President Visit: ଆଜି ସ୍ୱତନ୍ତ୍ର ଟ୍ରେନ୍ରେ ବ୍ରହ୍ମପୁର ଯିବେ ରାଷ୍ଟ୍ରପତି, ସ୍ମାର୍ଟସିଟିରୁ ସିଲ୍କସିଟିକୁ ୨ ଘଣ୍ଟା ୧୦ ମିନିଟ୍

ଭୁବନେଶ୍ୱର,୦୪/୦୮: ଆଜି ଭୁବନେଶ୍ୱର ରେଳ ଷ୍ଟେସନରୁ ଲାଇଟ୍ ଗୁଡ଼୍(ଏଲଜି) ସ୍ପେଶାଲ୍ ଟ୍ରେନରେ ବ୍ରହ୍ମପୁର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଟ୍ରେନ୍ରେ ସ୍ମାର୍ଟସିଟି ଭୁବନେଶ୍ୱରରୁ ସିଲ୍କ ସିଟି ବ୍ରହ୍ମପୁରକୁ ଯିବେ ରାଷ୍ଟ୍ରପତି । ସେଥିପାଇଁ ସୋମବାର ଦିଲ୍ଲୀରୁ ଆସି ଭୁବନେଶ୍ୱର ରେଳ ଷ୍ଟେସନରେ ଏହି ସ୍ପେଶାଲ ଟ୍ରେନ ପହଞ୍ଚିଛି । ଏହି ଟ୍ରେନ୍ ଦୁଇ ଘଣ୍ଟା ୧୦ ମିନିଟ ସମୟ ନେବ । ରାଷ୍ଟ୍ରପତିଙ୍କ ଟ୍ରେନଙ୍କୁ ଦୁଇଟି ଟ୍ରେନ ପାଇଲଟ୍ କରି ନେବ । ଟ୍ରେନ ଯିବା ବେଳେ ସେ ରୁଟରେ ଅନ୍ୟ କୌଣସି ଟ୍ରେନ ଯିବ ନାହିଁ ବୋଲି ରେଳ ବାଇ ଏସପି ବିବେକାନନ୍ଦ ଶର୍ମା କହିଛନ୍ତି । ଏହି ଟ୍ରେନ୍ରେ ରାଷ୍ଟ୍ରପତି ଯିବା ବେଳେ ଚିଲିକାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ସୁରକ୍ଷା ଦୃଷ୍ଟିକୋଣରୁ ସମସ୍ତ ଓଭର ବ୍ରିଜ ଗୁଡ଼ିକରେ ଯାତାୟାତ ବନ୍ଦ ରହିବ ।
ରାଷ୍ଟ୍ରପତି ମଙ୍ଗଳବାର ସକାଳ ୮ଟା ୫୦ରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସକାଳ ୯ଟାରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ସ୍ପେଶାଲ ଟ୍ରେନରେ ଯାତ୍ରା କରିବେ । ବ୍ରହ୍ମପୁରରେ ୧୧ଟା ୧୦ରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଏକ ନମ୍ୱର ପ୍ଲାଟଫର୍ମରୁ ରାଷ୍ଟ୍ରପତି ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିବେ । ରାଷ୍ଟ୍ରପତିଙ୍କ ଟ୍ରେନ ରୁଟଲାଇନରେ କ୍ଳିୟର ପାଇଁ ଟ୍ରଲିର ମୁଭମେଣ୍ଟ ରହିବ । ରାଷ୍ଟ୍ରପତିଙ୍କ ସ୍ପେଶାଲ ଟ୍ରେନ ଆଗରେ ଆଡ଼ଭାନ୍ସ ପାଇଲଟ, ପାଇଲଟ ରହିବ । ସେହିପରି ରାଷ୍ଟ୍ରପତିଙ୍କ ଟ୍ରେନ ପଛରେ ଆଉ ଗୋଟେ ସ୍ପେୟାର ଟ୍ରେନ ରହିବ । ରାଷ୍ଟ୍ରପତିଙ୍କ ଗସ୍ତକୁ ଲକ୍ଷ୍ୟ କରି ଭୁବନେଶ୍ୱର, ରେତଙ୍ଗରୁ ଚିଲିକା ଓ ବ୍ରହ୍ମପୁରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି । ବୈଷୟିକ ଯାଞ୍ଚ ଓ ଆଣ୍ଟି ସାବୋଟାଜ୍ ଯାଞ୍ଚ ସହ ସମ୍ପୂର୍ଣ୍ଣ ସତର୍କ ଓ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମଗ୍ର ରେଳପଥରେ ପାଟ୍ରୋଲିଂ ଜୋରଦାର କରାଯିବା ଲେଭଲ୍ କ୍ରସିଂଗୁଡ଼ିକରେ ସୁରକ୍ଷାକର୍ମୀ ନିୟୋଜିତ ରହିବେ ।
ସୌଜନ୍ୟ ପ୍ରମେୟ




