Police-Naxal Exchange Of Fire: ପଶ୍ଚିମ ସିଂହଭୂମର କୋଲହାନ୍ ଜଙ୍ଗଲରେ ପୁଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ

ବିଶ୍ରା-(ଦେବ କୁମାର ଦେ): ସୁନ୍ଦରଗଡ଼ ଜିଲ୍ଲାର ସୀମାନ୍ତରେ ଥିବା ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାର କୋଳହାନ ଜଙ୍ଗଲରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଜଙ୍ଗଲର ଟୋଣ୍ଟୋ ଓ ଗୋଇଲକେରା ଥାନା ସୀମାଞ୍ଚଳରେ ପୁଲିସ ଓ ନକ୍ସଲମାନଙ୍କ ମଧ୍ୟରେ ଆଜି ସକାଳରୁ ଭୟଙ୍କର ଗୁଳିବିନିମୟ ଚାଲିଛି। ଯାହା ଫଳରେ ସମଗ୍ର ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଛି।

ଉଭୟ ପକ୍ଷରୁ ଗୁଳିବର୍ଷା ଆରମ୍ଭ ହୋଇଥିଲା

ମିଳିଥିବା ସୂଚନା ଅନୁସାରେ, କୋବ୍ରା 209 ବାଟାଲିଅନର ଯବାନମାନେ ଗତ ଦୁଇ ଦିନ ଧରି ବୋରୋଇ ଓ ତୁନବେଡା ଆଖପାଖର ଘନ ଜଙ୍ଗଲରେ ଲଗାତାର କମ୍ବିଂ ଅପରେସନ୍‌ ଚଳାଇ ଆସୁଥିଲେ। ମାତ୍ର ଆଜି ସକାଳ ପ୍ରାୟ ସାଢେ ୪ଟା ସମୟରେ ଅଭିଯାନ ଚାଲିଥିବାବେଳେ ଯବାନ ଏବଂ ନକ୍ସଲ ଉଭୟ ସାମ୍ନାସାମ୍ନି ହୋଇଥିଲେ। ଯାହା ପରେ ଉଭୟ ପକ୍ଷରୁ ଗୁଳିବର୍ଷା ଆରମ୍ଭ ହୋଇଥିଲା।

ସକାଳରୁ ରହି ରହି ଏବେ ଯାଏ ଗୁଳି ବିନିମୟ ଚାଲିଥିବା ସୂଚନା ମିଳୁଛି। ଗୁଳି ବିନିମୟ ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବଳଙ୍କ ସତର୍କତା ବଢ଼ାଯାଇଛି ଓ ଅନୁସନ୍ଧାନ ଅଭିଯାନ ଜାରି ରହିଛି।

ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବରୁ ଗୋଇଲକେରା ଥାନା ଅଞ୍ଚଳରେ ଜଣେ ପୂର୍ବତନ ନକ୍ସଲୀଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ନକ୍ସଲମାନେ ସାରଣ୍ଡା ଅଞ୍ଚଳରୁ ବାହାରି କୋଳହାନ ଓ ପାଖପାଖି ଅଞ୍ଚଳରେ ନିଜ ଉପସ୍ଥିତି ବଢ଼ାଉଥିବା ସଙ୍କେତ ମିଳୁଥିଲା। ଏହି ସୂଚନାକୁ କେନ୍ଦ୍ର କରି ପୁଲିସ ତରଫରୁ ଅଭିଯାନ ଆରମ୍ଭ କରା ଯାଇଛି।

 

 

 

ସୌଜନ୍ୟ ସମ୍ବାଦ