣ୍ଟ ମ୍ୟାଗ୍‌ନେଟ୍‌) ଉତ୍ପାଦନ କରିବେ। ଗଞ୍ଜାମରେ ୱାର୍ଲଡ୍‌ ଟାଇଟାନିୟମ୍‌ ତରଫରୁ ଟାଇଟାନିୟମ୍‌  ଡାୟସ୍କାଇଡ୍‌ ସ୍ଲାଗ୍‌ ଓ ପିଗ୍‌ମେଣ୍ଟ୍‌ ମଧ୍ୟ ଉତ୍ପାଦନ କରାଯିବ। ସ୍ମାର୍ଟଫୋନ୍‌ଠାରୁ ଇଲେକ୍ଟ୍ରିକ ଯାନ (ଇଭି) ପର୍ଯ୍ୟନ୍ତ ବିଭିନ୍ନ ଶିଳ୍ପରେ ସେଗୁଡ଼ିକୁ ବ୍ୟାପକ ଭାବେ ବ୍ୟବହାର କରାଯାଉଥିବାରୁ ଆଗାମୀ ଦିନରେ ଓଡ଼ିଶା ତାହାର ଏକ ପ୍ରମୁଖ ଯୋଗାଣକାରୀ ଭାବେ ଉଭା ହେବ। ଏହି ଦୁଇ ପ୍ରକଳ୍ପ ସମେତ ୭୬,୬୧୧.୮୬ କୋଟି ଟଙ୍କା ପୁଞ୍ଜିନିବେଶର ୨୦ଟି ଶିଳ୍ପ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୪୫ତମ ଉଚ୍ଚସ୍ତରୀୟ ମଞ୍ଜୁରି କର୍ତ୍ତୃପକ୍ଷ (ଏଚ୍‌ଏଲ୍‌ସିଏ) ବୈଠକରେ ଆଜି ଅନୁମୋଦନ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟ‌ରେ ୫୦,୫୧୭ କୋଟି ଟଙ୍କାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଛି।

ଏଚ୍‌ଏଲ୍‌ସିଏ ବୈଠକରେ ୭୬,୬୧୧ କୋଟିର ୨୦ ପ୍ରକଳ୍ପ ମଞ୍ଜୁର

ଲ୍ୟାବ୍‌ ଗ୍ରୋନ୍‌ ଡାଇମଣ୍ଡ କ୍ଷେତ୍ରର ତିନିଟି ପ୍ରକଳ୍ପକୁ ବୈଠକରେ ମଞ୍ଜୁର କରାଯାଇଛି। ଖୋର୍ଦ୍ଧାରେ କିରା ଡିଆମ୍‌ ଏଲ୍‌ଏଲ୍‌ପି, ଅଞ୍ଜଳି ଲ୍ୟାବ୍‌ଟେକ୍‌ ଓ ଗ୍ରୋ ମ୍ୟାଗ୍ନିଫିସେଣ୍ଟ୍‌ ତିନିଟି କାରଖାନା ସ୍ଥାପନ କରାଯିବ। ମିଳିତ ଭାବେ ଏହି ତିନି କମ୍ପାନି ପ୍ରାୟ ୯୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିବେ। ସେଥିରୁ କେବଳ କିରା ଡିଆମ୍‌ ୭୦୦୦ କୋଟି ନିବେଶ କରିବ। ଗଞ୍ଜାମରେ ଟାଟା ପାୱାର ରିନୁଏବଲ୍‌ ଏନର୍ଜି ୧୦ ହଜାର କୋଟି ଟଙ୍କା ଓ ସାତ୍ତ୍ବିକ ସୋଲାର ୧୭୦୯.୮୧ କୋଟି ଟଙ୍କା ନିବେଶରେ ସୋଲାର ପିଭି ସେଲ୍‌ କାରଖାନା ବସାଇବେ। ରାଜପୁଷ୍ପା ରିନୋଭା ମାଲକାନଗିରିରେ ଏକ ପମ୍ପଡ୍‌ ଷ୍ଟୋରେଜ୍‌ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପନ କରିବାରେ ୫୨୨୦ କୋଟି ଟଙ୍କା ନିବେଶ କରିବ। କେୟୁ ଊର୍ଜା ଝାରସୁଗୁଡ଼ାରେ ୨୪୭୧.୯୮ କୋଟି ଟଙ୍କା ବିନିଯୋଗ କରି ଏକ କୋଇଲାଭିତ୍ତିକ ପାୱାର ପ୍ଲାଣ୍ଟ ନିର୍ମାଣ କରିବ।

ଯାଜପୁରରେ ଜୁପିଟର ୱାଗନ୍‌ସ ପକ୍ଷରୁ ୧୫୦୦ କୋଟି ଟଙ୍କା ନିବେଶରେ ରେଳଡବା କାରଖାନା ସ୍ଥାପନ କରାଯିବ। ରାୟଗଡ଼ାରେ ସିଂଘଲ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ୧୩୦୦ କୋଟି ଟଙ୍କା ଖଟାଇ ଏକ ଆଲୁମିିନିୟମ ପ୍ରକଳ୍ପ କରିବ। ସମ୍ବଲପୁରରେ ନେକ୍ଟାର ଲାଇଫ୍‌ସାଇନ୍‌ସେସ୍‌ ୧୧୭୦ କୋଟି ଟଙ୍କା ଓ ଯାଜପୁରରେ ରତ୍ନମଣି ମେଟାଲ୍‌ସ ଆଣ୍ଡ୍‌ ଟ୍ୟୁବ୍‌ସ ୧୬୪୨ କୋଟି ଟଙ୍କା ନିବେଶ କରିବେ। ଧାତବ କ୍ଷେତ୍ରରେ ଏସ୍‌ଏମ୍‌ସି ପାୱାର ଜେନେରେସନ୍‌ ଝାରସୁଗୁଡ଼ାରେ ୯୦୦୦ କୋଟି ଟଙ୍କାରୁ ଅଧିକ ନିବେଶ କରିବ। ସୁନ୍ଦରଗଡ଼ରେ ଓଡ଼ିଶା ଆଲୟ ଷ୍ଟିଲ୍‌ ୧୨୦୦ କୋଟି ଟଙ୍କା, ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ସମ୍ବଲପୁରରେ ୭୫୮୦ କୋଟି ଟଙ୍କା, ରଶ୍ମି ମେଟାଲର୍ଜିକାଲ୍‌ ଇଣ୍ଡଷ୍ଟ୍ରି ଯାଜପୁରରେ ୧୫ ହଜାର କୋଟି ଟଙ୍କା ଓ ବିଆର୍‌ ଷ୍ଟିଲ୍‌ ଆଣ୍ଡ୍‌ ପାୱାର ସମ୍ବଲପୁରରେ ୨୪୦୦ କୋଟି ଟଙ୍କା ନିବେଶ କରିବେ।
ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଆମ ସରକାର ଦୁଇ ବର୍ଷ ପୂରଣ କରିବା ସହ ଓଡ଼ିଶା ଦେଶର ଅନ୍ୟତମ ଅଗ୍ରଣୀ ପୁଞ୍ଜିନିବେଶ ସ୍ଥଳରେ ପରିଣତ ହୋଇଛି। ପ୍ରଗତିଶୀଳ ନୀତି, ଦୃଢ଼ ଭିତ୍ତିଭୂମି ଓ ନିବେଶକଙ୍କୁ ସୁବିଧାସୁଯୋଗ ପ୍ରଦାନ କରି ଆମେ ଉଭୟ ପାରମ୍ପରିକ ଓ ଉଦୀୟମାନ କ୍ଷେତ୍ରରେ ପୁଞ୍ଜିନିବେଶ ହାସଲ କରିବାରେ ସଫଳ ହୋଇଛୁ। ଆଜିର ମଞ୍ଜୁରି ଓଡ଼ିଶା ଉପରେ ନିବେଶକଙ୍କ ବଢ଼ୁଥିବା ଭରସାର ପ୍ରତିଫଳନ ବୋଲି ସେ କହିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button