ଜାତୀୟ

Poverty rate: ୨୫ ଲକ୍ଷ ଭାରତୀୟଙ୍କୁ ଗରିବ କରିଦେବ ଯୁଦ୍ଧ: ଦାରିଦ୍ର୍ୟ ହାର ୨୩.୯ରୁ ୨୪.୨%କୁ ବଢ଼ିପାରେ, ଖାଦ୍ୟ ସୁରକ୍ଷା ବିପନ୍ନ ହେବ

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ୨୫ ଲକ୍ଷ ଭାରତୀୟଙ୍କୁ ଗରିବ କରିଦେବ। ଭାରତର ମାନବ ବିକାଶ ଅଗ୍ରଗତି ମଧ୍ୟ କିଛିଟା ପ୍ରଭାବିତ ହେବ। ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ପକ୍ଷରୁ ଏହା କୁହାଯାଇଛି। ‘ମଧ୍ୟପ୍ରାଚ୍ୟରେ ସାମରିକ ଉତ୍ତେଜନା: ସମଗ୍ର ଏସିଆ ଓ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମାନବ ବିକାଶ ପ୍ରଭାବ’ ଶୀର୍ଷକ ରିପୋର୍ଟରେ କୁହାଯାଇଛି ଯେ ଏସିଆ ଓ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ମାନବ ବିକାଶ ଉପରେ ଚାପ ପକାଇଛି। ଇନ୍ଧନ ଓ ଅନ୍ୟାନ୍ୟ ସାମଗ୍ରୀର ବର୍ଦ୍ଧିତ ମୂଲ୍ୟ, ଖାଦ୍ୟ ସୁରକ୍ଷା ବିପନ୍ନ, ସରକାରୀ ବଜେଟ୍‌ ଉପରେ ଚାପ ଏବଂ ଜୀବିକା ଦୁର୍ବଳ ହେବା କାରଣରୁ ବିଶ୍ବରେ ୮୮ ଲକ୍ଷ ଲୋକ ଦାରିଦ୍ର୍ୟ ମଧ୍ୟକୁ ଚାଲିଯିବାର ଆଶଙ୍କା ରହିଛି। ଏହି ଯୁଦ୍ଧ ପାଇଁ ଏସିଆ ପ୍ରଶାନ୍ତ ମହାସାଗର ଅଞ୍ଚଳ ଉପରେ ୨୯୯ ବିଲିଅନ ଡଲାର ପର୍ଯ୍ୟନ୍ତ ଆର୍ଥିକ ବୋଝ ପଡ଼ିବ।

ଭାରତରେ ଦାରିଦ୍ର୍ୟ ମଧ୍ୟକୁ ୪ ଲକ୍ଷରୁ ୨୫ ଲକ୍ଷ ପର୍ଯ୍ୟନ୍ତ ଲୋକ ଠେଲି ହୋଇଯିବାକୁ ଥିବାବେଳେ ଚୀନରେ ୧,୧୫,୦୦୦ରୁ ୬,୨୦,୦୦୦ ପର୍ଯ୍ୟନ୍ତ ଲୋକ ଦାରିଦ୍ର୍ୟ ମଧ୍ୟକୁ ଚାଲିଯିବେ। ବିଶ୍ବରେ ୧୯ ଲକ୍ଷରୁ ୮୮ ଲକ୍ଷ ପର୍ଯ୍ୟନ୍ତ ଲୋକ ଦାରିଦ୍ର୍ୟ ମଧ୍ୟକୁ ଚାଲିଯିବେ। ଯୁଦ୍ଧ ସଂକଟ ପରେ ଭାରତର ଦାରିଦ୍ର୍ୟ ହାର ୨୩.୯ ପ୍ରତିଶତରୁ ୨୪.୨ ପ୍ରତିଶତକୁ ବୃଦ୍ଧି ପାଇପାରେ। ୨୪,୬୪,୬୯୮ ଜଣ ଦାରିଦ୍ର୍ୟ ମଧ୍ୟକୁ ଚାଲିଯିବେ। ସଂକଟ ପୂର୍ବରୁ ଦେଶରେ ୩୫ କୋଟି ୧୫ ଲକ୍ଷ ୬୯ ହଜାର ଲୋକ ଦାରିଦ୍ର୍ୟ ମଧ୍ୟରେ ରହୁଥିବାବେଳେ ସଂକଟ ପରେ ଏମାନଙ୍କ ସଂଖ୍ୟା ୩୫ କୋଟି ୪୦ ଲକ୍ଷ ୩୩ ହଜାର ୬୯୮କୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।
ମାନବ ବିକାଶ ସୂଚୀ ବା ଲୋକଙ୍କ ଶିକ୍ଷା, ସ୍ବାସ୍ଥ୍ୟ, ଆୟ ଆଦି କ୍ଷେତ୍ରରେ ଭାରତ ଯେଉଁ ଅଗ୍ରଗତି କରିଛି ସେଥିରୁ ୦.୦୩ରୁ ୦.୧୨ ବର୍ଷ ବା ୧୧ ଦିନରୁ ୪୪ ଦିନର ଅଗ୍ରଗତି ହରାଇବାକୁ ପଡ଼ିବ। ଏହା ପଛକୁ ନେପାଳ ୦.୦୨ରୁ ୦.୦୯ ବର୍ଷ (୭ରୁ ୩୨ ଦିନ), ଭିଏତନାମ ୦.୦୨-୦.୦୭ ବର୍ଷ (୭ରୁ ୨୫ ଦିନ)ର ମାନବ ବିକାଶ ଅଗ୍ରଗତି  ହରାଇବେ। ଅନ୍ୟପକ୍ଷରେ ଚୀନର ମାନବ ବିକାଶ ସୂଚୀରେ ୦.୦୧-୦.୦୫ ବର୍ଷ (୩ରୁ ୧୮ ଦିନ) କ୍ଷତି ହେବ। ତେବେ ଇରାନର ମାନବ ବିକାଶ ଅଗ୍ରଗତିରେ ବର୍ଷେରୁ ଦେଢ଼ ବର୍ଷର କ୍ଷତି ହେବ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଭାରତ ଏହି ଅଞ୍ଚଳର ଏକ ବଡ଼ ଆମଦାନିକାରୀ। ଭାରତ ତାହାର ଆବଶ୍ୟକତାର ୯୦ ପ୍ରତିଶତରୁ ଅଧିକ ଅଶୋଧିତ ତେଲ ଆମଦାନି ଜରିଆରେ ପୂରଣ କରିଥାଏ। ୪୦ ପ୍ରତିଶତରୁ ଅଧିକ ଅଶୋଧିତ ତେଲ ଏବଂ ୯୦ ପ୍ରତିଶତରୁ ଅଧିକ ଏଲ୍‌ପିଜି ମଧ୍ୟପ୍ରାଚ୍ୟରୁ ଭାରତ ଆଣିଥାଏ। ଏଥିସହିତ ଭାରତର ୪୫ ପ୍ରତିଶତରୁ ଅଧିକ ସାର ଭାରତକୁ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଯୋଗାଇ ଦେଇଥାନ୍ତି। ଭାରତ ଦେଶ ଭିତରେ କରୁଥିବା ମୋଟ ୟୁରିଆ ଉତ୍ପାଦନର ୮୫ ପ୍ରତିଶତ ଉତ୍ପାଦନ ପାଇଁ ପ୍ରାକୃତିକ ଗ୍ୟାସ୍‌ ଆମଦାନି ଉପରେ ନିର୍ଭର କରିଥାଏ। ଯୁଦ୍ଧ ପରେ ଏଲ୍‌ଏନ୍‌ଜି ଦର ବଢ଼ୁଥିବାରୁ ଭାରତ, ଥାଇଲାଣ୍ଡ, ଫିଲିପାଇନ୍‌ସ ଏବଂ ଭିଏତନାମ୍‌ ଭଳି ଦେଶ ଶକ୍ତି ଉତ୍ପାଦନ ପାଇଁ କୋଇଲା ଉପରେ ଅଧିକ ନିର୍ଭର କରୁଛନ୍ତି। ଭାରତର ୧୪ ପ୍ରତିଶତ ରପ୍ତାନି ଏବଂ ୨୦.୯ ପ୍ରତିଶତ ଆମଦାନି ମଧ୍ୟପ୍ରାଚ୍ୟ ସହ ଜଡ଼ିତ। ପାଖାପାଖି ୪୮ ବିଲିଅନ ଡଲାର ମୂଲ୍ୟର ଅଣତୈଳ ସାମଗ୍ରୀ ଭାରତ ଏସବୁ ଦେଶକୁ ରପ୍ତାନି କରିଥାଏ। ସେଗୁଡ଼ିକ ମଧ୍ୟରେ ବାସମତି ଚାଉଳ, ଚା, ମୂଲ୍ୟବାନ ପ୍ରସ୍ତର, ଗହଣା, ପୋଷାକ ଆଦି ରହିଛି। ଯୁଦ୍ଧ ପାଇଁ ଭାରତ ସମେତ ପାକିସ୍ତାନ, ବାଂଲାଦେଶ, ନେପାଳ ଏବଂ ଫିଲିପାଇନ୍‌ସକୁ ମଧ୍ୟପ୍ରାଚ୍ୟରୁ ରିମିଟାନ୍ସ ବା ଅର୍ଥ ପ୍ରେରଣ କମିବ। ଏଥିଯୋଗୁ ଖାଦ୍ୟ ସୁରକ୍ଷା ଉପରେ ଚାପ ସୃଷ୍ଟି ହେବ ବୋଲି ରିପୋର୍ଟରେ କୁହାଯାଇଛି।

ଉପସାଗରୀୟ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ କମିବା କାରଣରୁ ପରିବାରଗୁଡ଼ିକର ଆୟ ଏବଂ କ୍ରୟ କ୍ଷମତା କମିଯିବ। ଜୁନରୁ ଭାରତରେ ଖରିଫ ଚାଷ ଆରମ୍ଭ ହେବ। ଭାରତରେ ୟୁରିଆ ମହଜୁଦ ପରିମାଣ ୬.୧୧୪ ନିୟୁତ ଟନ୍‌ ରହିଛି। ଆଗାମୀ କିଛିଦିନର ଆବଶ୍ୟକତା ଏହା ମେଣ୍ଟାଇ ପାରିବ। କିନ୍ତୁ ଯୁଦ୍ଧ ଅଧିକ ଦିନ ଲାଗି ରହିଲେ ଖରିଫ ଚାଷ ସମୟରେ ୟୁରିଆ ଯୋଗାଣ ବ୍ୟାଘାତ ହେବ। ଉପସାଗରୀୟ ସହଯୋଗ ପରିଷଦ (ଜିସିସି) ଅଞ୍ଚଳରେ ସର୍ବାଧିକ ସଂଖ୍ୟକ ଭାରତୀୟ ରହୁଛନ୍ତି। ଭାରତର ବିଦେଶ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ୨୦୨୪ ଅକ୍ଟୋବର ସୁଦ୍ଧା ଏମାନଙ୍କ ସଂଖ୍ୟା ପ୍ରାୟ ୯.୩୭ ନିୟୁତ ଥିଲା। ବିଦେଶରୁ ଭାରତୀୟମାନେ ପଠାଉଥିବା ଅର୍ଥ ମଧ୍ୟରୁ ଏହି ଅଞ୍ଚଳର ଯୋଗଦାନ ପ୍ରାୟ ୩୮ରୁ ୪୦ ପ୍ରତିଶତ ରହିଛି। ଯୁଦ୍ଧ ଦ୍ବାରା ଭାରତରେ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ମଧ୍ୟ ପ୍ରଭାବିତ ହେବ। ମେଡିକାଲ ଉପକରଣ ପାଇଁ କଞ୍ଚାମାଲ ମୂଲ୍ୟ ପ୍ରାୟ ୫୦ ପ୍ରତିଶତ ବଢ଼ିଯିବ ବୋଲି କୁହାଯାଇଛି।

 

 

 

 

ସୌଜନ୍ୟ ସମ୍ବାଦ

Show More
Back to top button