Petroleum Minister Hardeep Puri: ଇ-୮୫ ଇନ୍ଧନକୁ ନେଇ ସୋସିଆଲ ମିଡିଆରେ ବ୍ୟାପକ ଗୁଜବ

ନୂଆଦିଲ୍ଲୀ: ଦେଶରେ ନୂତନ ଭାବେ ଆରମ୍ଭ ହୋଇଥିବା ଇ-୮୫ ଇନ୍ଧନକୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ବିଭିନ୍ନ ଗୁଜବ ଏବଂ ଭ୍ରାନ୍ତ ଧାରଣା ଉପରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏକ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ଦେଇଛନ୍ତି। ସୋସିଆଲ ମିଡିଆରେ ଦାବି କରାଯାଉଥିଲା ଯେ, ସରକାର ଇ-୮୫ ଇନ୍ଧନକୁ ବାଧ୍ୟତାମୂଳକ କରି ସାଧାରଣ ପେଟ୍ରୋଲ ଓ ଡିଜେଲର ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରିଦେବେ, ଯାହାଦ୍ୱାରା ପୁରୁଣା ଗାଡ଼ି ମାଲିକମାନେ ଅସୁବିଧାରେ ପଡ଼ିବେ। ଏହି ଗୁଜବକୁ ସମ୍ପୂର୍ଣ୍ଣ ଭୁଲ୍ ବୋଲି ଦର୍ଶାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଏହି ନୂଆ ଇନ୍ଧନ କେବଳ ଏକ ନିର୍ଦ୍ଦିଷ୍ଟ ବର୍ଗର ଗାଡ଼ି ପାଇଁ ତିଆରି କରାଯାଇଛି ଏବଂ ଏହା ଦ୍ୱାରା ବର୍ତ୍ତମାନର ଇ-୨୦ କିମ୍ବା ସାଧାରଣ ପେଟ୍ରୋଲ ଗାଡ଼ିଗୁଡ଼ିକ ବନ୍ଦ ହେବାର କୌଣସି ଆଶଙ୍କା ନାହିଁ। ଗ୍ରାହକମାନଙ୍କ ସଚେତନତା ପାଇଁ ଇ-୮୫ ପେଟ୍ରୋଲ ପମ୍ପ ଡିସପେନସରଗୁଡ଼ିକରେ “କେବଳ ଇ୮୫-ଅନୁପାଳିତ ଗାଡ଼ି ପାଇଁ” ବୋଲି ବଡ଼ ବୋର୍ଡ ଲଗାଯିବ।
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ବିଶ୍ୱ ପରିବେଶ ଦିବସ ଅବସରରେ ଏହି ଇ-୮୫ ଇନ୍ଧନକୁ ଆନୁଷ୍ଠାନିକ ଭାବେ ଲଞ୍ଚ କରାଯାଇଛି। ସାଧାରଣ ଇ-୨୦ ପେଟ୍ରୋଲ ଏବଂ ଇ-୮୫ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଉଛି ଏହାର ସଂରଚନା ଏବଂ ଗାଡ଼ିର ଉପଯୋଗିତା। ବର୍ତ୍ତମାନ ବ୍ୟବହାର ହେଉଥିବା ଇ-୨୦ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍ ସହ ୮୦ ପ୍ରତିଶତ ସାଧାରଣ ପେଟ୍ରୋଲ ମିଶ୍ରିତ ହୋଇଥାଏ। ଅପରପକ୍ଷରେ, ନୂତନ ଇ-୮୫ ଇନ୍ଧନରେ ଇଥାନଲର ମାତ୍ରା ସବୁଠାରୁ ଅଧିକ ଅର୍ଥାତ୍ ୮୦% ରୁ ୮୫% ରହିଥିବା ବେଳେ ମାତ୍ର ୧୪% ରୁ ୧୯% ପେଟ୍ରୋଲ ମିଶ୍ରଣ କରାଯାଇଥାଏ। ଏହି ଅଧିକ ଇଥାନଲ୍ ମିଶ୍ରଣ ଯୋଗୁଁ ସାଧାରଣ ବା ପୁରୁଣା ଗାଡ଼ିଗୁଡ଼ିକରେ ଏହି ଇନ୍ଧନ ବ୍ୟବହାର କରାଯାଇପାରିବ ନାହିଁ। ଏହା କେବଳ ସ୍ୱତନ୍ତ୍ର ଭାବେ ନିର୍ମିତ ଫ୍ଲେକ୍ସ-ଫ୍ୟୁଏଲ୍ ଗାଡ଼ି ପାଇଁ ଉଦ୍ଦିଷ୍ଟ, ଯାହାର ଇଞ୍ଜିନ ଇ-୨୦ ଠାରୁ ଆରମ୍ଭ କରି ୧୦୦ ପ୍ରତିଶତ ଇଥାନଲ୍ (ଇ-୧୦୦) ମିଶ୍ରଣରେ ମଧ୍ୟ ସହଜରେ ଚାଲିପାରିବ।
ବ୍ରାଜିଲ ଭଳି ଦେଶରେ ଏହି ଫ୍ଲେକ୍ସ-ଫ୍ୟୁଏଲ୍ ବ୍ୟବସ୍ଥା ଦଶନ୍ଧି ଦଶନ୍ଧି ଧରି ସଫଳତାର ସହ ଚାଲିଆସୁଛି। ଭାରତରେ ଏହି ବ୍ୟବସ୍ଥାର ପ୍ରସାର ଦ୍ୱାରା ଦେଶର କୃଷକମାନଙ୍କ ଆୟ ବୃଦ୍ଧି ପାଇବ, ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଦେଶର ଶକ୍ତି ସୁରକ୍ଷା ମଧ୍ୟ ମଜବୁତ ହେବ। ପରିବେଶ ଦୃଷ୍ଟିକୋଣରୁ ଦେଖିଲେ, ପାରମ୍ପରିକ ଜୀବାଶ୍ମ ଇନ୍ଧନ ତୁଳନାରେ ଇ-୮୫ ର ବ୍ୟବହାର ଗ୍ରୀନହାଉସ୍ ଗ୍ୟାସ୍ ନିର୍ଗମନକୁ ପ୍ରାୟ ୬୧ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଥାଏ। ଗ୍ରାହକମାନଙ୍କୁ ଏହି ସବୁଜ ଇନ୍ଧନ ଆପଣେଇବା ପାଇଁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ଏହାକୁ ସାଧାରଣ ପେଟ୍ରୋଲ ତୁଳନାରେ ପ୍ରାୟ ୨୦ ଟଙ୍କା ଶସ୍ତାରେ ବଜାରକୁ ଛାଡ଼ିଛନ୍ତି, ଯେଉଁଥିପାଇଁ ଦିଲ୍ଲୀରେ ଏହାର ମୂଲ୍ୟ ଲିଟର ପିଛା ୮୨.୧୨ ଟଙ୍କା ରଖାଯାଇଛି। ବର୍ତ୍ତମାନ ଦେଶରେ ଶତପ୍ରତିଶତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏଭଳି ଗାଡ଼ିଗୁଡ଼ିକର ଲଞ୍ଚିଂ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହା ଭାରତୀୟ ସଂସ୍ଥାଗୁଡ଼ିକୁ ସହାୟତା କରିବା ସହ ଦେଶକୁ ଏକ ସ୍ୱଚ୍ଛ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତ ଆଡ଼କୁ ଅଗ୍ରସର କରାଇବ।
ସୌଜନ୍ୟ ସମ୍ବାଦ




