ତାରାମାନେ ଲିଭେଇ ଦେଇ ସାରିଲେଣି ସବୁ ଆଲୁଅ।
କିଛି ବି ଦିଶୁନଥିବା ରାତିର କୋଉ ନହକା ଡାଳରେ ବସି ପବନ ବଜଉଛି ବଂଶୀ ବଇଁଶୀର କ୍ଷୀଣ-ରାଗିଣୀରେ ଚହଟିଆସୁଛି କୋଉଠି କ’ଣ ଗୋଟେ ପୋଡ଼ିପୋଡ଼ି ଯାଉଥିବାର ତୀବ୍ର-ଗନ୍ଧ।
ନିଜ ନାଆର ନିଜେ ନାଉରି ସାଜିବାର ଅଧିକାରରେ ଡାହାଣ ଅଙ୍ଗୁଷ୍ଠ ଦାନ କରିଦେଲେଣି ସମସ୍ତେ ଦକ୍ଷିଣାରେ ମାଆର ପଣତରୁ ବି ଚାଖଣ୍ଡେ ଲେଖାଏଁ!
ସୁନାକଳସ ଧରି ବୁଲୁଥିବା ହାତୀ ମହଳଣ ସଞ୍ଜର ମଳିଚିଆ ମାଛିଅନ୍ଧାରରେ ନିଖୋଜ କୋଉଠି!
କଳସ ଭିତରେ କଳକଳଉଛି ଯୋଉ ନଦୀର ଜଳ ସେ ନଦୀ ଏବେ କୃଶ, କ୍ଷୀଣ, ସଂକୀର୍ଣ୍ଣ ବାଲିପିଠିରେ ସରୁ ଧାରଟିଏ ହେଇ ଯାହା ଝରିଯାଉଛି ନଈଆଖିର ଧାରେ ଲୁହ।
ଦିଗନ୍ତ ଛୁଉଁଥିବା ଏତେବଡ଼ ଆକାଶରେ କୋଉଠି ପକ୍ଷୀ ଗୋଟେ ଉଡ଼ିଯାଉଥିବାର ଦୃଶ୍ୟଟିଏ ନାହିଁ ବନ୍ଧକ ପଡ଼ିଛି ସେମାନଙ୍କ ଡେଣାର ଉଡ଼ାଣ କୋଉ ଅନ୍ଧପ୍ରଗଳିର ଅନ୍ଧାର ପାଖରେ କେଜାଣି!
ଶୀତତାପ ନିୟନ୍ତ୍ରିତ ଉପବନ ମଝି ସୁଶୋଭିତ କାନଭାସ ଦେହରେ ଗୋଟିଏ ସୁଶୀତଳ ମନୋହର ସୁନୀଳ ଆକାଶ ମଗ୍ନ ଚିତ୍ରକର କେତେଜଣ ନିବିଷ୍ଟ ଚିତ୍ତରେ ଆଙ୍କୁଛନ୍ତି ପକ୍ଷୀ ଦଳଦଳ ହେଇ ଉଡ଼ିଯାଉଥିବାର ଦୃଶ୍ୟ।
ଏବେ ବି କେଜାଣି କେତେବେଳ ବାକି ଅଛି ପାହିବାକୁ ରାତି ତାରାମାନେ କିଳିଦେଇ ଝର୍କା ଲିଭେଇ ଦେଇ ସାରିଲେଣି ସବୁ ବତି!
ଏବେ ବି ଦୂରରେ କୋଉ ଅନ୍ଧାର ଡାଳରେ ବସି ପବନ ବଜଉଛି ବଂଶୀ ଚହଟିଆସୁଛି ପୃଷ୍ଠା ପରେ ପୃଷ୍ଠା ପୋଡ଼ିପୋଡ଼ି ଯାଉଥିବା ଇତିହାସର ଫୁରୁକୁଟିଆ କ୍ଷୀଣ ରାଗିଣୀ
ଅନ୍ଧାର ଡାଳରେ ବସି ପବନ ଏବେ ବି ବଜଉଛି ବଂଶୀ!
ସୌଜନ୍ୟ ସମ୍ବାଦ