ନୂଆଦିଲ୍ଲୀ/ୱାସିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଜି ଗୁରୁତ୍ୱପୂର୍ଣ୍ଣ ଟେଲିଫୋନ୍ ଆଲୋଚନା ହୋଇଛି। ପ୍ରାୟ ୪୦ ମିନିଟ୍ ଧରି ଉଭୟ ନେତାଙ୍କ ମଧ୍ୟରେ ଚାଲିଥିବା ଏହି ବାର୍ତ୍ତାଳାପ ମୁଖ୍ୟତଃ ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତି ଓ ଅନ୍ତର୍ଜାତୀୟ ସ୍ଥିରତା ଉପରେ କେନ୍ଦ୍ରୀଭୂତ ଥିଲା। ଇସଲାମାବାଦରେ ଆମେରିକା-ଇରାନ ଆଲୋଚନା ବିଫଳ ହେବା ପରେ ଉଭୟ ନେତାଙ୍କ କଥାବାର୍ତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
ଦୁଇ ନେତା ବିଶ୍ୱର ଶକ୍ତି ସୁରକ୍ଷା ପାଇଁ ହର୍ମୁଜ ପ୍ରଣାଳୀକୁ ମୁକ୍ତ ଏବଂ ସୁରକ୍ଷିତ ରଖିବା ଉପରେ ସର୍ବାଧିକ ଗୁରୁତ୍ୱାରୋପ କରିଛନ୍ତି। ବିଶ୍ୱର ଅଧିକାଂଶ ତୈଳ ରପ୍ତାନି ଏହି ମାର୍ଗ ଦେଇ ହେଉଛି। ସୁତରାଂ ଏଠାରେ ଯଦି କୌଣସି ଅସ୍ଥିରତା ଦେଖାଦିଏ, ତେବେ ତାହା ବିଶ୍ୱ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇବ ବୋଲି ସେମାନେ ସହମତି ପ୍ରକାଶ କରିଛନ୍ତି।
ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନାକୁ ନେଇ ଉଭୟ ଭାରତ ଓ ଆମେରିକା ନିଜର ଚିନ୍ତା ପ୍ରକଟ କରିଛନ୍ତି। ସାମୁଦ୍ରିକ ପରିବହନର ସ୍ୱାଧୀନତା ଏବଂ ଶକ୍ତି ସମ୍ପଦର ନିରନ୍ତର ଯୋଗାଣ ବଜାୟ ରଖିବା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଏହି ଆଲୋଚନା ଭାରତ ଓ ଆମେରିକା ମଧ୍ୟରେ ଥିବା ସୁଦୃଢ଼ ରଣନୈତିକ ସମ୍ପର୍କକୁ ପୁଣି ଥରେ ପ୍ରମାଣିତ କରିଛି। ଆଞ୍ଚଳିକ ସୁରକ୍ଷା ଓ ଅର୍ଥନୈତିକ ସ୍ଥିରତା କ୍ଷେତ୍ରରେ ଦୁଇ ଦେଶର ଚିନ୍ତାଧାରା ପ୍ରାୟ ସମାନ ବୋଲି କୂଟନୀତି ବିଶେଷଜ୍ଞମାନେ କହିଛନ୍ତି।
ସୌଜନ୍ୟ ସମ୍ବାଦ

