ରାଜ୍ୟ

Bilateral ties: ଓଡ଼ିଶା-ସିଙ୍ଗାପୁର ସମ୍ପର୍କ ସୁଦୃଢ଼ ହେବ

ଆଗାମୀ ଦିନରେ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ଦ୍ବିପାକ୍ଷୀକ ସମ୍ପର୍କ ଆହୁରି ସୁଦୃଢ଼ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ଭାରତରେ ଅବସ୍ଥାପିତ ସିଙ୍ଗାପୁରର ଉଚ୍ଚାୟୁକ୍ତ ସାଇମନ୍ ୱଙ୍ଗଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ...

ଭୁବନେଶ୍ବର: ଆଗାମୀ ଦିନରେ ଓଡ଼ିଶା ଓ ସିଙ୍ଗାପୁର ମଧ୍ୟରେ ଦ୍ବିପାକ୍ଷୀକ ସମ୍ପର୍କ ଆହୁରି ସୁଦୃଢ଼ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଜି ଭାରତରେ ଅବସ୍ଥାପିତ ସିଙ୍ଗାପୁରର ଉଚ୍ଚାୟୁକ୍ତ ସାଇମନ୍ ୱଙ୍ଗଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଦ୍ୱିପାକ୍ଷିକ ପୁଞ୍ଜିନିବେଶ ପ୍ରକଳ୍ପଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସିଙ୍ଗାପୁରର ସହରୀ ଯୋଜନା, ସ୍ୱଚ୍ଛ ଶକ୍ତି, ବନ୍ଦର ପରିଚାଳନା, ଓ ପ୍ରଯୁକ୍ତି କ୍ଷେତ୍ରରେ ଥିବା ଦକ୍ଷତା ଓଡ଼ିଶାର ବିକାଶମୂଳକ ଲକ୍ଷ୍ୟ ହାସଲ ଦିଗରେ ଖୁବ୍ ସହାୟକ ହେବ। ସମୃଦ୍ଧ ଓଡ଼ିଶା ୨୦୩୬ ଓ ବିକଶିତ ଭାରତ ୨୦୪୭ ଲକ୍ଷ୍ୟ ହାସଲ ଦିଗରେ ସିଙ୍ଗାପୁର ଏକ ସ୍ୱାଭାବିକ ସହଯୋଗୀ ବୋଲି ସେ କହିଥିଲେ।

ସିଙ୍ଗାପୁର ନିବେଶକମାନଙ୍କୁ ସମ୍ପୂର୍ଣ୍ଣ ସହାୟତା, ସିଙ୍ଗଲ୍-ୱିଣ୍ଡୋ ବ୍ୟବସ୍ଥା ଓ ନିବେଶ ପ୍ରସ୍ତାବ ଉପରେ ତୁରନ୍ତ ନିଷ୍ପତ୍ତି ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଗତବର୍ଷ ଜାନୁଆରିରେ ସିଙ୍ଗାପୁର ରାଷ୍ଟ୍ରପତି ଡକ୍ଟର ଥରମାନ ସନମୁଗରତ୍ନମଙ୍କ ଓଡ଼ିଶା ଗସ୍ତ ସମୟରେ ୫ଟି ବିଭାଗ ସହ ୮ଟି ଏମ୍‌ଓୟୁ ହୋଇଥିଲା। ସିଙ୍ଗାପୁର ନିବେଶ ପାଇଁ ଏକ ସୁବ୍ୟବସ୍ଥିତ ବ୍ୟବସ୍ତା ଗଠନ କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଏଥିସହିତ ସେ ସବୁଜ ଶକ୍ତି, ସହରୀ ବିକାଶ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସିଙ୍ଗାପୁରର ବ୍ୟବସାୟିକ ପ୍ରତିନିଧି ଦଳକୁ ଓଡ଼ିଶା ଆସିବାକୁ ଆମନ୍ତ୍ରଣ କରିଥିଲେ।

ସିଙ୍ଗାପୁର ଉଚ୍ଚାୟୁକ୍ତ ଶ୍ରୀ ୱଙ୍ଗ ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ କାର୍ଯ୍ୟକାଳ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ଓଡ଼ିଶାର ବିକାଶ ପ୍ରକ୍ରିୟାରେ ସିଙ୍ଗାପୁର ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେବା ସହ ଆଗାମୀ ଦିନରେ ରାଜ୍ୟର ପ୍ରଗତି ଏବଂ ଅଭିବୃଦ୍ଧି ଯାତ୍ରାରେ ସେମାନେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟ ସଚିବ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ବିଶାଲ ଦେବ, ମୁମ୍ବାଇର କନସୁଲ୍-ଜେନେରାଲ୍ ଚଙ୍ଗ୍ ମିଙ୍ଗ୍ ଫୁଙ୍ଗ୍ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button